ସିଏସ୍‌କେ ଶିବିରରେ ଯୋଗଦେଲେ ଜାଦେଜା, ରାଇନାଙ୍କୁ ନେଇ ଅନିଶ୍ଚିତତା

ସିଏସ୍‌କେ ଶିବିରରେ ଯୋଗଦେଲେ ଜାଦେଜା, ରାଇନାଙ୍କୁ ନେଇ ଅନିଶ୍ଚିତତା

thekhabars.com

ମୁମ୍ବାଇ: ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଗାମୀ ଆଇପିଏଲ୍‌ ପୂର୍ବରୁ ସଂପ୍ରତି ମୁମ୍ବାଇରେ ଅଭ୍ୟାସରତ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଶିବିରରେ ଯୋଗ ଦେଇଛନ୍ତି। ଆଶା କରାଯାଉଥିବା ସମୟ ପୂର୍ବରୁ ସମ୍ଭବତଃ ସେ ଆଙ୍ଗୁଠି ଆଘାତରୁ ମୁକୁଳି ଯାଇଥିବେ। ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଜାଦେଜା ପ୍ରାୟ ତିନି ମାସ ଧରି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଗତ ଜାନୁଆରିରେ ଅଷ୍ଟ୍ରେଲିଆରେ ସିଡ୍‌ନି ଟେଷ୍ଟ୍‌ ପରଠାରୁ ସେ ଆଉ ଖେଳିନାହାନ୍ତି। ଏପରିକି ଚଳିତ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରୁ ମଧ୍ୟ ବଞ୍ଚିତ ରହିଛନ୍ତି। ବାଙ୍ଗାଲୋରସ୍ଥିତ ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମିରେ ଅଭ୍ୟାସ ଆରମ୍ଭ କରିବା ପରେ ସେଠାରୁ ମୁମ୍ବାଇ ପହଞ୍ଚିଥିଲେ। ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା ରହିଥିଲା ବେଳେ ଚେନ୍ନାଇ ଶିବିରରେ ଯୋଗଦେବା ପରେ ସେ ୭ ଦିନିଆ ବାଧ୍ୟତାପୂଳକ ସଂଗରୋଧରେ ରହିଛନ୍ତି। ଅଭ୍ୟାସ ବେଳେ ସେ ଠିକ୍‌ ଥିବା ଜଣାପଡ଼ିଛି ଏବଂ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବା ଆଶା ରହିଛି ବୋଲି କହିଛନ୍ତି ସିଏସ୍‌କେ ସିଇଓ କାଶୀ ବିଶ୍ବନାଥନ୍‌।

ରାଇନାଙ୍କୁ ନେଇ ଅନିଶ୍ଚିତତା
ସିଏସ୍‌କେରେ ଉପଅଧିନାୟକ ପଦ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଧୋନିଙ୍କ ସହଯୋଗୀ ଭାବେ ସୁରେଶ ରାଇନା ୨୦୦୮ରୁ ଆଇପିଏଲ୍‌ରେ ଉପଅଧିନାୟକ ଦାୟିତ୍ବ ତୁଲାଇ ଆସିଛନ୍ତି। ହେଲେ ଗତ ସଂସ୍କରଣରୁ ସେ ଓହରିଯିବା ପରେ ଦଳରେ ତାଙ୍କ ସ୍ଥାନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ସଂସ୍କରଣ ପାଇଁ ଉପଅଧିନାୟକ କିଏ ହେବ ଏବେ ବି ସିଏସ୍‌କେ ତାହା ସ୍ପଷ୍ଟ କରିନି। ଫଳରେ ଜାଦେଜା ହିଁ ଶ୍ରେଷ୍ଠ ବିକଳ୍ପ ହେବେ ବୋଲି କଳ୍ପନାଜଳ୍ପନା ଚାଲିଛି। ରାଇନା ତାଙ୍କ ପୂରୁଣା ପଦ ବଜାୟ ରଖିବା ସମ୍ଭବ ହୋଇନପାରେ ବୋଲି କହିଛନ୍ତି ବିଶ୍ବନାଥନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe