ଆମେ ନିଜ ଖୁସିରେ ଖୁସି ହେଉ, ଆଉ ଆପଣ ଅନ୍ୟର ଦୁଃଖରେ; ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଇରଫାନଙ୍କ ଜବାବ

ଆମେ ନିଜ ଖୁସିରେ ଖୁସି ହେଉ, ଆଉ ଆପଣ ଅନ୍ୟର ଦୁଃଖରେ; ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଇରଫାନଙ୍କ ଜବାବ

ନୂଆଦିଲ୍ଲୀ: ଯେତେବେଳେ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ହାରିଥିଲା, ସେତେବେଳେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦେଶବାସୀଙ୍କ ସମେତ ଅନେକ ପୂର୍ବତନ କ୍ରିକେଟରଙ୍କ ବିଶ୍ବକପ ଜିତିବାର ଆଶା ମଉଳି ଯାଇଥିଲା। ଭାରତ ହାରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଏକ ଟୁଇଟ୍ କରି ଭାରତୀୟ ଦଳକୁ ଅପମାନିତ କରିଥିଲେ। ନାଁ ନନେଇ ସେ ଭାରତକୁ ଟାର୍ଗେଟ କରିଥିବା ଦେଖାଯାଇଥିଲା।

ହେଲେ ତାଙ୍କର ଏଭଳି ଟ୍ବିଟକୁ ଦେଖି ଚୁପ ରହିନଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ। ଶେହବାଜ ସରିଫଙ୍କ ଟ୍ୱିଟର ଉଚିତ ଜବାବ ଦେଇ ଭାରତ ଓ ପାକିସ୍ତାନ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି, ତାହା ଦେଖାଇଥିଲେ ଇରଫାନ।

ସୂଚନା ମୁତାବକ, ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ହାରିବା ପରେ ଶେହାବାଜ ସରିଫ ଟ୍ବିଟ କରିଥିଲେ ଯେ, ଏହି ରବିବାରରେ ପାକିସ୍ତାନ ଏବଂ ଇଂଲଣ୍ଡ ପ୍ରତିଦ୍ୱନ୍ଦ୍ୱିତା କରିବେ। କିନ୍ତୁ ଏହି ଟ୍ବିଟରେ ଶେହାବାଜ ସରିଫ ଭାରତକୁ ପରିହାସ କରି ଲେଖିଥିଲେ, ରବିବାର ଦିନ ୧୫୨/୦ ବନାମ ୧୭୦/୦ ମଧ୍ୟରେ ମ୍ୟାଚ୍ ହେବ।

ଶେହାବାଜ ସରିଫଙ୍କ ଏହି ଟ୍ୱିଟର ଜବାବ ଦେଇ ଇରଫାନ ପଠାନ ଲେଖିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ହେଉଛି ପାର୍ଥକ୍ୟ। ଆମେ ନିଜ ଖୁସିରେ ଖୁସି  ହେଉ ଏବଂ ଆପଣ ଅନ୍ୟମାନଙ୍କ ଦୁଃଖରେ ଖୁସି ହୁଅନ୍ତି। ତେଣୁ ନିଜ ଦେଶର ଉନ୍ନତି ଉପରେ ଧ୍ୟାନ ଦିଅନ୍ତୁ। ଇରଫାନ ପଠାନଙ୍କ ଏହି ଟ୍ୱିଟ ଏବେ ଭାଇରାଲ ହେଉଥିବା ବେଳେ ଭାରତୀୟ ପ୍ରଶଂସକମାନେ ଏହାକୁ ବହୁତ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe