ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ। ଗ୍ରେଗ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ନଥିବାରୁ ଏବେ ବିସିସିଆଇ ସଚିବ ଜୟ ଶାହା ଏହି ପଦବୀ ସମ୍ଭାଳିବେ ବୋଲି କୁହାଯାଉଛି। ଜୟ ଶାହାଙ୍କୁ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ କରାଯିବ ବୋଲି ଜଣାଯାଇଛି।
ତେବେ ଯଦି ଜୟ ଶାହ ଆଇସିସିର ଅଧ୍ୟକ୍ଷ ହୁଅନ୍ତି, ସେ ଆଇସିସିର ସବୁଠୁ କନିଷ୍ଠ ଅଧ୍ୟକ୍ଷ ହେବେ। ଜଗମୋହନ ଡାଲମିଆ, ଶରଦ ପୱାର, ଏନ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ପୂର୍ବରୁ ଆଇସିସିର ନେତୃତ୍ୱ ନେଇଥିଲେ।
ଆଇସିସି ଅଧ୍ୟକ୍ଷ ତିନି ଥର ୨ବର୍ଷିଆ କାର୍ଯ୍ୟକାଳ ପାଇଁ ଯୋଗ୍ୟ ହୋଇଥାନ୍ତି ଏବଂ ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ଏପର୍ଯ୍ୟନ୍ତ ୨ଥର ଆଇସିସି ଅଧ୍ୟକ୍ଷ ହୋଇସାରିଛନ୍ତି। ଏବେ ତାଙ୍କୁ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବାର ସୁଯୋଗ ମିଳିଥିଲେ ବି ସେ ଇଚ୍ଛୁକ ନଥିବା ସ୍ପଷ୍ଟ କରିଛନ୍ତି। ଏହା ଦ୍ବାରା ଜୟ ଶାହ ଆଗାମୀ ଅଧ୍ୟକ୍ଷ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।
ଆଇସିସି ନିୟମ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚନରେ ​​୧୬ଜଣ ଭୋଟର ଥାନ୍ତି। ଦେଖିବାକୁ ଗଲେ ଶାହାଙ୍କୁ ଆଇସିସି ବୋର୍ଡର ଅନ୍ୟତମ ପ୍ରଭାବଶାଳୀ ଚେହେରା ଭାବେ ବିବେଚନା କରାଯାଏ। ଭୋଟ ଦେବାକୁ ଥିବା ୧୬ଜଣଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ସହ ଶାହଙ୍କ ଭଲ ସମ୍ପର୍କ ରହିଛି। ତେଣୁ ଶାହ ହିଁ ଆଇସିସିର ନୂଆ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି।
Follow Us