ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନସର୍ସ କ୍ରମାଗତ ତୃତୀୟ ପରାଜୟ ହାସଲ କରିଛି। ଏହାସହ ଦଳ ପଏଣ୍ଟ୍‌ ତାଲିକାର ସବା ତଳେ ରହିଛି। ରବିବାର ଶକ୍ତିଶାଳୀ ସୁର୍‌ମା ହକି କ୍ଲବ ବିପକ୍ଷରେ ଦଳ ୩-୪ ଗୋଲରେ ପରାସ୍ତ ହୋଇଛି। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡ଼ୁ ଡ୍ରାଗନ୍ସ ୨-୦ ଗୋଲରେ ୟୁପି ରୁଦ୍ରାସ୍‌କୁ ପରାସ୍ତ କରିଛି।
Advertisment
publive-image

ଆଜି ଖେଳାଯାଇଥିବା କଳିଙ୍ଗ ଲାନସର୍ସ ଓ ସୁର୍‌ମା ହକି କ୍ଲବ ପ୍ରଥମ ମ୍ୟାଚ୍‌ରେ ଗୋଲ୍‌ ବର୍ଷା ଦେଖିବାକୁ ମିଳିଥିଲା। କଳିଙ୍ଗ ଲାନ୍‌ସର୍ସର ଥିଏରୀ ବ୍ରିଙ୍ଗ୍‌ମ୍ୟାନ ମ୍ୟାଚ୍‌ର ୫ମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଅାଗୁଆ କରିଥିଲେ। ତେବେ ସୁର୍‌ମାର ଜେରେମୀ ହେୱାର୍ଡ ୧୧ତମ ମିନିଟ୍‌ରେ ଗୋଲ୍‌ ସୁଝାଇ ଦେଇଥିଲେ।

ଜବାବରେ କଳିଙ୍ଗର ସଞ୍ଜୟ ୧୫ତମ ମିନିଟ୍‌ରେ ଦଳ ପାଇଁ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ତେବେ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ସୁର୍‌ମା ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳର ଟୋରୀ ନିକୋଲାସ ଡେଲା(୩୫) ଓ ଅଧିନାୟକ ହର୍ମନପ୍ରୀତ ସିଂହ(୫୦) ଦୁଇଟି ଗୋଲ୍‌ ଦେଇ ସ୍କୋର୍‌କୁ ୩-୨କୁ ବୃଦ୍ଧି କରିଥିଲେ। ୫୧ତମ ମିନିଟ୍‌ରେ କଳିଙ୍ଗ ଲାନସର୍ସ‌ର ଗୁରସାହିବଜିତ ସିଂହ ଗୋଟିଏ ଗୋଲ୍‌ ଦେଇ ସ୍କୋର ବରାବର କରିବାର ଗୋଟିଏ ମିନିଟ୍‌ପରେ ସୁର୍‌ମାର ହରିଶ୍‌ ସୋମପ୍ପା ମୁଟ୍‌ଗାର ମ୍ୟାଚ୍‌ ବିଜୟୀ ଗୋଲ୍‌ଦେଇଥିଲେ। ଶେଷ ୯ ମିନିଟ୍‌ରେ କଳିଙ୍ଗ ଲାନ୍‌ସର୍ସ ଗୋଲ୍‌ ସୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହେବାରୁ ପରାଜୟ ବରଣ କରିଛି। ‌ଦ୍ବିତୀୟ ମ୍ୟାଚ୍‌ଷର ତାମିଲନାଡ଼ୁ ଡ୍ରାଗନ୍ସ ଏକତରଫାଭାବେ ୨-୦ ଗୋଲରେ ହୁପି ରୁଦ୍ରାସକୁ ପରାସ୍ତକରିଛି। ଦଳ ପକ୍ଷରୁ ଆଭ୍ରାମ ସୁଦେବ(୪୮) ଓ ଥୋମାସ ଥୋର୍ସବି(୬୦) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ହକି ଇଣ୍ଡିଆ ଲିଗ୍‌ ପାଇଁ ଦର୍ଶକଙ୍କୁ ନିଶୁଳ୍କ ପ୍ରବେଶ ଘୋଷଣା କରାଯାଇଛି।
ପୂର୍ବରୁ ଦର୍ଶକଙ୍କୁ ଅନଲାଇନ୍‌ରେ ଟିକଟ ପଞ୍ଜିକରଣ କରି ଷ୍ଟାଡିୟମକୁ ପଶିବାକୁ ଅନୁମତି ଦିଆଯାଇଥିଲା। ଏବେ କିନ୍ତୁ ବିନା ପଞ୍ଜିକରଣରେ ଦର୍ଶକ ସିଧାସଳଖ ଷ୍ଟାଡିୟମକୁ ପଶି ପଶ୍ଚିମ ଷ୍ଟାଣ୍ଡ୍‌ ବ୍ୟତିତ ଅନ୍ୟ ତିନି ଷ୍ଟାଣ୍ଡ୍‌ରେ ବସି ମ୍ୟାଚ୍‌ ଉପଭୋଗ କରିପାରିବେବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ପ୍ରତ୍ୟେକ ମ୍ୟାଚ୍‌ରେ ଜମୁଥିବା ଦର୍ଶକଙ୍କ ଭିଡ଼ ଓ ସେମାନଙ୍କୁ ଉତ୍ସାହକୁ ଶ୍ରୀ ତିର୍କି ଖୁବ୍‌ ପ୍ରଶଂସା କରିଛନ୍ତି।