କାଳିଦାସ, ମୋନିକାଙ୍କ ହ୍ୟାଟ୍ରିକ୍‌

Advertisment

ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା

ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା

କାଳିଦାସ, ମୋନିକାଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ାର ତୃତୀୟ ଦିବସରେ ପଶ୍ଚିମାଞ୍ଚଳର କାଳିଦାସ ହିରାଭେ ଏବଂ ମୋନିକା ଆଥାରେ ଲଗାତାର ୩ଟି ଇଭେଣ୍ଟରେ ପ୍ରଥମ ସ୍ଥାନ ଦଖଲ କରି ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଗତ ଲଣ୍ଡନ୍‌ ବିଶ୍ୱ ଦୌଡ଼କୁଦରେ ଭାଗ ନେଇଥିବା ମୋନିକା ଆଥାରେ ୧୫୦୦ ମିଟର୍‌, ମହିଳା ୮୦୦ ମିଟର ପରେ ଶନିବାର ୪୦୦ ମିଟର୍‌ରେ ମଧ୍ୟ ପ୍ରଥମ ସ୍ଥାନ ଦଖଲ କରିଥିଲେ। ସେହିଭଳି ଗୁରୁବାର ଉଦ୍‌ଘାଟନୀ ଇଭେଣ୍ଟ୍‌ ୧୫୦୦ ମିଟର୍‌ ପୁରୁଷ ଦୌଡ଼କୁ ଜିତିଥିବା କାଳିଦାସ ଶୁକ୍ରବାର ୫୦୦୦ ମିଟର୍‌ ଏବଂ ଶନିବାର ୧୦,୦୦୦ ମିଟର୍‌ ଦୌଡ଼ରେ ମଧ୍ୟ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଶନିବାର ୧୦,୦୦୦ ମିଟରରେ ସନ୍ଦୀପ କୁମାର ଏବଂ ପି ରାଜେଶ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଅର୍ଜ୍ଜୁନ ପୁରସ୍କାର ବିଜୟିନୀ ଏକମାତ୍ର ଏଲ୍‌ଆଇସିଆନ୍‌ ଗୁରମିତ୍‌ ମହିଳା ଡିସ୍‌କସ୍‌ରେ ପ୍ରଥମ ହୋଇଥିବାବେଳେ ଶନିବାର ଜାଭ୍‌ଲିନ୍‌ ଥ୍ରୋରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ମହିଳା ଜାଭଲିନରେ ସାହେଜାହାନୀ ସ୍ୱର୍ଣ୍ଣ ବିଜେତା ହୋଇଥିଲେ। ଶନିବାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲେ ଧାବକ ଏ ଯୋଗେଶ। ଯୋଗେଶ ୪୦୦ ମିଟର୍‌ ପୁରୁଷ ଦୌଡ଼ରେ ନୂଆ କୀର୍ତିମାନ ସହିତ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଏହା ପରେ ଯୋଗେଶ ୧୧୦ ମିଟର ବାଧାଦୌଡ଼ରେ ମଧ୍ୟ ଜେ ମହେନ୍ଦ୍ର ରାଓଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ବିଜେତା ହୋଇଥିଲେ। ମହିଳା ବାଧାଦୌଡ଼ (୧୦୦ ମିଟର୍‌)ରେ ଟି ରେଣୁକା ଶ୍ରେଷ୍ଠ ରହିଥିଲେ। ପୁରୁଷ ଜାଭଲିନ ଥ୍ରୋରେ ସୁନୀଲ ଗୋସ୍ୱାମୀ, ସମିଥ୍‌ ଡି ସୁବର୍ଣ୍ଣା, ଦୀପୁ ଭର୍ଗେଶ କ୍ରମାନ୍ଵୟରେ ପ୍ରଥମ ୩ ସ୍ଥାନରେ ରହିଥିଲେ। ପୁରୁଷ ହାମରଥ୍ରୋରେ ଜାନିଶର ଅଖତର, ଶିବମ ସିଂହ, କେ ସୂର୍ଯ୍ୟପ୍ରକାଶ ପ୍ରଥମରୁ ତୃତୀୟ ଏବଂ ମହିଳାରେ ସୋନମ୍‌, ମଥୁସେଲ୍‌ଭି ଶ୍ରେଷ୍ଠ ଦୁଇ ସ୍ଥାନ ଦଖଲ କରିଥିଲେ।

ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ବର୍ଗ ଫାଇନାଲ୍‌ରେ ଉତ୍ତରଜୋନର ସିଦ୍ଧାର୍ଥ ଓ ପ୍ରେମସିଂହଙ୍କ ମୁକାବିଲା ଏବଂ ମହିଳା ଫାଇନାଲ୍‌ରେ ଉତ୍ତର ଜୋନ୍‌ର ଶ୍ରଦ୍ଧା ଶ୍ରୀବାସ୍ତବ ପଶ୍ଚିମ ଜୋନ୍‌ର ବରଦା ଦୀକ୍ଷିତଙ୍କୁ ଭେଟିବେ। ସେହିଭଳି ଭଲିବଲ୍‌ ଫାଇନାଲ୍‌ରେ ରବିବାର ଦକ୍ଷିଣକେନ୍ଦ୍ରୀୟ ଜୋନ୍‌ ଏବଂ ଦକ୍ଷିଣ ଜୋନ୍‌ ମୁକାବିଲା ହେବ। ପଶ୍ଚିମଜୋନ୍‌ ଭଲିବଲ୍‌ର ତୃତୀୟ ସ୍ଥାନ ଦଖଲ କରିଛି। ସେହିଭଳି ଚେସ୍‌ରେ ଅଷ୍ଟମ ରାଉଣ୍ଡ୍‌ ସୁଦ୍ଧା ମହିଳାରେ ପଶ୍ଚିମ ଜୋନ୍‌ର ଡବ୍‌ଲ୍ୟୁଜିଏମ୍‌ ସ୍ୱାତୀ ଘାଟେ (୭.୫) ଏବଂ ସ୍ଥାନୀୟ ଖେଳାଳି ତଥା ପୂର୍ବମଧ୍ୟ ଜୋନ୍‌ର ଡବ୍‌ଲୁୁଜିଏମ୍‌ କିରଣ ମନୀଷା ମହାନ୍ତି (୭) ପ୍ରଥମ ସ୍ଥାନ ଦୌଡ଼ରେ ରହିଛନ୍ତି। ପୁରୁଷ ବିଭାଗରେ ଆଇଏମ୍‌ ଯୋଡ଼ି କେ ଦୀନେଶ ଶର୍ମା (ଉତ୍ତରକେନ୍ଦ୍ରୀୟ) ଏବଂ ଅନୂପ ଦେଶମୁଖ (ପଶ୍ଚିମ) ସମାନ ୬.୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଗ୍ରାଣ୍ଡମାଷ୍ଟର୍‌ ଶ୍ରୀରାମ ଝା (ଉତ୍ତର) ମିଳିତ ଦ୍ୱିତୀୟ ତଥା ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe