କନିଷ୍ଠ ମହିଳା ହକି ବିଶ୍ବକପ୍‌: ଭାରତୀୟ ଦଳରେ ଆଜମିନା ଓ ଜୀବନକିଶୋରୀ

Advertisment

ନେଦରଲାଣ୍ଡ୍ସ ମହିଳା ମ୍ୟାଚ୍ ଏପ୍ରିଲ ୮, ୯ରେ

ନେଦରଲାଣ୍ଡ୍ସ ମହିଳା ମ୍ୟାଚ୍ ଏପ୍ରିଲ ୮, ୯ରେ

କନିଷ୍ଠ ମହିଳା ହକି ବିଶ୍ବକପ୍‌: ଭାରତୀୟ ଦଳରେ ଆଜମିନା ଓ ଜୀବନକିଶୋରୀ

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରମ୍‌ଠାରେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଏଫ୍‌ଆଇଏଚ୍ କନିଷ୍ଠ ମହିଳା ହକି ବିଶ୍ବକପ୍ ଲାଗି ହକି ଇଣ୍ଡିଆ ଗୁରୁବାର ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଜଣ ଖେଳାଳି ଆଜମିନା କୁଜୁର ଏବଂ ଜୀବନକିଶୋରୀ ଟପ୍ପୋ ସ୍ଥାନ ପାଇଛନ୍ତି। ଆଜମିନା ମଧ୍ୟକ୍ରମ ଏବଂ ଜୀବନକିଶୋରୀ ଅଗ୍ରଭାଗରେ ଖେଳନ୍ତି। ଅନ୍ୟତମ ଓଡ଼ିଆ ତାରକା ମାଧୁରୀ କିଣ୍ଡୋ ଷ୍ଟାଣ୍ଡବାଏରେ ରହିଛନ୍ତି। ମଧ୍ୟଭାଗ ଖେଳାଳି ସଲିମା ଟେଟେ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ରକ୍ଷଣଭାଗ ଖେଳାଳି ଈଶିକା ଚୌଧୁରୀ ଉପଅଧିନାୟିକା ଦାୟିତ୍ବରେ ରହିଛନ୍ତି।

ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଜର୍ମାନୀ, ମାଲେସିଆ ଏବଂ ୱେଲ୍ସ ସହ ପୁଲ୍‌ ଡି’ରେ ରହିଛି। ଭାରତ ଏପ୍ରିଲ ୨ ତାରିଖରେ ୱେଲ୍ସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଏହାପରେ ଏପ୍ରିଲ ୩ରେ ଜର୍ମାନୀ ଏବଂ ଶେଷ ଲିଗ୍ ମ୍ୟାଚ୍‌ରେ ଏପ୍ରିଲ ୫ ତାରିଖରେ ମାଲେସିଆର ମୁକାବିଲା କରିବ। ଲିଗ୍ ପର୍ଯ୍ୟାୟରେ ଭଲ କଲେ ଏପ୍ରିଲ ୮ରେ କ୍ବାର୍ଟର ଫାଇନାଲ୍ ଖେଳିବ। ଏହା ପରେ ଏପ୍ରିଲ ୧୦ର ସେମିଫାଇନାଲ୍ ଏବଂ ଏପ୍ରିଲ ୧୨ର ଫାଇନାଲ୍ ଖେଳି ପାରିବ। ‘‘ଲମ୍ବା ପ୍ରତୀକ୍ଷା ପରେ ଆମ କନିଷ୍ଠ ଖେଳାଳିମାନେ ବିଶ୍ବକପ୍ ଖେଳିବାର ଅଭିଜ୍ଞତା ଲାଭ କରିବେ। ଗତ କିଛି ମାସ ହେବ ଖେଳାଳିମାନେ ନିଜ ନିଜର ଖେଳରେ ଯଥେଷ୍ଟ ଉନ୍ନତି ଆଣିଥିବାରୁ ଚୂଡ଼ାନ୍ତ ଦଳ ବାଛିବା ବେଶ୍ କଷ୍ଟକର ଥିଲା। ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣକୁ ଆମେ ଗୁରୁ୍ତ୍ବ ଦେଇଛୁ।’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ଭାରତ ୨୦୧୩ କନିଷ୍ଠ ମହିଳା ବିଶ୍ବକପ୍‌ରେ କାଂସ୍ୟ ପଦକ ଜିତିଥିଲା। ଯାହା ଆଜି ପର୍ଯ୍ୟନ୍ତ ଦଳର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ଭାରତୀୟ ଦଳ: ଗୋଲ୍‌ରକ୍ଷକ-ବିଚୁଦେବୀ ଖରିବାମ, ଖୁସ୍‌ବୁ। ରକ୍ଷଣଭାଗ- ମାରିନା ଲାଲରମଙ୍ଘକି, ପ୍ରୀତି, ପ୍ରିୟଙ୍କା, ଈଶିକା ଚୌଧୁରୀ (ଉପଅଧିନାୟିକା), ଅକ୍ଷତା‌ ଆବାସୋ ଦେଖାଲେ। ମଧ୍ୟଭାଗ-ବୈଷ୍ଣବୀ ବିଠଲ ଫାଲ୍‌କେ, ସଲିମା ଟେଟେ (ଅଧିନାୟିକା), ରିତୁ, ଆଜମିନା କୁଜୁର, ଶର୍ମିଳା ଦେବୀ, ଲାଲରେମସିଆମି, ବଲଜିତ କୌର। ଅଗ୍ରଭାଗ: ଲାଲରିଣ୍ଡିକ, ଜୀବନକିଶୋରୀ ଟପ୍ପୋ, ମୁମତାଜ ଖାନ୍, ବିଉଟୀ ଡୁଙ୍ଗଡୁଙ୍ଗ, ଦୀପିକା, ସଙ୍ଗୀତା କୁମାରୀ। ଷ୍ଟାଣ୍ଡବାଏ- ମାଧୁରୀ କିଣ୍ଡୋ, ନୀଲମ, ମଞ୍ଜୁ ଚୌରାସିଆ, ରୁତୁଜା ଦାଦାସୋ ପିସାଲ, ଅନୁ।

ନେଦରଲାଣ୍ଡ୍ସ ମହିଳା ମ୍ୟାଚ୍ ଏପ୍ରିଲ ୮, ୯ରେ
ଭୁବନେଶ୍ବର: ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ସ୍ଥଗିତ ରହିଥିବା‌ ଭାରତ-ନେଦରଲାଣ୍ଡ୍ସ ମହିଳା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଏପ୍ରିଲ ୮ ଓ ୯ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଫେବ୍ରୁଆରି ୧୯ ଓ ୨୦ ତାରିଖରେ ଖେଳାଯିବାର ଥିଲା। ହେଲେ ଓମିକ୍ରନ୍ ଆତଙ୍କ ପାଇଁ ନେଦରଲାଣ୍ଡ୍ସ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲା। ଏବେ ଭାରତ ଆସି ଏହି ଦୁଇ ମ୍ୟାଚ୍ ଆସନ୍ତାମାସରେ ଖେଳିବାକୁ ନେଦରଲାଣ୍ଡ୍ସ ମହିଳା ହକି ଦଳ ରାଜି ହୋଇଥିବା ଜଣାପଡ଼ିଛି। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ନେଦରଲାଣ୍ଡ୍ସ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବ। ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ନେଦରଲାଣ୍ଡ୍ସକୁ ଭେଟି ୧-୫ ଗୋଲ୍‌ରେ ପରାଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe