ଜୋକୋଭିକ୍‌ଙ୍କୁ ଚତୁର୍ଥ ଓ୍ଵିମ୍ବଲ୍‌ଡନ୍‌ ଟ୍ରଫି

ଜୋକୋଭିକ୍‌ଙ୍କୁ ଚତୁର୍ଥ ଓ୍ଵିମ୍ବଲ୍‌ଡନ୍‌ ଟ୍ରଫି

RESTRICTED USAGE! The Championships 2018 at The All England Lawn Tennis Club, Wimbledon. Credit: AELTC/Karwai Tang

ଲଣ୍ଡନ୍‌: ସର୍ବିୟା ଟେନିସ୍‌ ତାରକା ତଥା ପୂର୍ବତନ ଶୀର୍ଷ ମାନ୍ୟତା ନୋଭାକ୍‌ ଜୋକୋଭିକ୍‌ ଚତୁର୍ଥ ଥର ଲାଗି ଓ୍ଵିମ୍ବଲ୍‌ଡନ୍‌ ଟ୍ରଫି କରାୟତ କରିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ଦ୍ୱାଦଶ ମାନ୍ୟତା ଜୋକୋଭିକ୍‌ ସିଧାସଳଖ ୬-୨, ୬-୨, ୭-୬ ସେଟ୍‌ରେ ଅଷ୍ଟମ ମାନ୍ୟତା ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌ଙ୍କୁ ହରାଇ ଦେଇଥିଲେ। ୨୦୧୧, ୨୦୧୪ ଏବଂ ୨୦୧୫ରେ ଏଠାରେ ମୁକୁଟ ହାତେଇଥିବା ଜୋକୋଭିକ୍‌ ୩ ବର୍ଷର ବ୍ୟବଧାନରେ ପୁଣି ଥରେ ଟ୍ରଫି ଜିତିବାରେ ସଫଳ ହୋଇଥିଲେ। ଓ୍ଵିମ୍ବଲ୍‌ଡନ୍‌ ବିଜୟ ସହ ଜୋକୋଭିକ୍‌ ୧୩ତମ ଗ୍ରାଣ୍ଡ ସ୍ଲାମ୍‌ ନିଜ ନାମରେ କରିଥିଲେ। ପ୍ରାୟ ୨୫ ମାସର ବ୍ୟବଧାନ ପରେ ସେ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ମୁକୁଟ ଜିତିଲେ। ଶେଷ ଥର ଲାଗି ସେ ୨୦୧୬ରେ ଫ୍ରେଞ୍ଚ୍‌ ଓପନ୍‌ ଜିତିଥିଲେ। ଗ୍ରାଣ୍ଡ୍‌ ସ୍ଲାମ୍‌ ମୁକୁଟ ହାତେଇବାରେ ସେ ଏବେ ଫେଡେରର୍‌ (୨୦)ଙ୍କଠୁ ୭, ରାଫେଲ୍‌ ନାଦାଲ୍‌ (୧୭)ଙ୍କଠୁ ୪ ଏବଂ ପିଟ୍‌ ସାମ୍ପ୍ରାସ୍‌ (୧୪)ଙ୍କଠୁ ଗୋଟିଏ ପଛରେ ରହିଛନ୍ତି। ଅନ୍ୟପକ୍ଷରେ ନିଜର ପୂର୍ବ ଦୁଇ ମ୍ୟାଚ୍‌ରେ ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ କୋର୍ଟରେ ଲଢ଼େଇ କରି ଆଣ୍ଡରସନ୍‌ ଶୀର୍ଷ ମାନ୍ୟତା ତଥା ପୂର୍ବ ବିଜେତା ଫେଡେରର୍‌ ଏବଂ ଜନ୍‌ ଇଜ୍‌ନର୍‌ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ହେଲେ ଫାଇନାଲ୍‌ରେ ଏହି କ୍ଲାନ୍ତ ଦକ୍ଷିଣ ଆଫ୍ରିକା ତାରକା ମାତ୍ର ୨ ଘଣ୍ଟା ୧୮ ମିନିଟ୍‌ରେ ଜୋକୋଭିକ୍‌ଙ୍କଠୁ ହାର୍‌ ମାନିଥିଲେ। ୪୧ ଗ୍ରାଣ୍ଡ୍‌ସ୍ଲାମ୍‌ ଏବଂ ୯ ଥର ଓ୍ଵିମ୍ବଲ୍‌ଡନ୍‌ ଖେଳିଥିବା ଆଣ୍ଡରସନ୍‌ ପ୍ରଥମ ଥର କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହିଗଲା। ମୋ ମନରେ ବେଳେ ବେଳେ ସନ୍ଦେହ ଆସୁଥିଲା, ପ୍ରତିଦ୍ୱନ୍ଦ୍ୱିତା ଲାଗି ଏହି ସ୍ତରକୁ ଫେରି ପାରିବି କି ନାହିଁ। ଫେରିବା ଲାଗି କୌଣସି ଭଲ ସ୍ଥାନ ନାହିଁ। ଏହା ହେଉଛି ଟେନିସ୍‌ର ପବିତ୍ର ସ୍ଥାନ। ଏହା ବହୁତ ଭଲ ବୋଲି ବିଜୟ ପରେ ଜୋକୋଭିକ୍‌ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe