ଆଉ ଗଡ଼ିବନି ଚକ୍‌ଡ଼ା ଏକ୍ସପ୍ରେସ୍‌; ଇଂଲଣ୍ଡ ସହ ପ୍ରଥମ ଓ ଶେଷ ମ୍ୟାଚ୍‌ ଖେଳିଲେ ଝୁଲଣ

Advertisment
ଆଉ ଗଡ଼ିବନି ଚକ୍‌ଡ଼ା ଏକ୍ସପ୍ରେସ୍‌; ଇଂଲଣ୍ଡ ସହ ପ୍ରଥମ ଓ ଶେଷ ମ୍ୟାଚ୍‌ ଖେଳିଲେ ଝୁଲଣ

କୋଲକାତା : ଭାରତୀୟ ମହିଳା କ୍ରିକେଟ୍‌ ଦଳର ସୁଇଂ ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ଝୁଲଣ ଗୋସ୍ବାମୀଙ୍କ ସେହି ଦ୍ରୁତ ବୋଲିଂ ଆଉ ଦେଖିବାକୁ ମିଳିବନି। ଦୀର୍ଘ ୧୯ ବର୍ଷ ଧରି ଭାରତୀୟ କ୍ରିକେଟକୁ ସେବା ଯୋଗ‌ାଇବା ପରେ ଶନିବାର ଐତିହାସିକ ଲର୍ଡ୍ସ ପଡ଼ିଆରେ ଚକ୍‌ଡ଼ା ଏକ୍ସପ୍ରେସ୍‌ ତାଙ୍କର ଶେଷ ମ୍ୟାଚ୍‌ ଖେଳିଛନ୍ତି। ୧୯୯୭ ମସିହା ବିଶ୍ବକପ୍‌ ମ୍ୟାଚ୍‌ରେ ଇଡେନ୍‌ ଗାର୍ଡେନ୍‌ରେ ଜଣେ ବଲ୍‌ ଗାର୍ଲ ଭାବେ ଆସିଥିବା ଝୁଲଣ, କାଥରିନ୍‌ ଫିଜ୍‌ପାଟ୍ରିକଙ୍କ ସୁଇଂ ବଲ୍‌କୁ ଦେଖି ପ୍ରଭାବିତ ହୋଇଥିଲେ। ଏହାପରଠୁ ସେ ନିୟମିତ ଭାବେ କ୍ରିକେଟ ଖେଳିବା ଜାରି ରଖିଥିଲା ବେଳେ ପରବର୍ତ୍ତି ସମୟରେ ସବୁକିଛି ଇତିହାସ ପାଲଟିଯାଇଥିଲା।

ଝୁଲଣଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ କ୍ରିକେଟ ମୋହରେ ପଡ଼ିଯାଇଥିଲେ। ଏମିତିକି ୧୯ ବର୍ଷ ହେବା ବେଳକୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କୁ ଭାରତୀୟ ଦଳ ପାଇଁ ଡକରା ଆସିଯାଇଥିଲା। ସେବେଠୁ‌ ସେ ଦୁଇ ଦଶନ୍ଧି ଧରି ମହିଳା କ୍ରିକେଟରେ ଆଧିପତ୍ୟ ବିସ୍ତାର କରିଆସିଥିଲା ବେଳେ ୨୦୦ରୁ ଅଧିକ ଦିନିକିଆ ୱିକେଟ ନେଇସାରିଛନ୍ତି। ଏକ ସଂଯୋଗକ୍ରମେ ଏବେ ସେ ପୁଣି ସେହି ସମାନ ଦଳ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍‌ ଖେଳିଛନ୍ତି।

publive-image

ଯେତେବେଳେ ବର୍ତ୍ତମାନର ଅଧିନାୟିକା ହରମନପ୍ରୀତ୍‌ କୌର ୨୦୦୯ ମସିହାରେ ପଦାର୍ପଣ ମ୍ୟାଚ୍‌ ଖେଳିଥିଲେ, ସେତେବେଳେ ଝୁଲଣ ଭାରତୀୟ ଦଳର ନେତୃତ୍ବ ନେଉଥିଲେ। ଝୁଲଣ କ୍ରିକେଟ ଖେଳ ଆରମ୍ଭ କରିବା ସମୟରେ ମହିଳାମାନଙ୍କ ପାଇଁ ଫିଟ୍‌ନେସ୍‌, ପ୍ରଶିକ୍ଷଣ ସୁବିଧା ବହୁତ କମ୍‌ ମିଳୁଥିଲା। ଏପରିକି ଦିନିକିଆ, ଟ୍ବେଣ୍ଟି-୨୦, ଟେଷ୍ଟ କ୍ରିକେଟ ଭଳି ସେମିତି କିଛି ନଥିଲା। ତେବେ ୨୦୦୬ରେ ଭାରତୀୟ ମହିଳାମାନେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲେ। ପରେପରେ କ୍ରିକେଟରେ ପ୍ରା‌ୟୋଜକ, ପ୍ରସାରଣ ତଥା ଫିଟ୍‌ନେସ୍‌ର ପ୍ରବେଶ ଯୋଗୁଁ ଏହାର ମାନ ବୃଦ୍ଧି ହୋଇଥିଲା। ଝୁଲଣ ମଧ୍ୟ ଧିରେଧିରେ ଏଥିରେ ନିଜକୁ ଖାପଖୁଆଇ ଦେଇଥିଲେ।

ମହିଳା କ୍ରିକେଟର ପ୍ରାରମ୍ଭିକ ସମୟ ଗୁଡ଼ିକରେ ଖେଳାଳିମାନେ ନିଜ ପକେଟ୍‌ରୁ ଖର୍ଚ୍ଚ କରି ବିଭିନ୍ନ ପ୍ରତିଯୋଗିତାରେ ଖେଳିବାକୁ ଯାଉଥିଲେ। ଝୁଲଣ ମଧ୍ୟ ଅନେକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି ଯେ ବୋଲିଂ ସ୍ପାଇକ୍‌ କିଣିବା ପାଇଁ ଓ ଦଳର ଗସ୍ତ ସମୟରେ ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ସେ ଖେଳ ଛାଡ଼ିଦେବା ପାଇଁ ଚିନ୍ତା କରିଥିଲେ। ଏଥିସହିତ ଆହତ ସମସ୍ୟା ତାଙ୍କ ପ୍ରଗତିରେ ବାଧ ଦେଉଥିଲା। ତଥାପି ସବୁକିଛିକୁ ଅତିକ୍ରମ କରି ଝୁଲଣ ଦୁଇଥର ବିଶ୍ବକପ୍‌ ଫାଇନାଲ୍‌ ଖେଳିବା ସୁଯୋଗ ପାଇଛନ୍ତି। କିନ୍ତୁ କୌଣସି ଥର ବିଜେତା ଟ୍ରଫି ହାତରେ ଧରିବା ସୌଭାଗ୍ୟ ତାଙ୍କୁ ମିଳିପାରିନାହିଁ। ଯାହାକି ତାଙ୍କର ବଡ଼ ଅବସୋସ ରହିଯାଇଛି।

publive-image BCCI.tv

ଝୁଲଣଙ୍କ ନାମରେ ନାମିତ ହେବ ଇଡେନ୍‌ ଗାର୍ଡେନ୍‌ ଗ୍ୟାଲେରି
ଝୁଲଣ ଗୋସ୍ବାମୀଙ୍କ ନିଷ୍ଠା, ଅବଦାନ ଓ ଭାରତ ପାଇଁ ଆଣିଥିବା ଗୌରବକୁ ଦୃଷ୍ଟିରେ ରଖି ବେଙ୍ଗଲ କ୍ରିକେଟ ସଂଘ (ସିଏବି) ତାଙ୍କ ନାମରେ ଇଡେନ୍‌ ଗାର୍ଡେନର ଏକ ଗ୍ୟାଲେରି ନାମିତ କରିବାକୁ ଘୋଷଣା କରିଛି। ଏଥିସହ ସିଏବି ପକ୍ଷରୁ ଝୁଲଣଙ୍କ ଶେଷ ମ୍ୟାଚ୍‌କୁ ଦକ୍ଷିଣ କୋଲକାତାର ଆଇନକ୍ସ ଅଡିଟୋରିୟମ୍‌ରେ ସିଧାପ୍ରସାରଣ କରାଯାଇଛି। ପାଖାପାଖି ୧୭୦ ଜଣ ମହିଳା କ୍ରିକେଟର, ସିଏବି ସଦସ୍ୟ ଓ କର୍ମକର୍ତ୍ତାମାନେ ଏହି ମ୍ୟାଚ୍‌ ଉପଭୋଗ କରିଛନ୍ତି। ସିଏବିର ବାର୍ଷିକ ସମାରୋହ ଅବସରରେ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରିବାକୁ ଯୋଜନା କରାଯାଇଥିବା ସଭାପତି ଅଭିଷେକ ଡାଲମିଆ ସୂଚନା ଦେଇଛନ୍ତି। ସିଏବି ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କ ଅନୁଯାୟୀ, ଅବସର ପରେ ଝୁଲଣଙ୍କୁ ମହିଳା କ୍ରିକେଟ୍‌ର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରାଯିବ। ଏବେ ତାଙ୍କୁ ବେଙ୍ଗଲ ମହିଳା କ୍ରିକେଟ ଦଳର ମେଣ୍ଟର ଭାବେ ରଖାଯାଇଥିଲା ବେଳେ ବିଭିନ୍ନ ସମୟରେ ଆବଶ୍ୟକୀୟ ପରାମର୍ଶ ସେ ଖେଳାଳିମାନଙ୍କୁ ଦେବେ।

publive-image Republic World

ଝୁଲଣଙ୍କ ଉପଲବ୍ଧି
ମହିଳା କ୍ରିକେଟ୍‌ରେ ଜଣେ ଶ୍ରେଷ୍ଠ ବୋଲରର ମାନ୍ୟତା ପାଇଥିବା ଝୁଲଣ ୨୦୦୬-୦୭ ଋତୁରେ ଭାରତକୁ ପ୍ରଥମ ଟେଷ୍ଟ ଶୃଙ୍ଖଳା ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ସମୟରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ବିଜୟ ତାଙ୍କ ଯୋଗୁଁ ସମ୍ଭବ ହୋଇଥିଲା। ଲିସେଷ୍ଟରରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଝୁଲଣ ନାଇଟ୍‌ ୱାଚ୍‌ମ୍ୟାନ ଭାବେ ବ୍ୟାଟିଂ କରିବାକୁ ଆସି ଅର୍ଧଶତକ ଅର୍ଜନ କରିବା ସହ ଦ୍ବିତୀୟ ଟେଷ୍ଟରେ ଉଭୟ ପାଳିରୁ ୧୦ ୱିକେଟ୍‌ (୫/୭୮, ୫/୪୫) ଅକ୍ତିଆର କରିଥିଲେ। ୨୦୦୭ରେ ଆଫ୍ରୋ-ଏସିଆ ପ୍ରତିଯୋଗିତା ପାଇଁ ଏସିଆ ଦଳରେ ସେ ସ୍ଥାନ ପାଇଥିଲା ବେଳେ ସେହି ବର୍ଷ ଆଇସିସି ତାଙ୍କୁ ଶ୍ରେଷ୍ଠ ମହିଳା କ୍ରିକେଟର୍‌ ପୁରସ୍କାର ପ୍ରଦାନ କରିଥିଲା। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ଅଧିନାୟିକା ଥିଲେ। ୨୦୧୦‌ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୨ରେ ଦ୍ବିତୀୟ ମହିଳା କ୍ରିକେଟର୍‌ ଭାବେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୧୮ ମସିହାରେ ଟ୍ବେଣ୍ଟି-୨୦ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ। ପରେ ପ୍ରଶିକ୍ଷକ ରମେଶ ପାୱାରଙ୍କ ଅଧିନରେ ସେ ଉଭୟ ଖେଳାଳି ଓ ବୋଲିଂ ପ୍ରଶିକ୍ଷକ ଭାବେ ଭାରତୀୟ ଦଳରେ ନିଯୁକ୍ତ ହୋଇଛନ୍ତି। ଝୁଲଣଙ୍କ ଜୀବନୀକୁ ନେଇ ପ୍ରୋସିତ୍‌ ରଏଙ୍କ ନିର୍ଦ୍ଦେଶନାରେ ‘ଚକ୍‌ଡ଼ା ଏକ୍ସପ୍ରେସ୍‌’ ନାମରେ ଏକ ସିନେମା ପ୍ରସ୍ତୁତ କରାଯାଇଥିଲା। ଅନୁଷ୍କା ଶର୍ମା ଏହି ସିନେମାରେ ଝୁଲଣଙ୍କ ଭୂମିକାରେ ଅଭିନୟ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe