କଟକ: ଚଳିତ କଳାହାଣ୍ଡି କପ୍ରେ ଶୁକ୍ରବାର ଭଦ୍ରକ, ଭୁବନେଶ୍ବର ‘ବି’, ଅନୁଗୁଳ, ବାଲେଶ୍ବର, ରାଉରକେଲା, ନୂଆପଡ଼ା, ପାରାଦୀପ, ରାୟଗଡ଼ା ନିଜ ନିଜ ମ୍ୟାଚ୍ ଜିତିଛନ୍ତି। ଭଦ୍ରକର ସାହିଲ ଖାନ୍ଙ୍କ ଶତକ ଅର୍ଜନ କରିଥିଲା ବେଳେ ବାଲେଶ୍ବରର ସର୍ବେଶ୍ବର ମହାନ୍ତି, ନୂଆପଡ଼ାର ମାଇକେଲ ସୁବୀର ଓ ରାୟଗଡ଼ାର ଆଶିଷ କୁମାର ସେଠୀଙ୍କ ୬ ୱିକେଟ୍ ସଫଳତା ଆଜିର ଉଲ୍ଲେଖନୀୟ ବିଷୟ ଥିଲା।
ଡ୍ରିମ୍ସ କ୍ରିକେଟ୍ ପଡ଼ିଆରେ ଭଦ୍ରକ ୨୦୮ ରନ୍ରେ ମୟୂରଭଞ୍ଜକୁ ପରାସ୍ତ କରିଛି। ସାହିଲ ଖାନ (୧୦୩)ଙ୍କ ଶତକ ଓ ଆକାଶ ମହାପାତ୍ର (୮୭)ଙ୍କ ଅର୍ଦ୍ଧଶତକ ବଳରେ ଭଦ୍ରକ ୩୦୩/୫ କରିଥିଲା। ଜବାବରେ ମୟୂରଭଞ୍ଜ ୨୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୯୫ ରନ୍ କରିବକୁ ସକ୍ଷମ ହୋଇଥିଲା। ନିହାର ବି ଭୂୟାଁ ୩/୩୨ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସନ୍ସାଇନ୍ ପଡ଼ିଆରେ ଭୁବନେଶ୍ବର ‘ବି’ ୭ ୱିକେଟ୍ରେ ବରଗଡ଼କୁ ହରାଇଛି। ବରଗଡ଼ ୪୯.୩ ଓଭାରେ ୨୧୯ କରିଥିଲା ବେଳେ ଭୁବନେଶ୍ବର ‘ବି’ ୩୮.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଭୁବନେଶ୍ବରର ଦେବାଶିଷ ସାମନ୍ତରାୟ (୮୪) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏମ୍ଜିଏମ୍ ଗ୍ରାଉଣ୍ଡ୍ରେ ଅନୁଗୁଳ (୮୯/୭) ୩ ୱିକେଟ୍ରେ ପୁରୀ (୮୮/୧୦)କୁ ପରାସ୍ତ କରିଛି।
ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅନୁଗୁଳର ରୋହିତ କୁମାର ପ୍ରଧାନ (୨/୪, ୧୭* ରନ୍)ଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ବାଲେଶ୍ବର ୯୮ ରନ୍ରେ ଜଗତସିଂହପୁରକୁ ହରାଇଛି। ବାଲେଶ୍ବର ୩୧୪/୬ କରିଥିଲା ବେଳେ ଜଗତସିଂହପୁର ୨୧୬/୮ରେ ଅଟକିଯାଇଥିଲା। ବାଲେଶ୍ବରର ସର୍ବେଶ୍ବର ମହାନ୍ତି (୭୪ ରନ୍, ୬/୩୧) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରେଭେନ୍ସା ଗ୍ରଉଣ୍ଡ-୧ରେ ରାଉରକେଲା ୧୭୨ ରନ୍ରେ କନ୍ଧମାଳକୁ ହରାଇଛି। ରାଉରକେଲା ୪୬.୪ ଓଭରରେ ୨୪୩ ରନ୍ କରିଥିଲା। ଜବାବରେ କନ୍ଧମାଳ ୩୦.୧ ଓଭରରେ ୭୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ରାଉରକେଲାର କୌଶିକ ମାଣିକପୁରି (୫/୨୧) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗ୍ରାଉଣ୍ଡ-୨ରେ କଟକ ‘ଏ’ ୧୧୭ ରନ୍ରେ ଗଞ୍ଜାମକୁ ପରାସ୍ତ କରିଛି।
ଆହୁରି ପଢ଼ନ୍ତୁ: Kumble: ଭାରତୀୟ ବୋଲିଂକୁ ନେଇ କୁମ୍ବଲେଙ୍କ ଚିନ୍ତା
କଟକ ଦଳର ୨୬୦/୯ ଜବାବରେ ଗଞ୍ଜାମ ୧୪୩/୧୦ରେ ଅଟକିଯାଇଥିଲା। ଅଡ଼ଶପୁର ଗ୍ରାଉଣ୍ଡରେ ନୂଆପଡ଼ା ୩ ୱିକେଟ୍ରେ କଳାହାଣ୍ଡିକୁ ପରାସ୍ତ କରିଛି। କଳାହାଣ୍ଡି ୩୪.୪ ଓଭରରେ ୧୩୭/୧୦ କରିଥିଲା ବେଳେ ନୂଆପଡ଼ା ୨୫.୫ ଓଭରରେ ୭ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ନୂଆପଡ଼ାର ମାଇକେଲ ସୁବୀର (୬/୩୧, ୪୨ ରନ୍) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଜଟଣୀ ରେଳବାଇ ପଡ଼ିଆରେ ପାରାଦୀପ ୧୭୦ ରନ୍ରେ ଗଜପତିକୁ ମାତ୍ ଦେଇଛି। ପାରାଦୀପ ୨୬୩/୯ କରିଥିଲା ବେଳେ ଗଜପତି ୨୫.୪ ଓଭରରେ ୯୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ପାରାଦୀପର ପ୍ରକାଶ ଜେନା (୫/୮)ଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖୋର୍ଦ୍ଧା ବିଜେବି ସ୍କୁଲ୍ ପଡ଼ିଆରେ ରାୟଗଡ଼ା ୬ ୱିକେଟ୍ରେ କିଟ୍କୁ ପରାସ୍ତ କରିଛି। କିଟ୍ ୨୩ ଓଭରରେ ୯୨ ରନ୍ରେ ଅଲ୍ଆଉଟ୍ ହୋଇଥିଲା ବେଳେ ରାୟଗଡ଼ା ୧୭.୪ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରାୟଗଡ଼ାର ଆଶିଷ କୁମାର ସେଠୀ (୬/୩୦) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Follow Us