ଈଶାନ୍ତ ବଖାଣିଲେ ସଫଳତା ରହସ୍ୟ

Advertisment
ଗୋଟିଏ ଓଭରରେ ୩୦ ରନ୍‌ ବ୍ୟୟ କଥାକୁ ମନେପକାଇଲେ ଈଶାନ୍ତ

outlook india

କୋଲକାତା: ଘରୋଇ ମାଟିରେ ଦୀର୍ଘ ୧୨ ବର୍ଷ ଏବଂ ୯୬ ଟେଷ୍ଟ୍ ପରେ ପ୍ରଥମ ଥର ୫ ୱିକେଟ୍ ସଫଳତା ପାଇଥିବା ଈଶାନ୍ତ ଶର୍ମା ଏବେ ଚର୍ଚାରେ। ଚଳିତ ଗୋଲାପି ଟେଷ୍ଟ୍‌ରେ ଉଭୟ ପାଳିରୁ ୯ ୱିକେଟ୍‌ ନେଇ ସାରିଥିବା ଈଶାନ୍ତ ନିଜ ସଫଳତା ତଥା ଉତଥାନ ସମ୍ପର୍କରେ ଶନିବାର ମତ ରଖିଥିଲେ। ନିଜ ଆଭିମୁଖ୍ୟରେ ନବୀକରଣ କରିବାରୁ ସେ ବୋଲର ଭାବେ ଉନ୍ନତି କରିଥିବା ମଧ୍ୟ ସ୍ବୀକାର କରିଛନ୍ତି। ବିଗତ ୨ ବର୍ଷ ହେବ ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ପାଲଟିଥିବା ଈଶାନ୍ତ ଦଳର ପେସ୍ ଆକ୍ରମଣରେ ଅଗ୍ରଗତି କରିବା ଏବଂ ଭାରତକୁ ଟେଷ୍ଟ୍ କ୍ରିକେଟ୍‌ ମାନ୍ୟତାରେ ଏକ ନମ୍ବରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

‘ସବୁ ଫର୍ମାଟରେ ‌ନ‌ ଖେଳିବା କିଛି ମାତ୍ରାରେ ମୋତେ ବାଧିଥାଏ। କିନ୍ତୁ ମୁଁ ଜୀବନର ଏଭଳି ପର୍ଯ୍ୟାୟରେ ପହଞ୍ଚିଛି ଯେ ଏସବୁ ସମ୍ପର୍କରେ ଚିନ୍ତିତ ହେବା ବନ୍ଦ କରିଦେଇଛି। ମୋତେ ଏବେ ୩୧ ବର୍ଷ ହୋଇଗଲାଣି। କେଉଁ ଫର୍ମାଟରେ ମୋ ନାମ ଅଛି ନ ଅଛି ସେ ସମ୍ପର୍କରେ ଚିନ୍ତା କରିପାରିବି ନାହିଁ’ ବୋଲି ଈଶାନ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ମୁଁ ଭାରତ ପାଇଁ ଖେଳେ କି ରଣଜୀ ଟ୍ରଫିରେ ଦିଲ୍ଲୀ ପାଇଁ। ସାଧାରଣ କଥା ଭଲ ଖେଳିବାର ଆଭିମୁଖ୍ୟ ରଖିବା ମୋ ଉଦ୍ଦେଶ୍ୟ। କ୍ରିକେଟ୍ ଆମକୁ ସବୁ କିଛି ଦେଇଛି। ଆମେ ଯଦି ଏଭଳି ଛୋଟ କଥାକୁ ଧରି ବସିବୁ ତେବେ ଉନ୍ନତି କରିପାରିବୁ ନାହିଁ।

୨ ବର୍ଷ ତଳେ ଈଶାନ୍ତ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ୭୭ ଟେଷ୍ଟ୍‌ରୁ ୩୬.୯୩ ହାରରେ ୨୧୨ ୱିକେଟ୍ ନେଇଥିଲେ। ଏହି ଶୃଙ୍ଖଳା ପରଠାରୁ ଈଶାନ୍ତ ୧୯ ମ୍ୟାଚ୍‌ରୁ ୮୦ ୱିକେଟ୍ ନେଇ ସାରିଛନ୍ତି। ଜାହିର ଖାନ୍ ଯେଉଁ ହାରାହାରିରେ ନିଜ ଖେଳ ଜୀବନ ଶେଷ କରିଥ‌ିଲେ ଏବେ ଈଶାନ୍ତ ସେଭଳି ପଥରେ ରହିଛନ୍ତି। ଈଶାନ୍ତ ଯଦି ଆଉ ୪ ଟେଷ୍ଟ୍ ଖେଳନ୍ତି ତେବେ କପିଳ ଦେବଙ୍କ ପରେ ଦ୍ବିତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ଶତକ କ୍ଲବ୍‌ରେ ସାମିଲ ହେବେ। ‘ମୁଁ ଏବେ ମୋ କ୍ରିକେଟ୍‌କୁ ଢ଼େର ଉପଭୋଗ କରୁଛି। ପୂର୍ବରୁ ମୁଁ ପ୍ରଦର୍ଶନକୁ ନେଇ ନିଜ ଉପରେ ଚାପ ପକାଉଥିଲି। ୱିକେଟ୍‌ ନେବା ଏବଂ ବ୍ୟାଟସମ୍ୟାନଙ୍କୁ ପରାସ୍ତ କରିବା ଆଦି ଅନେକ କଥା ମୁଣ୍ଡରେ ଚାଲୁଥିଲା। ଏବେ କିନ୍ତୁ ଏସବୁ କଥା ଚିନ୍ତା କରୁନାହିଁ, ବରଂ ୱିକେଟ୍ ନେଉଛି। ପରିସ୍ଥିତିକୁ ପଢ଼ିବାରେ ବି ଅଭିଜ୍ଞତା ହୋଇଗଲାଣି, ନିଜ ଲେଙ୍ଗ୍‌ଥକୁ ତୁରନ୍ତ ସାଲିସ୍ କରିନେଇଛି। ଏହ‌ା ମୋ କାମକୁ ସହଜ କରି‌‌ ଦେଇଛି। ଦିବାରାତ୍ର ଟେଷ୍ଟ୍‌ରେ ଆମେ ୩ ପେସ୍ ବୋଲର ପରସ୍ପର ସହ ଆଲୋଚନା କରି ଠିକଣା ଯାଗାରେ ବୋଲିଂ କରିଛୁ ବୋଲି ଈଶାନ୍ତ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe