କନିଷ୍ଠ ପୁରୁଷ ହକି ବିଶ୍ବକପ୍ : ରିଡ୍‌ଙ୍କ ମନ ଜିତିଲେ ସଞ୍ଜୟ

Advertisment
କନିଷ୍ଠ ପୁରୁଷ ହକି ବିଶ୍ବକପ୍ : ରିଡ୍‌ଙ୍କ ମନ ଜିତିଲେ ସଞ୍ଜୟ

ଭୁବନେଶ୍ବର: ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ହେଉଛି ଉଦୀୟମାନ ତାରକାଙ୍କ ମହାମେଳା। ସେଥିପାଇଁ ଏହି ବିଶ୍ବକପ୍‌ର ସ୍ଲୋଗାନ ‘ହାସ୍‌ଟ୍ୟାଗ୍‌ ରାଇଜିଂଷ୍ଟାର୍ସ’ ରଖାଯାଇଛି। ତେବେ ପୁଲ୍ ପର୍ଯ୍ୟାୟ ଶେଷ ହେବା ପରେ ଯେଉଁ କିଛି ଖେଳାଳି ହକିପ୍ରେମୀଙ୍କ ମନ ଜିତିବା ସହ ବିଶେଷଜ୍ଞଙ୍କୁ ପ୍ରଭାବିତ କରିଛନ୍ତି ସେଥିମଧ୍ୟରେ ନେଦରଲାଣ୍ଡ୍ସର ମାଇଲ୍ସ ବୁ‌କେନ୍ସ ପ୍ରଥମ ସ୍ଥାନରେ ରହିଛନ୍ତି। ବୁକେନ୍ସ ୩ ମ୍ୟାଚ୍‌ରୁ ବ୍ୟକ୍ତିଗତ ଭାବେ ୧୧ ଗୋଲ୍ ଦେଇ ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍ ସ୍କୋର ହୋଇ ରହିଛନ୍ତି। ତାଙ୍କ ପଛକୁ ଅଛନ୍ତି ଫ୍ରାନ୍ସର ତି‌‌ମୋଥି କ୍ଲେମେଣ୍ଟ। ସେ ୮ ଗୋଲ୍ ଦେଇଛନ୍ତି।

ଭାରତୀୟଙ୍କ ମଧ୍ୟରେ ସବୁଠାରୁ ବେଶି ପ୍ରଭାବିତ କରିଛନ୍ତି ୮ ଗୋଲ୍ ଦେଇଥିବା ସଞ୍ଜୟ। ସଞ୍ଜୟଙ୍କୁ ଭାରତୀୟ ବରିଷ୍ଠ ହକି ଦଳର ପୂର୍ବତନ ଦକ୍ଷ ଡ୍ରାଗ୍ ଫ୍ଲିକର ରୂପୀନ୍ଦର ପାଲ ସିଂହଙ୍କ ସହ ତୁଳନା କରାଯାଉଛି। ଚଣ୍ଡିଗଡ଼ର ଏହି ୬ ଫୁଟ ୩ ଇଞ୍ଚ ଉଚ୍ଚତା ବିଶିଷ୍ଟ ପ୍ରତିଭାବାନ ହକି ତାରକାଙ୍କୁ ଭାରତୀୟ ବରିଷ୍ଠ ହକି ଦଳର ଭବିଷ୍ୟତ ଭାବେ ବିବେଚନା କରାଯାଉଛି। ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ଙ୍କ ନଜର ମଧ୍ୟ ତାଙ୍କ ଉପରେ ପଡ଼ିସାରିଛି। ସଂଯୋଗବଶତଃ ଉଭୟ ରୂପୀନ୍ଦର ଏବଂ ୨୦ ବର୍ଷୀୟ ସଞ୍ଜୟ ଚଣ୍ଡିଗଡ଼ ହକି ଏକାଡେମିର ପ୍ରଶିକ୍ଷାର୍ଥୀ ହୋଇଥିଲା ବେଳେ ଉଭୟ ସମାନ ପ୍ରକାର ହକି ଖେଳନ୍ତି। ସଞ୍ଜୟ ମଧ୍ୟ ଓଡ଼ିଆ ତାରକା ସୁଦୀପ ଚିର୍ମାକୋଙ୍କ ସହ ୨୦୧୮ ମସିହାର ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ।

୨୦୧୭ ସ୍କୁଲ ଏସିଆନ୍ ଗେମ୍ସରେ ଭାରତ ତାଙ୍କ ନେତୃତ୍ବରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ସୁଦୀପ ମଧ୍ୟ ଚଳିତ ବିଶ୍ବକପ୍‌ରେ ୨ ଗୋଲ୍ ଦେଇ ବରିଷ୍ଠ ଦଳ ଲାଗି ନିଜ ଦାବିଦାର ଉପସ୍ଥାପନା କରିଛନ୍ତି। ନେଦରଲାଣ୍ଡ୍ସ, ଫ୍ରାନ୍ସ ଓ ଭାରତ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଏମାନେ ସମସ୍ତେ ଆହୁରି ଭଲକରିବାକୁ ବ୍ୟଗ୍ର ଅଛନ୍ତି।

ପୁଲ୍ ପର୍ଯ୍ୟାୟରେ ଭାରତ ସବୁଠୁ ଆକ୍ରାମକ
ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ପୁଲ୍ ପର୍ଯ୍ୟାୟରେ ଭାରତୀୟ ହକି ଦଳ ସବୁଠାରୁ ଆକ୍ରାମକ ଖେଳ ଖେଳିଛି। ଭାରତୀୟ ଦଳ ପ୍ରତିପକ୍ଷ ସର୍କଲରେ ସର୍ବାଧିକ ୧୧୬ ଥର ପ୍ରବେଶ କରିଛି। ଯାହା ଅନ୍ୟ ସମସ୍ତ ୧୫ ଦଳ ତୁଳନାରେ ଅଧିକ। ସେପଟେ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ନବାଗତ ଦଳ ଆମେରିକା ରକ୍ଷଣଭାଗରେ ସବୁଠାରୁ ଭଲ କରିଛି। ଏହି ଦଳ ପ୍ରତିପକ୍ଷର ୧୩ଟି ନିଶ୍ଚିତ ଗୋଲ୍ ସୁଯୋଗକୁ ନିଷ୍ଫଳ କରିଛି। ସେପଟେ ନେଦରଲାଣ୍ଡ୍ସ ସର୍ବାଧିକ ୨୯ ଗୋଲ୍ ଦେଇଛି।

ପ୍ରତିଯୋଗିତାର ପୁଲ୍ ପର୍ଯ୍ୟାୟରେ ୧୯୭ ଗୋଲ୍ ହୋଇଛି। ସେଥିମଧ୍ୟରୁ ୧୧୩ଟି ଫିଲ୍ଡ ଗୋଲ୍ ହୋଇଥିଲା ବେଳେ ୭୬ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ମିଳିଛି। ୮ ଗୋଲ୍ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଆସିଛି। ସେହିଭଳି ବିପଜ୍ଜନକ ଖେଳ ପାଇଁ ଅମ୍ପାୟାର ଖେଳାଳିଙ୍କୁ ୮୯ କାର୍ଡ ଦେଖାଇଛନ୍ତି। ସେଥିମଧ୍ୟରେ ରହିଛି ୬୫ ସବୁଜ କାର୍ଡ, ୨୪ ହଳଦିଆ କାର୍ଡ। ଭଲ କଥା ହେଲା ପୁଲ୍ ପର୍ଯ୍ୟାୟରେ କୌଣସି ଖେଳାଳିଙ୍କୁ ଲାଲ୍ କାର୍ଡ ମିଳିନି।

କ୍ବାର୍ଟର ଫାଇନାଲ୍‌ରୁ ସବୁ ମ୍ୟାଚ୍‌ର ସିଧାପ୍ରସାରଣ
ହକିପ୍ରେମୀଙ୍କୁ ସୋମବାର ବହୁତ ବଡ଼ ଖୁସି ଖବର ଦେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)। ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଉଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ସିଧାପ୍ରସାରଣ ଡିସେମ୍ବର ପହିଲା ଅର୍ଥାତ୍ କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟରୁ ଆରମ୍ଭ ହେବ ବୋଲି ଟ୍ବିଟ୍ କରି ଜଣାଇଛି ଏଫଆଇଏଚ୍। କରୋନା କଟକଣା ପାଇଁ ଏହି ୧୬ ଦଳିଆ ପ୍ରତିଯୋଗିତା ବିନା ଦର୍ଶକରେ ଖେଳାଯାଉଛି। ଷ୍ଟାଡିୟମ୍‌ରେ ବସି ଦେଖିବାର ସୁଯୋଗ ନଥିଲା ବେଳେ ପୁଲ୍ ପର୍ଯ୍ୟାୟରେ ଖେଳାଯାଇଥିବା ୨୪ ମ୍ୟାଚ୍‌ର ସିଧାପ୍ରସାରଣ କୌଣସି ଟେଲିଭିଜନ୍ ଚ୍ୟାନେଲରେ ବି ହେଉ ନଥିଲା।

ଯାହା ଓଡ଼ିଶା ସହ ସମଗ୍ର ବିଶ୍ବର ହକିପ୍ରେମୀଙ୍କୁ ନିରାଶ କରିଥିଲା। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଏଥିନେଇ ତିବ୍ର ଅସନ୍ତୋଷ ଜାହିର କରିଥିଲେ। ଏହି ବିଷୟରେ ‘ସମ୍ବାଦ’ରେ ମଧ୍ୟ ଖବର ପ୍ରକାଶ ପାଇଥିଲା।

ଶେଷରେ ହକିପ୍ରେମୀଙ୍କ ମନକଥା ବୁଝିଛି ଏଫ୍‌ଆଇଏଚ୍। ‘‘ଡିସେମ୍ବର ୧ ତାରିଖରୁ ୨୦୨୧ ଏଫ୍‌ଆଇଏଚ୍ ଓଡ଼ିଶା ହକି ପୁରୁଷ କନିଷ୍ଠ ବିଶ୍ବକପ୍‌ର ସିଧା ପ୍ରସାରଣ ଷ୍ଟାର୍‌ ସ୍ପୋର୍ଟସରେ ହେବ’’ ବୋଲି ଆଜି ଏଫ୍‌ଆଇଏଚ୍ ଟ୍ବିଟ୍ କରିଛି। ଏହି ଖବର ହକିପ୍ରେମୀଙ୍କୁ ଉଲ୍ଲସିତ କରିଛି। କାରଣ ଏବେ ସେମାନେ ଘରେ ବସି ବିଶ୍ବକପ୍‌ର ମଜା ନେଇ ପାରିବେ। ସୂଚନାଯୋଗ୍ୟ ଯେ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଗତ ସଂସ୍କରଣରେ ଭାରତ ବିଜେତା ହୋଇଥିଲା। ଏଥର ମଧ୍ୟ ଭାରତ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଏଣୁ ଭାରତ ଘରୋଇ ପରିବେଶରେ ଆଉ ଥରେ ବିଶ୍ବକପ୍ ଜିତିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe