ସେହି ବର୍ଷ, ଆଜିର ତାରିଖ : ଜୟସୂରିଆଙ୍କ କୀର୍ତ୍ତିମାନ, ୧୭ ବଲ୍‌ରୁ ଅର୍ଧଶତକ

Advertisment
ସେହି ବର୍ଷ, ଆଜିର ତାରିଖ :  ଜୟସୂରିଆଙ୍କ କୀର୍ତ୍ତିମାନ, ୧୭ ବଲ୍‌ରୁ ଅର୍ଧଶତକ

Hindustan Times

ନୂଆଦିଲ୍ଲୀ: ସେହି ବର୍ଷ (୧୯୯୭) ଆଜିର ତାରିଖ (ଏପ୍ରିଲ ୭) ଶ୍ରୀଲଙ୍କାର ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସନତ ଜୟସୂରିୟାଙ୍କ ପାଇଁ ସ୍ମରଣୀୟ ଥିଲା। ସିଙ୍ଗର କପ୍ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ୧୭ ବଲ୍‌ରେ କୀର୍ତ୍ତିମାନ ଭରା ଅର୍ଧଶତକ ହାସଲ କରିଥି‌ଲେ। ଭାରତ, ପାକିସ୍ଥାନ ଓ ଶ୍ରୀଲଙ୍କାକୁ ନେଇ ୧୯୯୭ ମସିହା‌ରେ ସିଙ୍ଗାପୁରଠାରେ ଆୟୋଜିତ ହୋଇଥିଲା ସିଙ୍ଗର କପ୍ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା। ଏସୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସାମ୍ନାରେ ନିଜର ସାହାସିକ ପ୍ରଦର୍ଶନ ଦେଖାଇବାର ସୁଯୋଗ ପାଇଥିଲା ନୂଆ କରି ବିଶ୍ବବିଜେତା (୧୯୯୬) ହୋଇଥିବା ଶ୍ରୀଲଙ୍କା। ଭାରତ ସଅଳ ଏହି ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ୨୩ ବର୍ଷ ତଳେ ଆୟୋଜିତ ଏହି ଫାଇନାଲ୍‌ (୧୯୯୭ ଏପ୍ରିଲ୍‌ ୭)ରେ ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କା ଓ ପାକିସ୍ତାନ। ଶ୍ରୀଲଙ୍କା ଅଧିନାୟକ ଅର୍ଜୁନ ରଣତୁଙ୍ଗା ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଜାଜ ଅହମ୍ମଦ (୫୧)ଙ୍କ ଅର୍ଧଶତକ ବଳରେ ପାକିସ୍ତାନ ୨୧୫ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ପାଇଁ ପାଳି ଆରମ୍ଭ କରିଥିବା ଜୟସୂରିଆ ପାକିସ୍ତାନ ବୋଲରଙ୍କ ନିଦ ହଜାଇ ଦେଇଥିଲେ। ୧୭ ବଲ୍‌ରେ ୫୦ ରନ୍‌ କରି ଦ୍ରୁତତମ ଅର୍ଧଶତକର କୀର୍ତ୍ତିମାନ କରିଥିଲେ। ଶେଷରେ ଜୟସୂରିଆ ‌୨୮ ବଲ୍‌ ଖେଳି ୮ ଚୌକା ଓ ୫ ଛକା ସହାୟତାରେ ୭୬ ରନ୍‌ରେ ଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ମାନେ ପ୍ୟାଭିଲିୟନ୍‌କୁ ଲାଇନ୍‌ ଲଗାଇଥିଲେ। ଜୟସୂରିୟାଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ଶ୍ରୀଲଙ୍କା ୧୭୨ ରନ୍‌ରେ ଅଟକି ଯାଇଥିଲା। ପାକିସ୍ତାନ ୪୩ ରନ୍‌ରେ ମ୍ୟାଚ୍‌ ଜିତି ଟ୍ରଫି କରାୟତ୍ତ କରିଥିଲା। ଅବଶ୍ୟ ୨୦୧୫ରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲିୟର୍ସ ୧୬ ବଲ୍‌ରୁ ଅର୍ଧଶତକ ହାସଲ କରି ଜୟସୂରିୟାଙ୍କ ଏହି କୀର୍ତ୍ତିମାନ ଭାଙ୍ଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe