ରାଉରକେଲା: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପକ୍ଷରୁ ଇସ୍ପାତ ଷ୍ଟାଡିୟମର ନବକଳେବର ହେବ। ଏହାସହ ଇସ୍ପାତ ଷ୍ଟାଡିୟମ ଓ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ମଧ୍ୟରେ ଥିବା ଖୋଲା ଜମିରେ ନୂତନ ଫୁଟବଲ୍ ଷ୍ଟାଡିୟମ ନିର୍ମାଣ କରାଯିବ। ଉଭୟ ପ୍ରକଳ୍ପ ପାଇଁ ପ୍ରାୟ ସାଢେ ୬ କୋଟି ବ୍ୟୟ ହେବ। ଇତିମଧ୍ୟରେ ଫୁଟବଲ୍ ଷ୍ଟାଡିୟମ ପାଇଁ ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଅତ୍ୟାଧୁନିକ ସୁବିଧା ଉପଲବ୍ଧ
ପ୍ରସ୍ତାବିତ ଫୁଟବଲ୍ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏଠାରେ ଏକ ପାଭିଲିଅନ୍, ଦର୍ଶକ ଗ୍ୟାଲେରୀ, ହାଇ-ମାଷ୍ଟ୍ ଲାଇଟ୍, ଚେଞ୍ଜିଂ ରୁମ୍, ଶୌଚାଳୟ, ଅଭ୍ୟାସ କ୍ଷେତ୍ର, ଦର୍ଶକଙ୍କ ପାଇଁ ବସିବାର ବ୍ୟବସ୍ଥା ରହିବ। ବର୍ଷସାରା ବ୍ୟବହାରଯୋଗ୍ୟତାକୁ ସୁନିଶ୍ଚିତ କରିବା ପାଇଁ ଟର୍ଫ୍ ଓ ଡ୍ରେନେଜ୍ ବ୍ୟବସ୍ଥା କରାଯିବ। ସେହିଭଳି ଇସ୍ପାତ ଷ୍ଟାଡିୟମ୍କୁ ଅତ୍ୟାଧୁନିକ ବ୍ୟବସ୍ଥା ସହ ନବୀକରଣ କରାଯିବ। ଏଠାରେ ୩ଟି ଉତ୍କୃଷ୍ଟ ମାନର ପିଚ୍ ନିର୍ମାଣ ହେବ। ପ୍ରତିଷ୍ଠିତ କ୍ୟୁରେଟର୍ ସମସ୍ତ ପିଚ୍ ତିଆରି କରିବେ। ଏହାସହ ପ୍ୟାଭିଲିଅନ୍, ଡ୍ରେସିଂ ରୁମ୍, ଗ୍ଲାସ୍ରୁମ୍, ଭିଭିଆଇପି ରୁମ୍, ପାଣି ସିଞ୍ଚନ ବ୍ୟବସ୍ଥା, ହାଇମାଷ୍ଟ୍ ଲାଇଟ୍ ଲାଗିବ।
ଆହୁରି ପଢ଼ନ୍ତୁ: BPUT Convocation: ବିକଶିତ ଓଡ଼ିଶା ପ୍ରତି ବହୁମୂଲ୍ୟ ଅବଦାନ ଦିଅ: ରାଜ୍ୟପାଳ
ଗ୍ୟାଲେରି ନବୀକରଣ କରାଯିବ
ଏତଦ୍ବ୍ୟତୀତ ଷ୍ଟାଡିୟମ ପାଇଁ ନୂତନ ରାସ୍ତା ଓ ନୂତନ ଫେନ୍ସିଂ ନିର୍ମାଣ ସହ ଗ୍ୟାଲେରି ନବୀକରଣ କରାଯିବ। ଉଭୟ ପ୍ରକଳ୍ପ ଇସ୍ପାତ ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ ​​କରିବା ତଥା କର୍ମଚାରୀ ଓ ସହରବାସୀଙ୍କ ମଧ୍ୟରେ ଫିଟନେସ୍, ମନୋରଞ୍ଜନର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଉଭା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/13/rourkela-stadium-2025-11-13-22-56-21.jpg)