କନିଷ୍ଠ ବିଶ୍ବ ଦୌଡ଼କୁଦ: ୨ ପଦକ ଜିତିବାରେ ରୂପାଲ୍‌ ପ୍ରଥମ ଭାରତୀୟ

କନିଷ୍ଠ ବିଶ୍ବ ଦୌଡ଼କୁଦ: ୨ ପଦକ ଜିତିବାରେ ରୂପାଲ୍‌ ପ୍ରଥମ ଭାରତୀୟ

କଲି : ଭାରତୀୟ ଉଦୀୟମାନ ପ୍ରତିଭା ରୂପାଲ ଚୌଧୁରୀ କ୍ରୀଡ଼ା ଇତିହାସରେ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ କନିଷ୍ଠ (୨୦ ବର୍ଷରୁ କମ୍‌) ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଦୁଇଟି ପଦକ ଜିତିବାର ଗୌରବ ଆଣିଛନ୍ତି। ୪ ଗୁଣା ୪୦୦ ମିଟର୍ ରିଲେରେ ରୌପ୍ୟ ପଦକ ଜିତିଥିବା ଏହି ଉତ୍ତରପ୍ରଦେଶ ଝିଅ ଶୁକ୍ରବାର ୪୦୦ ମିଟର୍ ବାଳିକା ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ମୀରଟ ଜିଲ୍ଲାର ସାହପୁର ଜୈନ ଗାଁର ଜଣେ କ୍ଷୁଦ୍ର ଚାଷୀଙ୍କର ଏହି ୧୭ ବ‌ର୍ଷୀୟା କନ୍ୟା ୩ ଦିନ ଭିତରେ ୪ ଥର ୪୦୦ ମିଟର୍‌ ଦୌଡ଼ରେ ଭାଗ ନେଇ ନିଜ ସାମର୍ଥ୍ୟକୁ ପ୍ରମାଣିତ କରିଛନ୍ତି।

ଶୁକ୍ରବାର ରୂପାଲ୍‌ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୫୧.୮୫ ସେକେଣ୍ଡ୍‌) ସହିତ ଏହି ୪୦୦ ମିଟର୍‌ କାଂସ୍ୟ ପଦକ ଜିତିଥିଲେ। ଗ୍ରେଟ୍ ବ୍ରିଟେନ୍‌ର ୟେମି ମେରି ଜନ୍‌ (୫୧.୫୦ ସେକେଣ୍ଡ) ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କେନିୟାର ଡାମାରିସ୍‌ ମୁତୁଙ୍ଗା (୫୧.୭୧ ସେକେଣ୍ଡ୍‌) ରୌପ୍ୟ ପଦକ ଜିତିଥିଲେ। ଗତ ମଙ୍ଗଳବାର ରୂପାଲ ଭାରତୀୟ ୪ ଗୁଣା ୪୦୦ ମିଟର ରିଲେ ଦଳକୁ ୩:୧୭.୭୬ ସମୟ ସହିତ ରୌପ୍ୟ ପଦକ ବିଜୟୀ କରାଇଥିଲେ। ୨୦୧୮ ଫିନଲାଣ୍ଡ୍‌ କନିଷ୍ଠ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ହିମା ଦାସ ୪୦୦ ମିଟର୍‌ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଏହି ପ୍ରତିଯୋଗିତାରୁ ପଦକ ଜିତିବାରେ ରୂପାଲ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ତେବେ ସର୍ବପ୍ରଥମ ଭାରତୀୟ ଭାବେ ୨୦୧୬ ପୋଲାଣ୍ଡ୍‌ ବିଶ୍ବ କନିଷ୍ଠ ଦୌଡ଼କୁଦରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ସଂସ୍କରଣରେ ରୂପାଲଙ୍କ ଦ୍ବିତୀୟ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା‌ ୯ରେ ପହଞ୍ଚିଛି। ୨୦୨୧ରେ ନାଇରୋବିରେ ଅନୁଷ୍ଠିତ ‌ଗତ ସଂସ୍କରଣରେ ଭାରତ ମାତ୍ର ୩ ପଦକ (୨ ରୌପ୍ୟ, ୧ କାଂସ୍ୟ) ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe