ମୁମ୍ବାଇ : ଯାହା କେବଳ ସଚିନ୍, ସେହବାଗ, ରୋହିତ କରିପାରିଥିଲେ ତାହା କରିଛନ୍ତି ଜଣେ ୧୬ ବର୍ଷର ବାଳିକା। ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ଏବେ ଏହି ବିରଳ କୀର୍ତ୍ତିମାନ ହାସଲ କରିବାରେ ସଫଳ ହୋଇଛନ୍ତି ମୁମ୍ବାଇର ଉଦୀୟମାନ ଯୁବ ବ୍ୟାଟ୍ସଓମାନ୍ ଜେମିମା ରଡ୍ରିଗେ୍ଵଜ୍। ମାତ୍ର ୧୬୩ ବଲ୍ରୁ ୨୦୨ ରନ୍ ସଂଗ୍ରହ କରିଥିବା ଜେମିମା ଭବିଷ୍ୟତରେ ଭାରତୀୟ ମହିଳା କ୍ରିକେଟ୍ ଜଗତରେ ଏକ ତାରକା ଭାବେ ଉଦ୍ଭାସିତ ହେବେ ବୋଲି ଏବେଠାରୁ ଆଭାସ ମିଳିସାରିଲାଣି।
ପ୍ରକୃତରେ ଜେମିମା ଏକ ବହୁମୁଖୀ ପ୍ରତିଭା। ୪ ବର୍ଷ ବୟସରୁ କ୍ରିକେଟ୍ ଖେଳ ଆରମ୍ଭ କରିଦେଇଥିଲେ। ତା’ ପୁଣି ପ୍ଲାଷ୍ଟିକ୍ କି ରବର ବଲ୍ରେ ନୁହେଁ, ଲାଲ ଟାଣ ବଲ୍ରେ। ମାତ୍ର ୧୩ ବର୍ଷ ବୟସରେ ସେ ମୁମ୍ବାଇ ଅଣ୍ଡର ୧୯ ଟିମ୍ରେ ନିଜ ସ୍ଥାନ ପକ୍କା କରିବାରେ ସଫଳ ହୋଇଥିଲେ। ବୋଲର ଭାବେ ଆସିଥିଲେ ହେଁ ଏବେ ଶୀର୍ଷକ୍ରମ ବ୍ୟାଟ୍ସଓମାନ୍ ଓ ଅଧିନାୟକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି।
ଜାତୀୟ ୧୯ ବର୍ଷରୁ କମ୍ ଘରୋଇ ମହିଳା କ୍ରିକେଟ୍ ପ୍ରତିଯୋଗିତାର ସୌରାଷ୍ଟ୍ର ବିପକ୍ଷ ଦିନିକିଆ ଲିଗ୍ ମ୍ୟାଚ୍ରେ ଜେମିମା ରବିବାର ଦ୍ୱିଶତକ ଜମାଇଛନ୍ତି। ଔରଙ୍ଗାବାଦ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସେ ୧୬୩ ବଲ୍ର ସାମ୍ନା କରି ୨୦୨ ରନ୍ର ଦମ୍ଦାର ପାଳି ଖେଳି ଅପରାଜିତ ମଧ୍ୟ ରହିଥିଲେ। ଦଳର ଏହି ଅଧିନାୟିକାଙ୍କ ପାଳିରେ ୨୧ ଚୌକା ସାମିଲ ଥିଲା। ଜେମିମାଙ୍କ ଏହି ଦ୍ୱିଶତକୀୟ ପାଳି ବଳରେ ମୁମ୍ବାଇ ନିର୍ଧାରିତ ୫୦ ଓଭରରେ ୨ ଓ୍ଵିକେଟ୍ ବିନିମୟରେ ୩୪୭ ରନ୍ର ବଡ଼ ସ୍କୋର୍ କରିଥିଲା। ଜବାବରେ ସୌରାଷ୍ଟ୍ର ପାଳିକୁ ମାତ୍ର ୬୨ ରନ୍ରେ ସଫା କରିଦେଇ ମୁମ୍ବାଇ ୨୮୫ ରନ୍ରେ ବିଜୟ ହାସଲ କରିଥିଲା। ଜେମିମା ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଦୁଇଟି ଶତକ ମଧ୍ୟ ମାରି ସାରିଛନ୍ତି। ୧୯ ବର୍ଷରୁ କମ୍ ସୁପର ଲିଗ୍ରେ ତାଙ୍କର ହାରାହାରି ରନ୍ ରେଟ୍ ୩୦୦ରୁ ଅଧିକ ରହିଛି।
ଜେମିମାଙ୍କ ଆଉ ଏକ ସଫଳତା ହେଲା, ସେ ଜଣେ ହକି ଖେଳାଳି। ସେ ୧୭ ବର୍ଷରୁ କମ୍ ବର୍ଗର ହକିରେ ମୁମ୍ବାଇର ପ୍ରତିନିଧିତ୍ୱ କରିଛନ୍ତି।
ଦିନିକିଆରେ ଦ୍ୱିଶତକ ଅର୍ଜନ କ୍ଷେତ୍ରରେ ଜେମିମା ମଧ୍ୟ ରୋହିତ ଶର୍ମା ଓ ସଚିନ୍ ତେନ୍ଦୁଲକରଙ୍କ ପରେ ତୃତୀୟ ମୁମ୍ବାଇ କ୍ରିକେଟର୍ ହୋଇଛନ୍ତିି। ନୂଆଦିଲ୍ଲୀର ବୀରେନ୍ଦ୍ର ସେହବାଗ ମଧ୍ୟ ଏହି ବିରଳ କ୍ଲବରେ ଅଛନ୍ତି। ଏହି ୩ ଜଣ ଦିନିକିଆ ଅନ୍ତର୍ଜାତୀୟରେ ଦ୍ୱିଶତକ ମାରିଥିବାବେଳେ ରୋହିତ ଶର୍ମା ଦୁଇ ଥର ଏଭଳି କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ଆଉ ମାତ୍ର ୨ ଜଣ (କ୍ରିସ୍ ଗେଲ୍ ଏବଂ ମାର୍ଟିନ୍ ଗପ୍ଟିଲ୍) ଦ୍ୱିଶତକ ଅର୍ଜନ କରିବାର ଗୌରବ ପାଇଛନ୍ତି।
Follow Us