କଲମ୍ବୋ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦଳର ବିପର୍ଯ୍ୟୟ ପରେ ଶ୍ରୀଲଙ୍କା ମୁଖ୍ୟ ପ୍ରଶିକ୍ଷକ ପଦ ଛାଡି ଦେଇଛନ୍ତି ପୂର୍ବତନ କ୍ରିକେଟର୍ ସନଥ ଜୟସୁରିୟା। ରବିବାର ରାତିରେ ପାକିସ୍ତାନ ନିକଟରୁ ୫ ରନ୍ର ରୋମାଞ୍ଚକ ପରାଜୟ ପରେ ଘରୋଇ ଶ୍ରୀଲଙ୍କା ପ୍ରଶଂସକଙ୍କୁ ବିଜୟରେ ବିଦାୟ ଦେଇପାରିନଥିଲା।
ଇସ୍ତଫା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଜଣାଇବେ ଜୟସୁରିୟା
ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲେ ମଧ୍ୟ ଶ୍ରୀଲଙ୍କା ସୁପର୍-୮ ପର୍ଯ୍ୟାୟରେ ଅତି ନିରାଶାଜନକ ପ୍ରଦର୍ଶନ କରିଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଦାସୁନ ଶଣକାଙ୍କ ଦଳ ୪ରୁ ୩ ଜିତିଥିଲେ ମଧ୍ୟ ସୁପର୍-୮ ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚ୍ ହାରିଯାଇଥିଲା। ଜୟସୁରିୟା ନିଜ ଇସ୍ତଫା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଶ୍ରୀଲଙ୍କା କ୍ରିକେଟ୍କୁ ଜଣାଇବେ ବୋଲି କହିଛନ୍ତି। ‘ମୋ ଚୁକ୍ତି ଜୁନ୍ ମାସ ପର୍ଯ୍ୟନ୍ତ ରହିଛି। କିନ୍ତୁ ଗତ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାଠାରୁ ମୁଁ ମନସ୍ଥ କରିଥିଲି ଲମ୍ବା ସମୟ ଦାୟିତ୍ବରେ ରହିବି ନାହିଁ। ତେବେ ବିଜୟର ଉଚ୍ଚତା ସହ ବିଦାୟ ନେବାର ଆଶା ବି ପୂରଣ ହୋଇପାରିଲା ନାହିଁ’ ବୋଲି ଜୟସୁରିୟା ପ୍ରକାଶ କରିଛନ୍ତି।
Follow Us