ଖେଳ ଛାଡ଼ିଲେ ଯୁବ ଅଲିମ୍ପିକ୍ସ ପଦକ ବିଜୟିନୀ ଜୁଡ଼ୋକା

Advertisment
ଖେଳ ଛାଡ଼ିଲେ ଯୁବ ଅଲିମ୍ପିକ୍ସ ପଦକ ବିଜୟିନୀ ଜୁଡ଼ୋକା

ଇମ୍ଫାଲ: ଦୁଇ ବର୍ଷ ତଳେ ବୁନେସ୍ ଏୟାର୍ସଠାରେ ଆୟୋଜିତ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମଣିପୁର ଜୁଡ଼ୋକା ତବାବୀ ଦେବୀ ଅଚାନକ ଖେଳ ଛାଡ଼ି ଦେଇଛନ୍ତି। ଅଜଣା କାରଣ ପାଇଁ ଜୁଡ଼ୋ ଖେଳିବାରେ ସେ ଆଉ ଆଗ୍ରହ ଦେଖାଉ ନାହନ୍ତି। ଯାହା ତାଙ୍କ ପ୍ରଶିକ୍ଷକମାନଙ୍କୁ ବିସ୍ମିତ ଓ ବିଚଳିତ କରିଛି। କାହିଁକି ଏବଂ କେଉଁ କାରଣ ପାଇଁ ଜୁଡ଼ୋ ଖେଳିବାରୁ ସେ ବିମୁଖ ହେଲେ, ସେହି କାରଣ ଖୋଜି ପାଉ ନାହାନ୍ତି। କାରଣ ପ୍ରଶିକ୍ଷକମାନେ ତାଙ୍କୁ ୨୦୨୪ ଅଲିମ୍ପିକ୍ସର ଅନ୍ୟତମ ପଦକ ବିଜେତା ଭାବେ ଦେଖୁଥିଲେ। ଏପରିକି ଗତ ବର୍ଷ ଜୁଲାଇ ମାସରେ ୪୮ ବର୍ଷ ବୟସରୁ କମ୍ ବର୍ଗରେ ତବାବୀ ମଧ୍ୟ ଏସିଆ ଓସେନିଆ କ୍ୟାଡେଟ୍ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଭାବେ ଯୁବ ଅଲିମ୍ପିକ୍ସରେ ପଦକ ଜିତିଥିବା ତବାବୀ କିନ୍ତୁ ଅଚାନକ ଉଭାନ ହୋଇ ଯାଇଛନ୍ତି। ଟେଲିଫୋନରେ ତାଙ୍କ ସହ ଯୋଗାଯୋଗ କଲା ବେଳେ କେବଳ ‘ଖେଳ ଛାଡ଼ିଦେଲି’ କହି ସେ ଫୋନ୍ କାଟି ଦେଇଥିଲେ। ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଜୁଡ଼ୋ ପ୍ରଶିକ୍ଷକ ଚିଙ୍ଗ୍ କେ ହୁଇରେମ ତବାବୀଙ୍କୁ ଜଣେ ପ୍ରତିଭାଶାଳୀ ଓ ଉଦୀୟମାନ ତାରକା ଭାବେ ବର୍ଣ୍ଣନା କରିବା ସହ ସମ୍ଭବତଃ ଜୁଡ଼ୋ ଉପରୁ ତାଙ୍କର ସରାଗ କମି ଯାଇଛି ବୋଲି କହିଛନ୍ତି।

ଗତବର୍ଷ କିନ୍ତୁ ସେ ନିଜର ଜଣେ ପୁରୁଣା ବନ୍ଧୁଙ୍କୁ ବିବାହ କରି ନେଇଥିବା ସୂଚନା ଦେଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ସରକାରଙ୍କ ବିକାଶ ଯୋଜନାରେ ସାମିଲ ଥିବା ୧୧ ଜୁଡ଼ୋକାଙ୍କ ତାଲିକାରୁ ତାଙ୍କ ନାମକୁ କିନ୍ତୁ ନିକଟରେ କାଟି ଦିଆଯାଇଛି। ୨୦୧୯ ମସିହା ସେପ୍ଟେମ୍ବର ମାସର ଅଲମାଟି ବିଶ୍ବ କ୍ୟାଡେଟ୍ ପ୍ରତିଯୋଗିତା ତବାବୀଙ୍କର ଶେଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିଲା। ଏହାର ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଥିଲେ। କର୍ଣ୍ଣାଟକ ଇନସ୍ପାୟାର ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ ତବାବୀ ୨୦୧୭ରୁ ପ୍ରଶିକ୍ଷଣ ନେଉଥିଲେ। ‌ହେଲେ ଲକଡାଉନ୍ ପାଇଁ ମାର୍ଚରୁ ଘରକୁ ଯାଇ ଆଉ ଫେରି ନାହାନ୍ତି। ଇନଷ୍ଟିଚ୍ୟୁଟର ପ୍ରଶିକ୍ଷକ ଜୀବନ ଶର୍ମା, ଦେବୀଙ୍କୁ ଭାରତୀୟ କ୍ରୀଡ଼ାର ଭବିଷ୍ୟତ ଭାବେ ବର୍ଣ୍ଣନା କରିବା ସହ ସେ ଆଉ କାହିଁକି ଖେଳ ଜାରି ରଖି ନାହାନ୍ତି, ସେଥିନେଇ ବିସ୍ମୟ ପ୍ରକଟ କରିଛନ୍ତି। ତବାବୀଙ୍କୁ ଖେଳକୁ ଫେରାଇ ଆଣିବା ଲାଗି ଜେଏସଡବଲ୍ୟୁ ତାଙ୍କ ପତିଙ୍କୁ ଚାକିରି ଯାଚି ସାରିଛି। ‌ହେଲେ କୌଣସି ସୁଫଳ ମିଳିନି। ଆଗାମୀ ସମୟରେ ହୁଏତ ତବାବୀଙ୍କ ମନ ବଦଳି ଯାଏ ବୋଲି ହୁରିଏମ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe