DNA India
ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍ ଦଳର ବିଶ୍ବ କପ୍ ବିଜେତା ବ୍ୟାଟ୍ସମ୍ୟାନ୍ ଜୋସ୍ ବଟ୍ଟଲର୍ କରୋନା ବିପକ୍ଷ ଲଢ଼େଇ ପାଇଁ ପାଣ୍ଠି ସଂଗ୍ରହ ଦିଗରେ ଅଭିନବ ପ୍ରୟାସ କରିଛନ୍ତି। ପାଣ୍ଠି ସଂଗ୍ରହ ନିମନ୍ତେ ବଟ୍ଟଲର୍ ଗତ ବର୍ଷ ବିଶ୍ବକପ୍ ଫାଇନାଲ୍ରେ ପିନ୍ଧି ଥିବା ସାର୍ଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସାର୍ଟ ନିଲାମରୁ ମିଳିବାକୁ ଥିବା ଅର୍ଥ ରାଶି କରୋନା ଭୂତାଣୁ ବିପକ୍ଷରେ ଲଢ଼ୁଥିବା ଡାକ୍ତରଖାନାରେ ଜୀବନରକ୍ଷାକାରୀ ସରଞ୍ଜାମ କିଣା ପାଇଁ ଖର୍ଚ୍ଚ କରାଯିବ। ମଙ୍ଗଳବାର ରାତିରେ ବଟ୍ଟ୍ଲର୍ ଟ୍ବିଟର୍ ପୃଷ୍ଠାରେ ଏକ ଭିଡିଓ ଛାଡ଼ିଛନ୍ତି। ଏଥିରେ କହିଛନ୍ତି ଯେ ମୁଁ ବିଶ୍ବକପ୍ ଫାଇନାଲ୍ରେ ପିନ୍ଧିଥିବା ସାର୍ଟକୁ ନିଲାମ କରିବାକୁ ଚାହୁଁଛି। ଏଥିରୁ ମିଳିବାକୁ ଥିବା ଅର୍ଥ ରାଶି ରୟାଲ ବ୍ରମ୍ଟନ୍ ଓ ହାରେଫିଲ୍ଡ ଡାକ୍ତରଖାନର ଦାତବ୍ୟ ପାଣ୍ଠିକୁ ପ୍ରଦାନ କରାଯିବ। ଗତ ସପ୍ତାହରେ ଏହି ଦୁଇ ଡାକ୍ତରଖାନାରେ କରୋନା ଭୂତାଣୁରେ ପୀଡ଼ିତ ବ୍ୟକ୍ତିଙ୍କ ଲାଗି ଜୀବନ ରକ୍ଷାକାରୀ ସରଞ୍ଜାମ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଡାକ୍ତର, ନର୍ସମାନେ ନିଜ ନିଜ କାର୍ଯ୍ୟରେ ହେଳା କରୁନାହାନ୍ତି। ସେମାନେ ଆମଠୁ ଯଦି ସହଯୋଗ ମାଗୁଛନ୍ତି ଆମେ ଦେବାକୁ ଆଗେଇ ଆସିବା ଉଚିତ ବୋଲି ବଟ୍ଟଲର୍ କହିଛନ୍ତି।
ଗତବର୍ଷ ଆୟୋଜିତ ବିଶ୍ବକପ୍ ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମ ଥର ଲାଗି ଟ୍ରଫି ହାତେଇଥିଲା। ଏହି ମ୍ୟାଚ୍ରେ ବଟ୍ଟଲର ହାଲ୍କା ନୀଳ ରଙ୍ଗର ଏକ ପୂରାହାତ ଥିବା ଜର୍ସି ପିନ୍ଧିଥିଲେ। ବିଜୟ ପରେ ଏହି ଜର୍ସିରେ ଦଳର ସମସ୍ତ ଖେଳାଳି ଦସ୍ତଖତ କରିଥିଲେ। ନିଜର ବାର୍ତ୍ତାକୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚାଇବା ଲାଗି ବଟ୍ଟଲର୍ ଏହି ଭିଡିଓକୁ ଭାରତୀୟ ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ରୋହିତ ଶର୍ମା, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱାର୍ନ ଏବଂ ଦଳୀୟ ସାଥୀ ଇଅନ୍ ମୋର୍ଗାନ୍ଙ୍କୁ ଟ୍ୟାଗ୍ କରିଥିଲେ। କରୋନା ମୁକାବିଲା ଲାଗି ସମସ୍ତେ ନିଜ ନିଜର ସକ୍ଷମ ଅନୁଯାୟୀ ସହାୟତାର ହାତ ବଢ଼ାଇଛନ୍ତି। ଯେଉଁଥିରୁ ବୁଧବାର (ଏପ୍ରିଲ-୧) ସୁଦ୍ଧା ୬୫,୦୦୦ ପାଉଣ୍ଡ ରାଶି ସଂଗ୍ରହ ହୋଇପାରିଛି।
Follow Us