କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ସଞ୍ଜୟଙ୍କ ହ୍ୟାଟ୍ରିକ୍ ସତ୍ତ୍ବେ ହାରିଲା ଭାରତ

Advertisment
କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ସଞ୍ଜୟଙ୍କ ହ୍ୟାଟ୍ରିକ୍ ସତ୍ତ୍ବେ ହାରିଲା ଭାରତ

ଭୁବନେଶ୍ବର: ଆୟୋଜକ ଭାରତ ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଅଭିଯାନ ପରାଜୟରୁ ଆରମ୍ଭ କରିଛି। ବୁଧବାର ରାତିରେ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍‌ରେ ଦୁଇ ଥର ବିଜେତା ଭାରତ ଆତ୍ମବିଶ୍ବାସରେ ଭରପୁର ଫ୍ରାନ୍ସଠାରୁ ୪-୫ ଗୋଲ୍‌ରେ ହାରିଯାଇଛି। ଭାରତ ଲଢ଼ୁଆ ପ୍ରଦର୍ଶନ କରିବା କିନ୍ତୁ ହକିପ୍ରେମୀଙ୍କୁ ଉତ୍ସାହିତ କରିଛି।

ଆଜି ଉଦ୍‌ଘାଟନୀ ଦିବସର ଶେଷ ମୁକାବିଲାରେ ଆୟୋଜକ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ୟୁରୋପୀୟ ଶକ୍ତିି ଫ୍ରାନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ କିନ୍ତୁ ଆରମ୍ଭରୁ ଚାପରେ ରହିଥିଲା। ଖେଳ ଆରମ୍ଭ ହେବାର ୫୦ ସେକେଣ୍ଡ ଭିତରେ ହିଁ ଆତ୍ମବିଶ୍ବାସଭରା ଫ୍ରାନ୍ସ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳକୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲା। ଭାରତୀୟ ରକ୍ଷଣଭାଗ କିଛି ବୁଝିବା ପୂର୍ବରୁ ଫ୍ରାନ୍ସର ୧୦ ନମ୍ବର ଖେଳାଳି ତଥା ଅଧିନାୟକ ତିମୋଥି କ୍ଲେମେଣ୍ଟ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରିଦେଇଥିଲେ।

publive-image

ଫ୍ରାନ୍ସର ଆକ୍ରମଣ କିନ୍ତୁ ସେତିକିରେ ସୀମିତ ରହି ନଥିଲା। ଭାରତୀୟ ଖେଳାଳିଙ୍କ ତାଳମେଳରେ ଥିବା ଦୁର୍ବଳତାରୁ ପୂରା ଫାଇଦା ଉଠାଇ ଫ୍ରାନ୍ସର ୧୧ ନମ୍ବର ଖେଳାଳି ବେଞ୍ଜାମିନ ମାର୍କ୍ବେ ସପ୍ତମ ମିନିଟ୍‌ରେ ଆଉ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ଦଳକୁ ୨-୦ରେ ଆଗୁଆ କରିଦେଇଥିଲେ। ତେବେ ୬ ମିନିଟ୍ ବ୍ୟବଧାନରେ ଦୁଇଟି ଗୋଲ୍ ଖାଇଥିବା ଭାରତ ଅବଶ୍ୟ ନବମ ମିନିଟ୍‌ରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ୧୬ ନମ୍ବର ଜର୍ସି ପିନ୍ଧି ଖେଳୁଥିବା ଉତ୍ତମ ସିଂହ ଭାରତକୁ ପ୍ରଥମ ଗୋଲ୍ ଉପହାର ଦେଇଥିଲେ।

ସେହିଭଳି ପ୍ରଥମ କ୍ବାର୍ଟରର ଶେଷ ମିନିଟ୍‌ରେ ଭାରତ ପୁଣି ଥରେ କମାଲ କରିଥିଲା। ସଂଜୟ ଅପୂର୍ବ ହକି କଳା କୌଶଳର ପରିଚୟ ଦେଇ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରିଥିଲେ। ଫଳରେ ପ୍ରଥମ କ୍ବାର୍ଟରରେ ଉଭୟ ଦଳ ଦୁଇଟି ଲଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ। ପ୍ରଥମ କ୍ବାର୍ଟରରେ ଚାରିଟି ଗୋଲ୍ ହେବା କିନ୍ତୁ ଏକ ନିଆରା ଘଟଣା ଥିଲା। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ଫ୍ରାନ୍ସ ଅଧିନାୟକ ତିମୋଥିଙ୍କ ଦ୍ବିତୀୟ ଗୋଲ୍ (୨୩ ମିନିଟ୍) ବଳରେ ପୁଣି ଥରେ ଆଗୁଆ ହୋଇଯାଇଥିଲା।

ସେହିଭଳି ତୃତୀୟ କ୍ବାର୍ଟରରେ ତିମୋଥିଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଫ୍ରାନ୍ସ ୪-୨ରେ ଆଗୁଆ ହେବା ସହ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା। ଏହା ମଧ୍ୟ ଚଳିତ ବିଶ୍ବକପ୍‌ର ପ୍ରଥମ ହ୍ୟାଟ୍ରିକ୍ ଥିଲା। ଚତୁର୍ଥ କ୍ବାର୍ଟର ଆରମ୍ଭରୁ ଫ୍ରାନ୍ସ ପୁଣି ଥରେ ଆକ୍ରମଣ କରି ସଫଳ ହୋଇଥିଲା। ୪୮ ମିନିଟ୍‌ରେ କୋରେଣ୍ଟିନ ସେଲରଙ୍କ ଫିଲ୍ଡ ଗୋଲ୍ ବଳରେ ଫ୍ରାନ୍ସ ୫-୨ରେ ଆଗୁଆ ହେବା ସହ ବିଜୟ ସମ୍ଭାବନା ବଢ଼ାଇଥିଲା। ଭାରତ ଅବଶ୍ୟ ଖେଳ ଶେଷ ହେବାର ୩ ମିନିଟ୍ ପୂର୍ବରୁ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌କୁ ଅମୀମାଂସିତ ରଖିବାକୁ ଭରପୁର ଚେଷ୍ଟା କରିଥିଲା। ହେଲେ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇଥିଲା। ଭାରତ ପକ୍ଷରୁ ସଞ୍ଜୟ ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ଶେଷ ଦୁଇଟି ଗୋଲ୍ ସଂଜୟ ଦେଇଥିଲେ। ତିମୋଥି ତାଙ୍କ ଲଢ଼ୁଆ ଖେଳ ପାଇଁ ଖେଳମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିଥିଲେ।

ଆରମ୍ଭରୁ ଫୁସ୍‌କିଲା ପାକିସ୍ତାନ: ଜର୍ମାନି ୫-୨ରେ ବିଜୟୀ

publive-image

ଆୟୋଜକ ଭାରତ ସହ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳ ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ଦଳ ଥିଲା। ପାରମ୍ପରିକ ଭାବେ ଏକ ହକି ମହାଶକ୍ତି ଭାବେ ପରିଚିତ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ କିଛି ଗୋଟାଏ ଧମାକା କରିବ ବୋଲି ଆଶା କରାଯାଉଥିଲା। ହେଲେ ଏଭଳି କିଛି ଘଟିନଥିଲା। ତାଳମେଳର ଘୋର ଅଭାବ ସହ ଏହି ଦଳ କୌଣସି ଶକ୍ତିଶାଳୀ ରଣନୀତି ନଥାଇ ପଡ଼ିଆକୁ ଓହ୍ଲାଇଲା ଭଳି ଲାଗିଥିଲା। ଗୋଲ୍ ରକ୍ଷକଙ୍କ ସହ ଆଉ କିଛି ଖେଳାଳି ବ୍ୟକ୍ତିଗତ ଚମକ ଦେଖାଇଥିଲେ। କିଛି କିଛି ନିର୍ଦ୍ଦିଷ୍ଟ ସମୟରେ ଭଲ ଖେଳିଥିଲେ ମଧ୍ୟ ଦଳଗତ ଭାବେ ପୂରା ନିରାଶ କରିଥିଲା। ସେଥିପାଇଁ ଜର୍ମାନି ବିପକ୍ଷ ନିଜ ପ୍ରଥମ ମ୍ୟାଚ୍‌ରେ ବୃହତ୍ ପରାଜୟ ବରଣ କରିଥିଲା। ପ୍ରତିଯୋଗିତାର ସବୁଠାରୁ ସଫଳ ଦଳ ଜର୍ମାନି ସମସ୍ତଙ୍କ ନଜର ଥିବା ପାକିସ୍ତାନ ଦଳକୁ ୫-୨ ଗୋଲ୍‌ରେ ପରାସ୍ତ କରି ଷ୍ଟାଇଲ୍‌ରେ ନିଜ ଅଭିଯାନ ଆରମ୍ଭ କରିଥିଲା। ଜର୍ମାନି ପାଇଁ ମାଇକେଲ ଷ୍ଟଥର୍ପ (୧ ମିନିଟ୍), ରୋବର୍ଟ ଡକ୍ସଚିୟର (୧୪, ୫୪ ମିନିଟ୍), ସିଗବର୍ଗ ମ୍ୟାକ୍ସିମିଲାନ (୧୯ ମିନିଟ୍) ଓ ବେନେଡିକ୍ଟ ସ୍କାରଝାପ୍ତ (୨୨ ମିନିଟ୍) ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ମହମ୍ମଦ ହମଦୁଦ୍ଦିନ (୧୮ ମିନିଟ୍) ଓ ଅବଦୁଲ ସାହିଦ (୪୯ ମିନିଟ୍) ଗୋଲ୍ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ଅଲିମ୍ପିଆନ୍ ଲାଜରୁସ ବାର୍ଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ମ୍ୟାଚ୍ ପରେ କରାଟେ କୁଇନ୍ ଭାଲିନା ଭାଲେଣ୍ଟିନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ରୋବର୍ଟ ଡକ୍ସଚିୟରଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ପୋଲାଣ୍ଡଠୁ ଲଢ଼ିକି ହାରିଲା କାନାଡା

ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଓହରିବା ପରେ ୱାଇଲ୍ଡ କାର୍ଡ ଯୋଗେ ଚଳିତ କନିଷ୍ଠ ପୁରୁଷ ବିଶ୍ବକପ୍ ହକିରେ ସାମିଲ ହୋଇଥିଲେ କାନାଡା, ପୋଲାଣ୍ଡ ଓ ଆମେରିକା। ଏମାନଙ୍କ ମଧ୍ୟରୁ ବୁଧବାର ପ୍ରଥମ ଦିନରେ କାନାଡା ଓ ପୋଲାଣ୍ଡ ମୁହାଁମୁହିଁ ହୋଇଥିଲେ। କାନାଡା ୦-୧ରେ ମ୍ୟାଚ୍ ହାରିଥିଲା। ହେଲେ ଲଢ଼ୁଆ ହକି ଖେଳି ସମସ୍ତଙ୍କ ମନ ଜିତି ନେଇଥିଲା। ଅନ୍ୟପକ୍ଷରେ ପୋଲାଣ୍ଡ ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଦୁଇ ଅନଭିଜ୍ଞ ଦଳଙ୍କ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା। ତେବେ ଦ୍ବିତୀୟାର୍ଦ୍ଧର ଚତୁର୍ଥ ମିନିଟ୍‌ରେ ଦେଇଥିବା ଗୋଲ୍ ବଳରେ ପୋଲାଣ୍ଡ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଏହି ଗୋଲ୍‌ଟିକୁ ୧୧ ନମ୍ବର ଖେଳାଳି ଏରିକ ବେମ୍ବନେକ ଦେଇଥିଲେ। ପେନାଲ୍ଟି କର୍ଣ୍ଣରରୁ ସେ ଏହି ଗୋଲ୍‌ଟିକୁ ଅର୍ଜନ କରି ନେଇଥିଲେ। ମ୍ୟାଚ୍‌ର ଅବଶିଷ୍ଟ ସମୟରେ ବହୁ ଚେଷ୍ଟା ସତ୍ତ୍ବେ କାନାଡା ଗୋଲ୍‌ଟିକୁ ଶୁଝି ପାରିନଥିଲା। ଏହି ମ୍ୟାଚ୍ ଆରମ୍ଭରୁ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ଶେଷରେ ବିଗତ ଦିନର ତାରକା ଆଥଲେଟ୍ ପ୍ରଣତି ମିଶ୍ର ଅତିଥି ଭାବେ ଯୋଗ ଦେଇ ପୋଲାଣ୍ଡର ୮ ନମ୍ବର ଖେଳାଳି ୟାକୁବ ଚୁମେନଚୁକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe