ଆଜିଠୁ କଳିଙ୍ଗରେ ଆଇଏସ୍‌ଏଲ୍‌ ମୁକାବିଲା, ଜାମ୍‌ସେଦପୁର ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି

Advertisment
ଆଜିଠୁ କଳିଙ୍ଗରେ ଆଇଏସ୍‌ଏଲ୍‌ ମୁକାବିଲା, ଜାମ୍‌ସେଦପୁର ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ୯ ମ୍ୟାଚ୍‌ ବାହାରେ ଖେଳିବା ପରେ ଶୁକ୍ରବାର ପ୍ରଥମ ଥର ଲାଗି ନିଜ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଛି। ପୂର୍ବରୁ ଦିଲ୍ଲୀ ଡାଇନାମୋସ ନାମରେ ଥିବା ଏହି ଦଳ ଚଳିତ ବର୍ଷ ଓଡ଼ିଶା ଏଫ୍‌ସିରେ ପରିଣତ ହୋଇଥି‌ଲା। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ଏହାର ଘରୋଇ ପଡ଼ିଆ ହେବା ସହ ଆଇଏସ୍‌ଏଲ୍‌ରେ ଓଡ଼ିଶାର ଏକ ଦଳ ସ୍ଥାନ ପାଇଥିଲା। ଏହି ଦଳ ଶୁକ୍ରବାର ନିଜ ‌ଘରୋଇ ପଡ଼ିଆରେ ପଡ଼ୋଶୀ ଜାମସେଦପୁରକୁ ଭେଟିବ।

ପ୍ରଥମ ଥର ଲାଗି ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ଯାଉଥିବାରୁ ଦଳର ସବୁ ଖେଳାଳି ଉତ୍ସାହିତ ଅଛନ୍ତି। ସଂପ୍ରତି ଦଳ ୯ ମ୍ୟାଚ୍‌ ଖେଳି ୨ ବିଜୟ, ୩ ଅମୀମାଂସିତ ଓ ୪ ପରାଜୟରୁ ୯ ପଏଣ୍ଟ୍‌ ସହ ଦଶ ଦଳୀୟ ପ୍ରତିଯୋଗିତାର ସପ୍ତମ ସ୍ଥାନରେ ରହିଛି। ଦଳ ଅଧା ମ୍ୟାଚ୍‌ ଖେଳି ସାରିଥିବାରୁ ପରବର୍ତୀ ପର୍ଯ୍ୟ‌ାୟରେ ପହଞ୍ଚିବା ଆଶା ପ୍ରାୟ କମି ଯାଇଛି। ତଥାପି ଭଲ ପ୍ରଦର୍ଶନ ସହ ପ୍ରତ୍ୟାବର୍ତନ ଆଶା ରଖିଛି ଓଡ଼ିଶା ଏଫ୍‌ସି। ଅନ୍ୟପକ୍ଷରେ ଜାମସେଦପୁର ୨୦୧୭-୧୮ ଆଇଏସ୍‌ଏଲ୍‌ ସଂସ୍କରଣରେ କଳିଙ୍ଗ ‌ଷ୍ଟାଡିୟମକୁ ନିଜର ଘରୋଇ ପଡ଼ିଆ କରିଥିଲା। ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମଧ୍ୟ ପାଇଥିଲା ହେଲେ ଚଳିତ ଥର ଓଡ଼ିଶାର ନିଜସ୍ବ ଦଳ ଖେଳୁଥିବାରୁ ଜାମସେଦପୁର ଏଥିରୁ ବଞ୍ଚିତ ହୋଇପାରେ। କିନ୍ତୁ ଓଡ଼ିଶା ଏଫ୍‌ସି ବିପକ୍ଷ ଘରୋଇ ମ୍ୟାଚ୍‌‌କୁ ଜାମସେଦପୁର ଜିତି ଗୋଟିଏ ପାଦ ଆଗରେ ରହିଛି। ସେପଟେ ପଏଣ୍ଟ୍‌ ତାଲିକାରେ ମଧ୍ୟ ଜାମସେଦପୁର (ଚତୁର୍ଥ ସ୍ଥାନ) ଓଡ଼ିଶାଠୁ ଉପରେ ରହିଛି। ଦଳ ଏ ପର୍ଯ୍ୟନ୍ତ ୯ ମ୍ୟାଚ୍‌ ଖେଳି ୩ ବିଜୟ, ୪ ଅମୀମାଂସିତ ଓ ୨ ପରାଜୟରୁ ୧୩ ପଏଣ୍ଟ୍‌ ପାଇଛି। ଏଠାରେ ମ୍ୟାଚ୍‌ ଜିତି ପୂରା ୩ ପଏଣ୍ଟ୍‌ କରାୟତ କରିବା ଲକ୍ଷ୍ୟରେ ରହିଛି ଜାମସେଦପୁର ଏଫ୍‌ସି। ଶୁକ୍ରବାର ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଥିଲେ। ଓଡ଼ିଶା ଦଳ ସକାଳ ୧୦ଟାରେ କରିଥିଲା ବେଳେ ଜାମସେଦପୁର ଅପରାହ୍ଣ ୪ଟାରେ ଅଭ୍ୟାସ କରିଥିଲା।

ପ୍ରଥମ ଥର ଲାଗି ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ଆମେ ଉତ୍ସାହିତ ରହିଛୁ। ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟ ଆମ ସହ ରହିବ ବୋଲି ଆଶା ରଖିଛୁ। ପୂର୍ବ ଭୁଲ୍‌ ସୁଧାରି ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ ଦେବାକୁ ଶତପ୍ରତିଶତ ଚେ‌ଷ୍ଟା କରିବୁ। ଶୁକ୍ରବାର ମ୍ୟାଚ୍‌ରେ ଆକ୍ରମଣାତ୍ମକ ଖେଳ ଖେଳି ଅଧିକ ବ୍ୟବଧାନରେ ଜିତିବାକୁ ଚେଷ୍ଟା କରିବୁ। ଏଥି ପାଇଁ ଅଭ୍ୟାସ ଜୋରଦାର ଚଳାଇଛୁ। ଖେଳାଳିଙ୍କ ପ୍ରଦର୍ଶନ ନେଇ ବହୁତ ଖୁସି ଅଛି ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସିର ପ୍ରଶିକ୍ଷକ ଜୋସେପ ଗୋମ୍ବାଉ। ଓଡ଼ିଆ ଖେଳାଳି ଶୁଭମ ଷଡ଼ଙ୍ଗୀଙ୍କ ସହ ନଦୀମ ଭଲ କରୁଛନ୍ତି। ଏମାନଙ୍କ ସହ ଦଳରେ ୪ ଜଣ ଯୁବ ଖେଳାଳି ଅଛନ୍ତି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ଦୃଢ଼ ରହିଛି। ଶେଷ ସମୟରେ କିଛି ଭୁଲ୍‌ ପାଇଁ ଗୋଲ୍‌ ବରଣ କରି ମ୍ୟାଚ୍‌ ହାତ ଛଡ଼ା କରୁଛୁ। ଏହାକୁ ସୁଧାରିବା ଲାଗି କାମ କରୁଛୁ। ଆମେ ୯ ପଏଣ୍ଟ୍‌ ସହ ସପ୍ତମ ସ୍ଥାନରେ ରହିଥିଲେ ମଧ୍ୟ ଆଗକୁ ବଡ଼ ବ୍ୟବଧାନ ବିଜୟ ଜାରି ରଖିଲେ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିବା ବାଟ ଖୋଲା ରହିବ ବୋଲି କହିଛନ୍ତି ଗୋମ୍ବାଉ। ପ୍ରଶିକ୍ଷକଙ୍କ ତତ୍ବାବଧାନରେ ଆମେ ପୂର୍ବ ଭୁଲ୍‌କୁ ସୁଧାରିବା ଲାଗି ଚେଷ୍ଟା କରୁଛୁ। ଜାମସେଦପୁରଠୁ ଆମେ ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲୁ। ହେଲେ ଶୁକ୍ରବାର ମ୍ୟାଚ୍‌ରେ ଏହି ଦଳକୁ ହରାଇ ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛୁ। ମ୍ୟାଚ୍‌ ପାଇଁ କ’ଣ ଯୋଜନା ଅଛି କାଲି ପଡ଼ିଆରେ ଦେଖାଇବୁ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସି ଖେଳାଳି ଗୌରବ ବୋରା। ଏହି ଦୁଇ ଜଣଙ୍କ ସହ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଡାନିଏଲ୍‌ ଲାଲହ୍ଲିମ୍ପୁଇଆ ଉପସ୍ଥିତ ଥିଲେ।

ଆମେ ଏବେ ପଏଣ୍ଟ୍‌ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛୁ। ଏହି ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ନୁହେଁ ୧-୨ରେ ରହିବା ଲାଗି ଆମେ ଯୋଜନା କରୁଛୁ। ଶୁକ୍ରବାର ମ୍ୟାଚ୍‌ ଜିତି ପୂରା ପଏଣ୍ଟ୍‌ କରାୟତ କରିବା ଲାଗି ଚାହିଁବୁ ବୋଲି କହିଛନ୍ତି ଜାମସେଦପୁର ଏଫ୍‌ସି ପ୍ରଶିକ୍ଷକ ଆଣ୍ଟୋନିଓ ଇରିଓଣ୍ଡୋ। ଗତବର୍ଷ ଆମେ କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ଖେଳି ୦-୨ରେ ହାରି ଯାଇଥିଲୁ। ତଥାପି ଆମକୁ ଦର୍ଶକଙ୍କ ସମର୍ଥନ ମିଳିଥିଲା। ପ୍ରାୟ ଦେଢ଼ ବର୍ଷ ପରେ ଆମେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛୁ। ‌ଏବେ କିନ୍ତୁ ଆମ ସମ୍ମୁଖରେ ଘରୋଇ ଦଳ ଥିବାରୁ ଦର୍ଶକଙ୍କ ସମର୍ଥନ ଅପରପକ୍ଷକୁ ଯିବ। ତଥାପି ଆମେ ଲଢ଼ୁ୍ଆ ଖେଳ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବୁ। ଆମର ଦୁଇ ଜଣ ‌ଖେଳାଳି ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି। ସେମାନେ ଶୀଘ୍ର ଦଳକୁ ଫେରିବାର ସମ୍ଭାବନା ରହିଛି। ଏମାନଙ୍କ ପରେ ବି ଆମ ଦଳ ସନ୍ତୁଳିତ ରହିଛି। ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ ଖେଳ ଉପରେ ଧ୍ୟାନ ଦେବୁ ବୋଲି କହିଛନ୍ତି ଦଳର ପୂରୋଭାଗ ଖେଳାଳି ସୁମିତ ପାସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe