ଭୁବନେଶ୍ବର : ରାମେଶ୍ବର ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଚାଲିଥିବା କମଳା ପରିଡ଼ା ସ୍ମାରକୀ ପଞ୍ଚମ ରାମେଶ୍ବର କପ୍ (୧୫ ବର୍ଷରୁ କମ୍) କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାରେ ସୋମବାର ପ୍ରଗତି ସ୍ପୋର୍ଟିଂ ୮ ୱିକେଟ୍ରେ ଗ୍ରିନ୍ସ କ୍ରିକେଟ୍ ଏକାଡେମିକୁ ପରାସ୍ତ କରି ସେମିଫାଇନାଲ୍କୁ ଉଠିଛି। ପ୍ରଥମେ ବ୍ୟାଟିଂ କରିଥିବା ଗ୍ରିନ୍ସ ଏକାଡେମି ୩୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା।
ପ୍ରାରମ୍ଭିକ ବ୍ୟାଟର୍ ଅଭିଷେକ ସେନାପତି (୮୨ ବଲ୍ରୁ ୭୧ ରନ୍, ୧୨ ଚୌକା) ଅର୍ଦ୍ଧଶତକ ହାସଲ କରିବା ସହ ସାଥି ଖେଳାଳି ସୌମ୍ୟ ପାଣ୍ଡେ (୨୭)ଙ୍କ ସହ ପ୍ରଥମ ୱିକେଟ୍ରେ ୪୮ ରନ୍ ଉଠାଇଥିଲେ। ଏହା ପରେ କିନ୍ତୁ ଗ୍ରିନ୍ସ ନିୟମିତ ୱିକେଟ୍ ହରାଇ ଚାଲିଥିଲା। ଯଶବନ୍ତ ପ୍ରଧାନ, ଅନମୋଲ ପଟ୍ଟନାୟକ, ଅସିମ ବରାଡ଼ ୨ ଲେଖାଏଁ ଏବଂ ଡିଏସ୍ ଅଭିନନ୍ଦନ, ବାସୁଦେବ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଆଦର୍ଶ କୁମାର (୨୩) ଏବଂ ଡିଏସ ଅଭିନନ୍ଦନ (୩୭) ପ୍ରଥମ ୱିକେଟ୍ ପାଇଁ ୬୩ ରନ୍ ଉଠାଇଥିଲେ ମଧ୍ୟ ଗୋଟିଏ ବଲ୍ ବ୍ୟବଧାନରେ ଉଭୟ ଆଉଟ୍ ହୋଇଯାଇଥିଲେ। ଯଶବନ୍ତ (୬୩ ବଲ୍ରୁ ୭୧* ରନ୍) ଏବଂ ଅଧିନାୟକ ଅମନ ଦାଶ (୪୩ ବଲ୍ରୁ ୪୧* ରନ୍) ଦଳକୁ ବିଜୟୀ କରିଥିଲେ। ପ୍ରଗତି ୩୦.୪ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଯଶବନ୍ତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ଜଲେଶ୍ବର ପ୍ରିମିୟମ୍ ମାଲିକ ସତ୍ୟନାରାୟଣ ବାରିକ। ମଙ୍ଗଳବାର ତୃତୀୟ କ୍ବାର୍ଟରଫାଇନାଲ୍ରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ ସହ ଟାଉନ୍ କ୍ଲବ୍ର ମୁକାବିଲା ହେବ।
Follow Us