କଳାହାଣ୍ଡି କପ୍‌ରେ କଳାହାଣ୍ଡି ୩୩ ରନରେ ଅଲ୍‌ଆଉଟ୍‌

Advertisment
କଳାହାଣ୍ଡି କପ୍‌ରେ କଳାହାଣ୍ଡି ୩୩ ରନରେ ଅଲ୍‌ଆଉଟ୍‌

ଭୁବନେଶ୍ବର : କକଟକର ବିଭିନ୍ନ ପଡିଆରେ ଚାଲିଥିବା କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଶୁକ୍ରବାର ଇକୋର୍ସା, ଅନୁଗୁଳ, ବୌଦ୍ଧ, କଟକ ‘ବି’, ସୁନ୍ଦରଗଡ଼, ଭଦ୍ରକ, ଭୁବନେଶ୍ବର ‘ଏ’, ବାଲେଶ୍ବର ଏବଂ ଖୋର୍ଧା ବିଜୟୀ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଜିଲ୍ଲା ନାମରେ (କଳାହାଣ୍ଡି) ଏହି ଅନ୍ତଃଜିଲ୍ଲା ବରିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତା ଖେଳାଯାଉଛି‌ ସେହି ଜିଲ୍ଳା ଦଳ ଶୁକ୍ରବାର ମାତ୍ର ୩୩ ରନ୍‌ରେ ଅଲ୍‌ଆଉଟ୍ ହୋଇ ଇକୋର୍ସା ନିକଟରୁ ୮ ୱିକେଟ୍ ବ୍ୟବଧାନରେ ହାରିଯାଇଛି। ବିଡ଼ାନାସୀ ପଡିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜୟନ୍ତ ବେହେରା (୪-୧-୫-୭) ଏବଂ ସମୀର ମହାନ୍ତି (୩-୧-୫-୩) ମିଳିତ ଭାବେ ସମସ୍ତ ୧୦ ୱିକେଟ୍ ଦଖଲ କରିନେବାରୁ କଳାହ‌ାଣ୍ଡି ଦଳ ୧୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଇକୋର୍ସା ୭.୪ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

ସନସାଇନ୍ ପଡିଆରେ ଅନୁଗୁଳ ୮୩ ରନ୍ (ଡିଏଲ୍)ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଥିଲା। ଅନୁଗୁଳ ପକ୍ଷରୁ ରାକେଶ‌ ଗୋଚ୍ଛାୟତ (୧୦୯, ୯୨ ବଲ୍‌) ଶତକ ଏବଂ ନିର୍ମିଶେଷ ଜେନା ଅର୍ଦ୍ଧଶତକ (୬୩ ରନ୍) ହାସଲ କରିଥିଲେ।‌ ସେହିଭଳି ଏସ୍‌ସିବି ମେଡିକାଲ୍ ପଡିଆରେ ବୌଦ୍ଧ ୮୬ ରନ୍‌ରେ ଗଞ୍ଜାମକୁ ପରାସ୍ତ କରିଥିଲା। ଦଳର ବିଜୟରେ ତାପସ ପଣ୍ଡା (୪୨), ଅନୁରାଗ କାନୋଜିଆ (୪୦, ୩/୧୨)), ପ୍ରେମ ପ୍ରତୀକ ମହାପାତ୍ର (୩/୧୭) ପ୍ରମୁଖ ଭୂମିକା ତୁଲାଇଥିଲେ।

କିଟ୍‌ ପଡିଆରେ କଟକ ‘ବି’ ନବରଙ୍ଗପୁରକୁ ୯ ୱିକେଟରେ ପରାସ୍ତ କରିଥିଲା। ଧୀରାଜ ସିଂହ (୫/୨୨), ସୁମିତ ଶର୍ମା (୩/୧୩) ବିଜୟର କର୍ଣ୍ଣଧାର ସାଜିଥିଲେ। ଡ୍ରିମ୍ସ ପଡିଆରେ ସୁନ୍ଦରଗଡ଼ ୩ ୱିକେଟରେ ଢେଙ୍କାନାଳକୁ ପରାସ୍ତ କରିଥିଲା। ଦଳର ବିଜୟରେ ଭିକି ପ୍ରସାଦ (୫୯), ସଞ୍ଜୟ ଦାସ (୩/୧୪), ସୌଭାଗ୍ୟ ରାଉତ (୩/୨୨), ଅମିତ ଦାସ (୨/୧୦) ପ୍ରମୁଖ ଥିଲେ।

ରେଳବାଇ ପଡିଆରେ ଭଦ୍ରକ ୪୭ ରନ୍‌ରେ ମାଲକାନଗିରିକୁ ପରାସ୍ତ କରିଥିଲା। ସାହିଲ ଏ ଖାନ୍ (୪୮), ସତ୍ୟକାମ ଭରଦ୍ବାଜ (୪/୨୦) ପ୍ରମୁଖ ଭୂମିକା ତୁଲାଇଥିଲେ। ନିମପୁର ପଡିଆରେ ଭୁବନେଶ୍ବର ‘ଏ’ ୬୦ ରନ୍‌ରେ ନୟାଗଡ଼କୁ ପରାସ୍ତ କରିଥିଲା। ନରେନ୍ଦ୍ର ଦାଶ (୬୬), ଶୁଭାଶିଷ ଖଣ୍ଡାୟତରାୟ (୫୫), ଆୟୂଷରାଜ ଚୌଧୁରୀ (୪୨), ଜୀବନ କେ ଜେନା (୩/୩୨), ମନୋଜ ବାରିକ (୨/୨୮) ପ୍ରମୁଖ ଥିଲେ। ନୟାଗଡ଼ ପାଇଁ କୃଷ୍ଣଚନ୍ଦ୍ର ବାରିକ (୧୦୧) ଶତକ ହାସଲ କରିଥିଲେ ମଧ୍ୟ ଦଳ ପାଇଁ ଏହ‌ା ଯଥେଷ୍ଟ ହୋଇନଥିଲା।

ରେଭେନସା-୧ ପଡିଆରେ ବାଲେଶ୍ବର ୧୨୧ ରନ୍‌ରେ ନୂଆପଡ଼ାକୁ ମାତ୍‌ ଦେଇଥିଲା। ନୌତନ ଭଞ୍ଜ (୫୮ ରନ୍‌ ଏବଂ ୨/୬) ଏବଂ ଏସ୍‌କେ ସାହିଲ (୪/୨୮) ଭଲ ଅବଦାନ କରିଥିଲେ। ‌ରେଭେନସା-୨ ପଡିଆରେ ଖୋର୍ଦ୍ଧା ୫୦ ରନ୍‌ରେ ଦେବଗଡ଼କୁ ପରାସ୍ତ କରିଥିଲା। ଆର୍ଯ୍ୟଶ୍ରୀ ଡି ଭଟ୍ଟ (୭୭), ଅମରଜିତ ଛୋଟରାୟ (୩୫), ଆଦିତ୍ୟ ଜୟସିଂହ (୩/୨୮), ସୁମିତ ମହାରଣା (୨/୩୨) ଦଳକୁ ବିଜୟୀ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe