କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: କ୍ବାର୍ଟରରେ ଭାରତ-ବେଲଜିୟମ୍

Advertisment
କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: କ୍ବାର୍ଟରରେ ଭାରତ-ବେଲଜିୟମ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ପୁଲ୍ ପର୍ଯ୍ୟାୟରେ ନିଜ ନିଜ ଗ୍ରୁପ୍‌ର ପ୍ରଥମ ଦୁଇ ସ୍ଥାନରେ ରହି ଶନିବାର ବେଲଜିୟମ, ମାଲେସିଆ (ପୁଲ୍-ଏ), ଫ୍ରାନ୍ସ, ଭାରତ (ପୁଲ୍-ବି) କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ରବିବାର ପୁଲ୍-ସିର ପ୍ରଥମ ଦୁଇ ସ୍ଥାନରେ ରହି ନେଦରଲାଣ୍ଡ୍ସ ଓ ସ୍ପେନ୍ ଏହି ପର୍ଯ୍ୟାୟକୁ ଯାଇଛନ୍ତି। ସେହିଭଳି ପୁଲ୍‌ ଡି’ରୁ ଜର୍ମାନି ଓ ଆର୍ଜେଣ୍ଟିନା କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରିଛନ୍ତି।

ଆଜି ନେଦରଲାଣ୍ଡ୍ସ ୧୪-୦ରେ ପାକିସ୍ତାନକୁ, ସ୍ପେନ୍ ୯-୦ରେ କୋରିଆକୁ, ଆର୍ଜେଣ୍ଟିନା ୪-୩ରେ ପାକିସ୍ତାନକୁ ଏବଂ ଜର୍ମାନି ୧୧-୦ ଗୋଲ୍‌ରେ ଇଜିପ୍ଟକୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ର ଅବଶିଷ୍ଟ ଚାରିଟି ସ୍ଥାନ ଅଧିକାର କରି ନେଇଛନ୍ତି। ଡିସେମ୍ବର ପହିଲାରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲ୍‌ରେ ଆୟୋଜକ ଭାରତକୁ ବେଲଜିୟମ, ଫ୍ରାନ୍ସକୁ ମାଲେସିଆ, ଜର୍ମାନିକୁ‌ ସ୍ପେନ୍ ଏବଂ ନେଦରଲାଣ୍ଡକୁ ଆର୍ଜେଣ୍ଟିନା ଭେଟିବ।

କଳିଙ୍ଗରେ ଭାଙ୍ଗିଲା ଲକ୍ଷ୍ନୌ କୀର୍ତ୍ତିମାନ
କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ବିନା ଦର୍ଶକରେ ଖେଳାଯାଉଛି। ଏହା କିନ୍ତୁ ଖେଳାଳିଙ୍କ ଉତ୍ସାହ କିମ୍ବା ଦକ୍ଷତାକୁ କମାଇ ପାରିନାହିଁ। ଏହା ପୁଲ୍ ପର୍ଯ୍ୟାୟରେ ହୋଇଥିବା ଗୋଲ୍ ବର୍ଷାରୁ ସ୍ପଷ୍ଟ ହୋଇଛି। ଚଳିତ ବିଶ୍ବକପ୍‌ର ପୁଲ୍ ପର୍ଯ୍ୟାୟରେ ଖେଳାଯାଇଥିବା ୨୪ ମ୍ୟାଚ୍‌ରେ ୧୯୭ ଗୋଲ୍ ଦେଖିବାକୁ ମିଳିଛି। ଯାହା ଲକ୍ଷ୍ନୌରେ ୨୦୧୬ରେ ଆୟୋଜିତ ଗତ ସଂସ୍କରଣରେ ହୋଇଥିବା ମୋଟ ଗୋଲ୍‌ ସଂଖ୍ୟାଠାରୁ ଢେର ଅଧିକ।

publive-image

ଲକ୍ଷ୍ନୌରେ ଆୟୋଜିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଏକାଦଶ ସଂସ୍କରଣରେ ୪୪ ମ୍ୟାଚ୍ ଖେଳାଯାଇଥିଲା। ଏବଂ ସେଥିରେ ମ୍ୟାଚ୍ ପିଛା ମାତ୍ର ୪.୨ ହାରରେ ମୋଟ ୧୮୫ ଗୋଲ୍ ଦେଖିବାକୁ ମିଳିଥିଲା। ହେଲେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବାଦଶ ସଂସ୍କରଣର କେବଳ ପୁଲ୍ ପର୍ଯ୍ୟାୟରେ ତା’ଠାରୁ ୧୨ଟି ଗୋଲ୍ ଅଧିକ ହୋଇସାରିଲାଣି। ଆଉ ମ୍ୟାଚ୍ ଫିଛା ଗୋଲ୍ ହାର ହେଉଛି ୮.୨୧। ଏହାର କାରଣ ଆମେରିକା, କାନାଡା ଓ ପୋଲାଣ୍ଡ ଭଳି ଦୁର୍ବଳ ଦଳକୁ ୱାଇଲ୍ଡ କାର୍ଡ ମିଳିବା ବୋଲି ଅନେକ ହକି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe