The Bridge
ଜୟପୁର: ରାଜସ୍ଥାନର ଜୟପୁରରେ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାଡିୟମ୍ ନିର୍ମାଣ ହେବାର ପରିକଳ୍ପନା କରାଯାଇଛି। ଜୟପୁର ଉପକଣ୍ଠରେ ପ୍ରସ୍ତାବିତ ଏହି ଷ୍ଟାଡିୟମ୍ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ବେଳେ ଦର୍ଶକଙ୍କ ପାଇଁ ୭୫,୦୦୦ ଆସନ ରହିବ। ଏହି ଷ୍ଟାଡିୟମ୍ ପ୍ରାୟ ୧୦୦ ଏକର ଜମିରେ ନିର୍ମାଣ ହେବ ବୋଲି କହିଛନ୍ତି ରାଜସ୍ଥାନ କ୍ରିକେଟ୍ ସଂଘ (ଆର୍ସିଏ) ସଂପାଦକ ମହେନ୍ଦ୍ର ଶର୍ମା। ଷ୍ଟାଡିୟମ୍ ପାଇଁ ଚୋମ୍ପ୍ ଗ୍ରାମରେ ଜମି ଚିହ୍ନଟ ହୋଇଯାଇଛି। ଏହି ଜମି ଜୟପୁର-ଦିଲ୍ଲୀ ରାଜପଥର ଜୟପୁରଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ। ଆସନ୍ତା ୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ଆଶା ରହିଥିବା ଶର୍ମା କହିଛନ୍ତି। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ (୧.୧୦ ଲକ୍ଷ ଆସନ) ଏବଂ ଅଷ୍ଟ୍ରେଲିଆର ମେଲ୍ବର୍ନ କ୍ରିକେଟ୍ ଷ୍ଟାଡିୟମ୍ (୧.୦୨ ଲକ୍ଷ ଆସନ) ପରେ ଏହା ବିଶ୍ବର ତୃତୀୟ ସର୍ବବୃହତ୍ ଷ୍ଟାଡିୟମ୍ର ମାନ୍ୟତା ପାଇବ। କ୍ରିକେଟ୍ ବ୍ୟତିରେକ ଏହି ଷ୍ଟାଡିୟମ୍ରେ ଇନ୍ଡୋର କ୍ରୀଡ଼ା, କ୍ରୀଡ଼ା ପ୍ରଶିକ୍ଷଣ ଏକାଡେମି, ଗୋଟିଏ କ୍ଲବ୍ ହାଉସ୍ ଏବଂ ୪୦୦୦ ଯାନ ରହିଲା ଭଳି ପାର୍କି ଅଞ୍ଚଳ ରହିବ ବୋଲି ଶର୍ମା କହିଛନ୍ତି। ଷ୍ଟାଡିୟମ୍ରେ ଦୁଇଟି ଅଭ୍ୟାସ ପଡ଼ିଆ ରହିବ। ଯାହାକି ରଣଜୀ ମ୍ୟାଚ୍ ପାଇଁ ବ୍ୟବହୃତ ହୋଇପାରିବ। ପୁଣି ଦର୍ଶକଙ୍କ ନିମନ୍ତେ ଦୁଇଟି ରେଷ୍ଟୁରାଣ୍ଟ୍, ଖେଳାଳିଙ୍କ ପାଇଁ ୩୦ ଅଭ୍ୟାସ ନେଟ୍ସ ଏବଂ ୨୫୦ ଲୋକ ବସିଲା ଭଳି ଏକ ସାମ୍ବାଦିକ ସମ୍ମଳନୀ ପ୍ରକୋଷ୍ଠ ରହିବ ବୋଲି ଶର୍ମା ସୂଚନା ଦେଇଛନ୍ତି।
ଏହି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଅର୍ଥ କେଉଁଠୁ ଆସିବ ସେନେଇ ମଧ୍ୟ ଶର୍ମା ସୂଚନା ଦେଇଛନ୍ତି। ଶର୍ମାଙ୍କ କହିବା କଥା ହେଲା ବିସିସିଆଇକୁ ଆମେ ୧୦୦ କୋଟି ଅନୁଦାନ ମାଗିଥିଲା ବେଳେ ସେ ଆର୍ସିଏକୁ ୯୦ କୋଟି ଟଙ୍କା ଦେବ ବୋଲି କହିଛି। ଏହାବାଦ୍ ଆର୍ସିଏ ୧୦୦ କୋଟି ଋଣ କରିବାକୁ ଥିଲା ବେଳେ ଷ୍ଟାଡିୟମ୍ର କର୍ପୋରେଟ୍ ବକ୍ସ ବିକ୍ରି କରି ୬୦ କୋଟି ଆୟ କରିବାର ଲକ୍ଷ୍ୟ ରଖିଛି। ଷ୍ଟାଡିୟମ୍ ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବା ପ୍ରସ୍ତାବ ରହିଛି। ପ୍ରଥମ ପର୍ଯ୍ୟାୟରେ ୪୫,୦୦୦ ଦର୍ଶକ କ୍ଷମତାବିଶିଷ୍ଟ ନିର୍ମାଣ ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୩୦,୦୦୦ ଆସନ ଯୋଡ଼ାଯିବ। ଦୁଇ ବର୍ଷ ଭିତରେ ପୂରା ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶର୍ମା କହିଛନ୍ତି।
Follow Us