କଟକ: ଚଳିତ କଳାହାଣ୍ଡି କପ୍ରେ ଗୁରୁବାର ଅନୁଗୁଳ, ପୁରୀ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କଟକ-ଏ’, ଗଞ୍ଜାମ, ଗଜପତି ବିଜୟୀ ହୋଇଛନ୍ତି। ଗଜପତିର ଶୁଭମ୍ ରାଉତ ଓ ଗଞ୍ଜାମର ରୋହିତ ସାଗରଙ୍କୁ ୫ ୱିକେଟ୍ ସଫଳତା ମିଳିଥିଲା। ଅଡ଼ଶପୁର ପଡ଼ିଆରେ ଗଜପତି ୯ ୱିକେଟ୍ରେ ରାୟଗଡ଼ାକୁ ପରାସ୍ତ କରିଛି। ଶୁଭମ ରାଉତ (୫/୧୯)ଙ୍କ ବୋଲିଂ ସଫଳତା ଯୋଗୁଁ ରାୟଗଡ଼ା ୪୦.୩ ଓଭରରେ ୧୩୧/୧୦ କରିଥିଲା। ଜବାବରେ ଗଜପତି ଜ୍ଞାନରଞ୍ଜନ (୬୪*)ଙ୍କ ଅର୍ଦ୍ଧଶତକ ବଳରେ ୩୩.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ରେଭେନ୍ସା ଗ୍ରାଉଣ୍ଡ-୨ରେ ଗଞ୍ଜାମ ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୦ ରନ୍ କରିଥିଲା। ଜବାବରେ କିଟ୍ ୩୨.୨ ଓଭରରେ ୧୧୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୫/୧୧ ବୋଲିଂ ସଫଳତା ପାଇଥିବା ଗଞ୍ଜାମର ରୋହିତ ସାଗର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଜଟଣୀ ରେଳବାଇ ପଡ଼ିଆରେ ଅନୁଗୁଳ ୯ ୱିକେଟରେ ଭଦ୍ରକକୁ ପରାସ୍ତ କରିଛି। ଭଦ୍ରକ ୪୯.୨ ଓଭରରେ ୧୩୧ କରିଥିଲା ବେଳେ ଅନୁଗୁଳ ୩୭.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ପାନକଳା ଶଶାଙ୍କ (୬୧* ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖୋର୍ଦ୍ଧାସ୍ଥିତ ବିଜେବି ସ୍କୁଲ୍ ପଡ଼ିଆରେ ପୁରୀ ୭ ୱିକେଟ୍ରେ ଭୁବନେଶ୍ବର-ବିକୁ ପରାସ୍ତ କରିଛି। ଭୁବନେଶ୍ବର-ବି ଆୟୁଷ ସୂତାର (୯୫) ଓ ବିଶାଲ ପ୍ରିୟଦର୍ଶୀ (୫୦)ଙ୍କ ଅର୍ଦ୍ଧଶତକ ବଳରେ ୪୭ ଓଭରରେ ୭ ଓ୍ବିକେଟ ହରାଇ ୨୪୧ ରନ୍ କରିଥିଲା। ଜବାବରେ ବିନୟ ପାଇକରାୟ (୭୩) ଓ ମୟଙ୍କ ପଟ୍ଟନାୟକ (୫୬)ଙ୍କ ଅର୍ଦ୍ଧଶତକ ବଳରେ ପୁରୀ ୪୩.୩ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ଡ୍ରିମ୍ସ ପଡ଼ିଆରେ ବରଗଡ଼ ୬ ଓ୍ବିକେଟ୍ରେ ମୟୂରଭଞ୍ଜକୁ ପରାସ୍ତ କରିଛି। ମୟୂରଭଞ୍ଜ ୩୭.୫ଓଭରରେ ୧୪୪ ରନ୍ କରିଥିଲା। ଜବାବରେ ରୋହନ କୁମାରଙ୍କ ୬୪ ରନ୍ ସହାୟତାରେ ବରଗଡ଼ ୩୦.୪ ଓଭରରେ ୪ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା। ସନ୍ସାଇନ ପଡ଼ିଆରେ କେନ୍ଦୁଝର ୬ଓ୍ବିକେଟ୍ରେ ବାଲେଶ୍ବରକୁ ପରାସ୍ତ କରିଛି। ନୈତ୍ତମ ଭଞ୍ଜଙ୍କ ୭୬ ରନ ସହାୟତାରେ ବାଲେଶ୍ବର ୪୦.୨ ଓଭରରେ ୨୪୫ ରନ୍ କରିଥିଲା। ଜବାବରେ କେନ୍ଦୁଝର ୪୫.୧ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କେନ୍ଦୁଝର ପକ୍ଷରୁ ଋତୁରାଜ ମହାନ୍ତି ୯୧ ଓ ଶୁଭ୍ରାଂଶୁ ସେନାପତି ୬୨ ରନ୍ କରିଥିଲେ। ଏମ୍ଜିଏମ୍ ପଡ଼ିଆରେ କଳାହାଣ୍ଡି ୬୨ ରନ୍ରେ ଜଗତସିଂହପୁରକୁ ହରାଇଛି।
ଶୁଭମ ଦାଶଙ୍କ ୬୭ ରନ୍ ବଳରେ କଳାହାଣ୍ଡି ୨୫୨/୯ କରିଥିଲା। ଜବାବରେ ଜଗତସିଂହପୁର ୪୧.୫ ଓଭରରେ ୧୯୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପଡ଼ିଆରେ କନ୍ଧମାଳ ୪ ୱିକେଟରେ ନୂଆପଡ଼ାକୁ ପରାସ୍ତ କରିଛି। ନୂଆପଡ଼ା ୪୬.୦ ଓଭରରେ ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଜବାବରେ କନ୍ଧମାଳ ୪୧.୩ ଓଭରରେ ୬ ଓ୍ବିକେଟ ହରାଇ ମ୍ୟାଚ୍ ଜିତିଥିଲା। ସେହିପରି ରେଭେନସା ପଡ଼ିଆ-୧ରେ କଟକ-ଏ’ ୧୫୨ ରନ୍ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଅନିଲ ପରିଡ଼ା (୭୨), ରାଜେଶ ଧୂପର (୬୩), ବିପ୍ଲବ ସାମନ୍ତରାୟ (୫୮) ଓ ସାଇଦୀପ ମହାପାତ୍ର (୫୪)ଙ୍କ ଅର୍ଦ୍ଧଶତକ ସହାୟତାରେ କଟକ-ଏ’ ୫୦ ଓଭରରେ ୭ ୱିକେଟ ହରାଇ ୩୦୯ ରନ୍ କରିଥିଲା। ଜବାବରେ ଝାରସୁଗୁଡ଼ା ୪୧.୨ ଓଭରରେ ୧୫୭ ରନ୍ରେ ଅଟକିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/new-project-1-2026-02-26-22-11-23.jpg)