କଳ୍ପନାଙ୍କ ମରଶରୀର କାଠମାଣ୍ଡୁ ପହଞ୍ଚିଲା

Advertisment
କଳ୍ପନାଙ୍କ ମରଶରୀର କାଠମାଣ୍ଡୁ ପହଞ୍ଚିଲା

ଭୁବନେଶ୍ବର: ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବା ପରେ ଶିଖର ଦେଶରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟର୍‌ କଳ୍ପନା ଦାଶଙ୍କ ପାର୍ଥିବ ଶରୀର ଗୁରୁବାର କାଠମାଣ୍ଡୁ ପହଞ୍ଚିଛି। ଉଦ୍ଧାରକାରୀ ସେର୍ପା ଦଳ ପାର୍ଥିବ ଶରୀରକୁ ଲୁକଲା ଆଣିବା ପରେ ବିମାନରେ ଏହାକୁ କାଠମାଣ୍ଡୁ ଅଣାଯାଇଥିଲା। ଏବେ ତାଙ୍କ ଶରୀରକୁ ଟିଚିଂ ହସପିଟାଲ୍ ପରିସରରେ ରଖାଯାଇଛି। ସାଧାରଣ ପରିବେଶରେ ଏହା ୧୫/୧୬ ଘଣ୍ଟା ରହିବା ପରେ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ। ଏହା ପରେ ପୋଲିସ୍ ରିପୋର୍ଟ, ମୃତ ପ୍ରମାଣପତ୍ର, ଇମର୍ଜିଂ ସାର୍ଟିଫିକେଟ, କାର୍ଗୋ ବୁକିଂ ଆଦି ଔପଚାରିକତା ସମ୍ପନ୍ନ କରାଯିବାର ରହିଛି। ଶନିବାର କାଠମାଣ୍ଡୁରେ ଛୁଟି ଥିବାରୁ ଜୁନ୍‌ ୧ କିମ୍ବା ୨ ତାରିଖରେ ସେଠାରୁ କଳ୍ପନାଙ୍କ ଶରୀର ଓଡ଼ିଶା ଅଭିମୁଖେ ବାହାରିବା ସମ୍ଭାବନା ରହିଛି‌ ବୋଲି କାଠମାଣ୍ଡୁ ଗସ୍ତ କରିଥିବା ୩ ଜଣିଆ ଓଡ଼ିଶା ଦଳର ସଦସ୍ୟ ରଂଜିତ କର୍ମି ଏବଂ ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଗସ୍ତ କରିଥିବା ଏହି ଦଳରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ମଧ୍ୟ ସାମିଲ ରହିଛନ୍ତି। ମରଶରୀର ଏଭେରେଷ୍ଟ୍‌ର ପାଖାପାଖି ୮,୬୦୦ ମିଟର ଉଚ୍ଚତାରେ ରହିଥିଲା। ତାଙ୍କୁ ଠାବ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ରାଜ୍ୟ ସରକାର କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ‌ ଲେଖିଥିଲେ। ଯେଉଁ ସଂସ୍ଥା (ସେଫର୍ଡ) କଳ୍ପନାଙ୍କ ଏଭେରେଷ୍ଟ୍ ଆରୋହଣ ଦାୟିତ୍ବ ନେଇଥିଲା ତାକୁ ହିଁ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe