କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ବେଲଜିୟମ ଜିତିଲା ପ୍ରଥମ ମ୍ୟାଚ୍

କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ବେଲଜିୟମ ଜିତିଲା ପ୍ରଥମ ମ୍ୟାଚ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ବୁଧବାରଠାରୁ ଆରମ୍ଭ ହୋଇଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଉଦଘାଟନୀ ମ୍ୟାଚ୍‌ରେ ବେଲଜିୟମ ବିଜୟୀ ହୋଇଛି। ନିଜ ପ୍ରଥମ କନିଷ୍ଠ ବିଶ୍ବକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଏହି ୟୁରୋପୀୟ ଦଳ ସକାଳେ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ନିଜ ଅଭିଯାନ ଆରମ୍ଭ କରିଥିଲା। ପୂରା ମ୍ୟାଚ୍‌ରେ ବେଲଜିୟମ ନିଜ ଦବ୍‌ଦବା ଜାରି ରଖିଥିଲା। ପ୍ରଥମ କ୍ବାର୍ଟରରେ ଦକ୍ଷିଣ ଆଫ୍ରିକା ଏହି ଦଳକୁ କଡ଼ା ଟକ୍କର ଦେଇଥିଲା।

ସେଥିପାଇଁ ପ୍ରଥମ ୧୫ ମିନିଟ୍‌ର ଖେଳ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ। ଦୁଇଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା। ହେଲେ ଏହା ପରେ ବେଲଜିୟମର ଗତି ଓ ରଣନୀତି ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା ଦକ୍ଷିଣ ଆଫ୍ରିକା। ଦ୍ବିତୀୟ କ୍ବାର୍ଟରରେ ଆଉ ଏକ ଗୋଲ୍ ଦେଇ ବେଲଜିୟମ ପ୍ରଥମାର୍ଦ୍ଧ ସୁଦ୍ଧା ୨-୧ରେ ଆଗୁଆ ରହିଥିଲା। ସେହିଭଳି ଦ୍ବିତୀୟାର୍ଦ୍ଧର ଦୁଇଟି କ୍ବାର୍ଟରରେ ଆଉ ତିନିଟି ଗୋଲ୍ ଦେଇ ଚାରିଟି ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ତାର ଏକମାତ୍ର ଗୋଲ୍ ପଞ୍ଚଦଶ ମିନିଟ୍‌ରେ ଦେଇଥିଲା। ଅନ୍ୟପକ୍ଷରେ ବେଲଜିୟମ ୭, ୨୪, ୪୫, ୫୫ ଓ ୫୮ ମିନିଟ୍‌ରେ କରିଥିଲା। ଯୁଗଳ ଗୋଲ୍ ଦେଇ ଏହି ଦଳର ତାରକା ଖେଳାଳି ଦୁଭେକୋଟ ରୋମନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ବିଶ୍ବକପ୍‌ର ପ୍ରଥମ ଗୋଲ୍ କିନ୍ତୁ ବେଲଜିୟମର ୭ ନମ୍ବର ଖେଳାଳି ଡିପ୍ଲସ୍ ଥିବାଉଟ୍ ଦେଇଥିଲେ। ପୂରା ମ୍ୟାଚ୍‌ର ଉଚ୍ଚମାନର ହକି ଦେଖିବାକୁ ମିଳିଥିଲା।

ମହକିଲା ମାଲେସିଆ: ଚିଲିକୁ ୨-୧ରେ ହରାଇଲା

publive-image

ପୁଲ-ଏ’ରେ ମାଲେସିଆ ମଧ୍ୟ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ଶେଷ ୫ ମିନିଟ୍‌ରେ ପ୍ରତିପକ୍ଷ ଚିଲି ଘନ ଘନ ଆକ୍ରମଣ କରି ଗୋଟିଏ ଗୋଲ୍ ଭରଣା କରିନେବା ସତ୍ତ୍ବେ ମାଲେସିଆ ୨-୧ରେ ବିଜୟୀ ହୋଇ ପୂରା ପଏଣ୍ଟ ଅମଳ କରିଥିଲା। ଏହି ମ୍ୟାଚ୍‌ରେ ମାଲେସିଆ ପାଖାପାଖି ଦୁଇ ତୃତୀୟାଂଶ ସମୟ ଆଧିପତ୍ୟ ବିସ୍ତାର କରିଥିଲା। ତଥାପି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା। ମ୍ୟାଚ୍ ତଥା ମାଲେସିଆ ପକ୍ଷରୁ ପ୍ରଥମ ଗୋଲ୍ ୩୪ ମିନିଟ୍‌ରେ କମରୁଲଜମନ କମରୁଦ୍ଦିନ ଦେଇଥିଲେ। ୯ ମିନିଟ୍ ପରେ ସିରମନ୍ ମ୍ୟାଟ୍ ଆଉ ଏକ ଗୋଲ୍ ଦେଇ ମାଲେସିଆକୁ ୨-୦ରେ ଆଗୁଆ କରିଦେଇଥିଲେ। ମ୍ୟାଚ୍ ଏହି ସ୍କୋରଲାଇନ୍‌ରେ ଶେଷ ହେବା ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଚିଲି ପକ୍ଷରୁ ୫୯ ମିନିଟ୍‌ରେ ସେବିସ୍ତିଆନ୍ ଓଲାନସ୍କି ଏକ ସୁନ୍ଦର ଗୋଲ୍ ଦେଇ ନିଜ ଦଳର ପରାଜୟ ବ୍ୟବଧାନକୁ କମାଇଥିଲେ। ମ୍ୟାଚ୍‌ର ତିନିଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ମିଳିଥିଲା। ପୂର୍ବରୁ ଓଡ଼ିଶା ସନ୍ତରଣ ସଂଘର ସଭାପତି ପ୍ରତାପ କୁମାର ପାଢ଼ୀ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ପରେ କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମାଲେସିଆର ଅମିରୁଲ ଆଝାରଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe