କଳିଙ୍ଗ ପ୍ରସ୍ତୁତ: ଅମ୍ପାୟାର ଦାୟିତ୍ବରେ ଓଡ଼ିଶାର ୫

ଓଡ଼ିଶାରେ ପ୍ରଥମ ଥର ଏସୀୟ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍...

Untitled-8

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଏସୀୟ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ୍ସ ସେଣ୍ଟର୍‌ଠାରେ ଏହି ୨୮ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତା ଖେଳାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍‌ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରସ୍ତୁତି ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଚତୁର୍ଥ ଏବଂ ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ଏହି ୪ ଦିନିଆ ମହାଦେଶୀୟ ପ୍ରତିଯୋଗିତା ପରିଚାଳନାରେ ଓଡ଼ିଶାର ୫ ଅମ୍ପାୟର ଆର୍‌ କ୍ରିଷ୍ଣା କୁମାର, ଜୀବନ ବଲ୍ଲଭ ସାମଲ, ତପନ କୁମାର ଖା, କେଭିପି ରାମାରାଓ ଓ ସୁଜିତ କୁମାର ରାୟଙ୍କୁ ଦେଖିବାକୁ ମିଳିବ। ଭାରତୀୟ ଦଳରେ ଓଡ଼ିଶାର ଖେଳାଳି ନଥିଲେ ମଧ୍ୟ ଏହି ୫ ଜଣ ମ୍ୟାଚ୍‌ ପରିଚାଳନା କରି ରାଜ୍ୟର ଗୌରବ ବଢ଼ାଇବେ।   

ଦ୍ବିତୀୟ ଥର ଲାଗି ଏକ ଅନ୍ତର୍ଜାତୀୟସ୍ତରୀୟ ଟିଟି ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଥିବାରୁ ରାଜ୍ୟବାସୀ ଉଲ୍ଲସିତ ଅଛନ୍ତି। ଶେଷ ଥର ଲାଗି ୧୬ ବର୍ଷ ପୂର୍ବେ ୨୦୦୯ରେ ଓଡ଼ିଶାରେ ରାଜ୍ୟଗୋଷ୍ଠୀ ଟିଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଂପ୍ରତି ଏହି ମହାଦେଶୀୟ ଟିଟି ପ୍ରତିଯୋଗିତା ଲାଗି ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି। ଟିକେଟ୍‌ର ମୂଲ୍ୟ ୧୦୦ (ଇକୋନୋମି) ଓ ୩୦୦ (ପ୍ରିମିୟମ) ଟଙ୍କା ରଖାଯାଇଛି। ପ୍ରତିଦିନ ପାଇଁ ଦୁଇଟି ସ୍ଲଟ୍‌ ପୂର୍ବାହ୍ନ ୧୦ଟା ଓ ଅପରାହ୍ଣ ୪ଟା ଲାଗି ଅଲଗା ଅଲଗା ଟିକେଟ୍‌ ରହିଛି। ଟିକେଟ୍‌ ‘ବୁକ୍‌ମାଇଁସୋ’ରେ ଉପଲବ୍ଧ ହେଉଛି।

ପ୍ରତିଯୋଗିତା ଆଉ ୪ ଦିନ ଥିଲା ବେଳେ ଦଳଗୁଡ଼ିକର ଆଗମନ ମଙ୍ଗଳବାରଠୁ ଆରମ୍ଭ ହୋଇଯିବ। ଭାରତୀୟ ଦଳ ପ୍ରଥମେ ପହଞ୍ଚିବାର ସମ୍ଭାବନା ରହିଛି। ଅନ୍ୟ ଦଳଗୁଡ଼ିକ ବୁଧବାରଠୁ ଭାରତରେ ପାଦ ଦେବା ଆରମ୍ଭ କରିବେ‌। ଏହି ପ୍ରତିଯୋଗିତା ୨୦୨୬ରେ ଲଣ୍ଡନରେ ହେବାକୁ ଥିବା ଆଇଆଇଟିଏଫ୍‌ ବିଶ୍ବ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନର ମାର୍ଗ। ତେଣୁ ପ୍ରତି ଦଳ ପାଇଁ ଏହି ପ୍ରତିଯୋଗିତାର ଗୁରୁତ୍ବ ବଢ଼ିଯାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏସିଆ ମହାଦେଶର ଶ୍ରେଷ୍ଠ ଖେଳାଳିଙ୍କ ପରାକ୍ରମ ସିଧାସଳଖ ଦେଖିବାର ସୁଯୋଗ ପାଇବେ ଓଡ଼ିଶାବାସୀ। ଏଥିରେ ଆୟୋଜକ ଭାରତ ସହ ଚୀନ, ଜାପାନ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ତାଇୱାନ, ହଂକଂ, ସିଙ୍ଗାପୁର, ଚାଇନିଜ ମକାଓ, ବାଂଲାଦେଶ, ଇରାନ, କାଜକିସ୍ତାନ, କିର୍ଗିଜସ୍ତାନ, ମାଲେସିଆ, ମାଳଦ୍ବୀପ, ମଙ୍ଗୋଲିଆ, ନେପାଳ, ଓମାନ, କତର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜ୍‌ବେକିସ୍ତାନରୁ ୫୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌, ସପୋର୍ଟ ଷ୍ଟାଫ୍‌  ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe