ଅଖତରଙ୍କୁ କପିଳଙ୍କ ଜବାବ: ଭାରତକୁ ଅର୍ଥ ଆବଶ୍ୟକ ନାହିଁ

Advertisment
ଅଖତରଙ୍କୁ କପିଳଙ୍କ ଜବାବ: ଭାରତକୁ ଅର୍ଥ ଆବଶ୍ୟକ ନାହିଁ

MbS News

ନୂଆଦିଲ୍ଲୀ: ପାକିସ୍ତାନର ସୋଏବ ଅଖତରଙ୍କ ଏକ ପ୍ରସ୍ତାବକୁ ରୋକଠୋକ୍‌ ଭାବେ ଖଣ୍ଡନ କରି କିଂବଦନ୍ତି ଖେଳାଳି କପିଳ ଦେବ କହିଛନ୍ତି ଭାରତକୁ ଅର୍ଥ ଆବଶ୍ୟକତା ନାହିଁ। କୋଭିଡ୍‌-୧୫ ମୁକାବିଲା ପାଇଁ ଭାରତ ନିକଟରେ ଢେର ଅର୍ଥ ଅଛି। କ୍ରିକେଟ୍‌ ମ୍ୟାଚ୍‌ ଖେଳାଇ ଜୀବନକୁ ବାଜି ଲଗାଇ ପାରିବୁ ନାହିଁ ବୋଲି କପିଳ କହିଛନ୍ତି। ବୁଧବାର ଅଖତର କହିଥିଲେ, କେବଳ ଟେଲିଭିଜନ୍ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ୩ ମ୍ୟାଚ୍‌ ଶୃଙ୍ଖଳା ଖେଳାଯାଇ ପାଣ୍ଠି ସଂଗ୍ରହ କରାଯାଉ। ଅଖତର ଏଭଳି କହିପାରନ୍ତି ସେଥିପାଇଁ ସେ ହକ୍‌ଦାର, କିନ୍ତୁ ଆମକୁ ପାଣ୍ଠି ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ଆମ ସରକାର ଓ କର୍ତ୍ତୃପକ୍ଷ ଏକାଠି କାମ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଟେଲିଭିଜନରେ ରାଜନୈତିକ ବ୍ୟକ୍ତିମାନେ ପରସ୍ପରକୁ ସମାଲୋଚନା କରିବାର ଦେଖୁଛି, ଏହା ବନ୍ଦ ହେବାର ବେଳ ବୋଲି କପିଳ ଦେବ ପ୍ରକାଶ କରିଥିଲେ। ବିସିସିଆଇ ସରକାରଙ୍କୁ ୫୧ କୋଟି ଦେଇସାରିଛି, ପରିସ୍ଥିତି ଖରାପ ହେଲେ ଅଧିକ ବି ଦେଇପାରେ। ଆମକୁ ଏ ବେଳରେ କ୍ରିକେଟ୍‌ ଖେଳି ପାଣ୍ଠି ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ପରିସ୍ଥିତି ଏତେ ଶୀଘ୍ର ଠିକ୍ ହେବାର ସମ୍ଭାବନା ନାହିଁ। ଅନ୍ୟୁନ ୬ ମାସ ଯାଏଁ ତ କ୍ରିକେଟ୍‌ ଖେଳାଯିବାର ନାହିଁ। ଏଥି ପାଇଁ କାହାରି ଜୀବନକୁ ବାଜି ଲଗା ଯାଇପାରିବନାହିଁ। ଜୀବନ ବଞ୍ଚାଇବା ସହିତ ଗରିବ ଲୋକଙ୍କୁ ସହାୟତା କରିବାର ବେଳ ଆସିଛି। ଗରିବ ଲୋକଙ୍କୁ ସହାୟତା ଏବେ ବଡ଼ ପ୍ରସଙ୍ଗ। ହସ୍‌ପିଟାଲ୍‌ କର୍ମଚାରୀ, ପୁଲିସ୍‌ ଏବଂ ଅନ୍ୟମାନେ ଏ ଯୁଦ୍ଧର ଆଗଧାଡିର ଯୋଦ୍ଧା ବୋଲି ୬୧ ବର୍ଷୀୟ ଏହି ବିଶ୍ବକପ୍‌ ବିଜେତା ଅଧିନାୟକ ପ୍ରକାଶ କରିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁରୋଧ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଡ୍ରୋକ୍ଲୋରୋକୁଇନ୍‌ ଯୋଗାଇଥିବାରୁ କପିଳ ଦେବ ମଧ୍ୟ ଏହାକୁ ସ୍ବାଗତ କରିଥିଲେ। ଆମେରିକା ଭଳି ଦେଶକୁ ସହାୟତା କରିବା ଗର୍ବର କଥା। ଅନ୍ୟକୁ ସହାୟତା କରିବା ଆମ ସଂସ୍କୃତିରେ ରହିଛି। ଏଥି ପାଇଁ ବାହାଦୁରୀ ମାରିବାର ବି କିଛି ନାହିଁ। ନେଲସନ୍‌ ମାଣ୍ଡେଲା ଦୀର୍ଘ ୨୭ ବର୍ଷ ଧରି ଏକ ଛୋଟିଆ କୋଠରିରେ ରହୁଥିଲେ, ସେ ଦୃଷ୍ଟିରୁ ଦେଖିଲେ ଆମେ ଯଥେଷ୍ଟ ଭଲ ସ୍ଥିତିରେ ରହିଛେ ବୋଲି କପିଳ ଦେବ ପ୍ରକାଶ କରିଥିଲେ। ନିଜର ଶେଷ ବାକ୍ୟରେ କପିଳ କହିଥିଲେ ‘ମୁଁ ଘରେ ଅଛି, ସାମାଜିକ ଦୂରତା ପାଳନ କରୁଛି, ଆପଣ ବି କରନ୍ତୁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe