‘ଓଡ଼ିଶା ପାଇଁ ଖେଳିବା ବେଳେ ଅଣନିଶ୍ବାସୀ ଲାଗୁଥିଲା’

ଚଳିତ ଏସିଆ କପ୍‌ରେ ହଂକଂର ପୁଣି ଥରେ ପ୍ରତିନିଧିତ୍ବ କରିବେ ଓଡ଼ିଆ କ୍ରିକେଟର୍ ଅଂଶୁମାନ ରଥ। ୭ବର୍ଷ ପରେ ଆଫଗାନିସ୍ତାନ ବିପକ୍ଷରେ ଏହି ୮ଦଳୀୟ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ସେ ଖେଳିବାର କାର୍ଯ୍ୟକ୍ରମ ରହିଛି।

Anshuman Rath

ଭୁବନେଶ୍ବର: ଚଳିତ ଏସିଆ କପ୍‌ରେ ହଂକଂର ପୁଣି ଥରେ ପ୍ରତିନିଧିତ୍ବ କରିବେ ଓଡ଼ିଆ କ୍ରିକେଟର୍ ଅଂଶୁମାନ ରଥ। ୭ବର୍ଷ ପରେ ଆଫଗାନିସ୍ତାନ ବିପକ୍ଷରେ ଏହି ୮ଦଳୀୟ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ସେ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏସିଆ କପ୍‌ ପୂର୍ବରୁ ଓଡ଼ିଶା କ୍ରିକେଟ୍ ଦଳ ସହ ଖେଳିଥିବା ଦୁଇଟି ଋତୁର ଅଭିଜ୍ଞତାକୁ ବର୍ଣ୍ଣନା କରି ଏହା ଖେଳ ଜୀବନର ଅନ୍ୟତମ ସଂଘର୍ଷପୂର୍ଣ୍ଣ ସମୟ ବୋଲି ଅଭିହିତ କରିଛନ୍ତି।

ଆଂଶୀ ଭାବେ ପରିଚିତ ଏହି ଶୀର୍ଷକ୍ରମ ବ୍ୟାଟର୍ ତଥା ସାମୟିକ ୱିକେଟ୍‌ରକ୍ଷକ କହିଛନ୍ତି, ଓଡ଼ିଶା ପାଇଁ ଦୁଇବର୍ଷ ଘରୋଇ କ୍ରିକେଟ୍ ଖେଳିବା ମୋ ପାଇଁ ମାନସିକ, ଶାରିରୀକ ଏପରିକି ଭାବନାତ୍ମକସ୍ତରରେ ବେଶ୍ କଷ୍ଟକର ଥିଲା। ଆଘାତ ଜନିତ ସମସ୍ୟା, ଓଜନ ବୃଦ୍ଧି, ଦଳୀୟ ଖେଳାଳିଙ୍କ ଅସହଯୋଗ ଏବଂ ଭିନ୍ନ ଡ୍ରେସିଂ ରୁମ୍ ସଂସ୍କୃତି ପାଇଁ କ୍ରିକେଟ୍‌ରୁ ମୋହଭଙ୍ଗ ହୋଇ ଚାଲିଥିଲା। କ୍ରିକେଟ୍ ମୋ ପାଇଁ ଯେମିତି ବୋଝ ପାଲଟିଯାଇଥିଲା। ମୁଁ ଦଳୀୟ ପରିବେଶ ଓ ସାଥୀ ଖେଳାଳିଙ୍କ ଉପସ୍ଥିତିକୁ ଭରପୂର ଉପଭୋଗ କରୁଥିବା ଭଳି ଜଣେ ବ୍ୟକ୍ତି। ହେଲେ ଓଡ଼ିଶା ଦଳ ସହ ଥିଲା ବେଳେ ମୋର ଏମିତି କିଛି ଭାବନା ମନକୁ ଆସୁ ନଥିଲା। ମୋ ଦକ୍ଷତା ଉପରେ ସନ୍ଦେହ କରୁଥିଲି। ବାରମ୍ବାର ନିଜକୁ ପ୍ରଶ୍ନ କରୁଥିଲି, ଏଠାରେ ମୁଁ କରୁଛି କ’ଣ? ଓଡ଼ିଶା କ୍ରିକେଟ୍‌ରେ ବରିଷ୍ଠ-କନିଷ୍ଠ ଭେଦଭାବ ବହୁତ। ଅନେକ ସମୟରେ କନିଷ୍ଠ ଖେଳାଳିଙ୍କୁ ନ୍ୟୂନ ଭାବେ ଦେଖାଯାଇଥାଏ। ଏପରିକି ମୁଁ ଚାମଚରେ ଭାତ-ଡାଲି ଖାଇବା ନେଇ ପରିହାସ କରାଯାଉଥିଲା। ଯେତେବେଳେ ଆପଣଙ୍କୁ କେହି ଶୁଣିବାର ନଥାନ୍ତି, କେହି ସମର୍ଥନ କରୁନଥା’ନ୍ତି, ସେତେବେଳେ ଏହା ସବୁଠୁ ବେଶି କଷ୍ଟ ଦେଇଥାଏ। ମାନସିକସ୍ତରରେ ଦୁର୍ବଳ ହେବା ସହ ଖେଳିବା ଲାଗି ଆପଣଙ୍କର ଆଗ୍ରହ ଓ ଆନ୍ତରିକତା କମି ଯାଇଥାଏ। ଏସବୁ ଦୁଶ୍ଚିନ୍ତା ଭିତରେ ମୁଁ ଦିନେ ମୋ ପିତାଙ୍କୁ ଫୋନ୍ କରି କାନ୍ଦି ପକାଇଥିଲି। କହିଥିଲି ମୁଁ ଦୁଇବର୍ଷ ଏଠି ଖେଳିଲି, ଆଉ ପାରିବିନି। 

ଓଡ଼ିଶାରେ ବରିଷ୍ଠ-କନିଷ୍ଠ ଭେଦଭାବ ବହୁତ
ପ୍ରଶିକ୍ଷକ ତାଙ୍କ ପସନ୍ଦ ଖେଳାଳିଙ୍କୁ ନିଅନ୍ତି
ହଂକଂ ଦଳକୁ ଫେରିଲେ ଅଂଶୁମାନ ରଥ

ଆଂଶୀ କହିଛନ୍ତି, ପ୍ରଶିକ୍ଷକଙ୍କର ନିଜନିଜର ପସନ୍ଦର ଖେଳାଳି ଥିଲେ। ସେମାନଙ୍କୁ ଅଧିକ ସୁଯୋଗ ଦେଉଥିଲେ। ଓଡ଼ିଶାରେ ଥିଲା ବେଳେ ମୁଁ ଏକପ୍ରକାର ଅଣନିଶ୍ବାସୀ ହୋଇଯାଇଥିଲି। ସେହି ଦୁଇବର୍ଷ ମୋ ପାଇଁ ଭୟାନକ ସମୟ ଥିଲା। ତେଣୁ ଏଣୁତେଣୁ ଖାଇ ମନ ଶାନ୍ତି କରୁଥିଲି। ଫଳରେ ମୋ ଓଜନ ୨୦ କିଲୋଗ୍ରାମ ବଢ଼ିଯାଇଥିଲା। ମୁଁ ଲକ୍ଷ୍ୟହୀନ ‌ହୋଇଯାଇଥିଲି ବୋଲି ଭାବବିହ୍ବଳ ଅଂଶୁମାନ ପ୍ରକାଶ କରିଥିଲେ। ୨୭ ବର୍ଷୀୟ ଅଂଶୁମାନ ୨୦୧୮ ମସିହାରେ ଦିନିକିଆ ଫର୍ମାଟ୍‌ରେ ଖେଳାଯାଇଥିବା ଏସିଆ କପ୍‌ରେ ହଂକଂର ଅଧିନାୟକ ଥିଲେ। ତେବେ ଭାରତରେ କ୍ୟାରିୟର୍ ଗଢ଼ିବା ଆଶାରେ ସେପ୍ଟେମ୍ବର ୨୦୧୯ରେ ଅଚାନକ ହଂକଂ ଜାତୀୟ ଦଳରୁ ଅବସର ନେଇ ଭାରତ ଚାଲି ଆସିଥିଲେ। 

ଉଲ୍ଲେଖଯୋଗ୍ୟ, ଅଂଶୁମାନଙ୍କୁ ନେଇ ପରିସଂଖ୍ୟାନ ଭିନ୍ନ କଥା କୁହେ। କାରଣ ଯେଉଁ ଦୁଇବର୍ଷ ସେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ, ସେଥିରେ ସେତେଟା ଭଲ ପ୍ରଦର୍ଶନ କରିପାରି ନଥିଲେ। ଏକଥା ଓଡ଼ିଶା କ୍ରିକେଟ୍ ସଂଘର ଜ‌ଣେ ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଦୋହରାଇଛନ୍ତି। ସେ ଓଡ଼ିଶାରୁ ଖେଳି ଆଇପିଏଲ୍ ଚୁକ୍ତି ଆଶାରେ ଆସିଥିଲେ। ଏହା ସମ୍ଭବ ନଥିଲା। ତାଙ୍କ ହତାଶାର ଏହା ହୁଏତ କାରଣ ହୋଇପାରେ। ଓଡ଼ିଶାରେ କାହା ସହ ପାତରଅନ୍ତର କରାଯାଇ ନଥାଏ ବୋଲି ସେ କହିଛନ୍ତି। ହଂକଂ ପକ୍ଷରୁ ୧୮ ଦିନିକିଆ ଏବଂ ୬୮ ଟ୍ବେଣ୍ଟି-୨୦ ଖେଳିଥିବା ଅଂଶୁମାନଙ୍କ ପରିବାର ହେଉଛନ୍ତି ଭୁବନେଶ୍ବର ସତ୍ୟନଗରର ମୂଳ ବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe