ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ପ୍ରତିଭାବାନ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମିଳିତ ଭାବେ ଅନେକ ମ୍ୟାଚ୍ରେ ଭାରତକୁ ଜିତାଇଛନ୍ତି। ‘କୁଲଚା’ ଭାବେ ପରିଚିତ ଏହି ଯୋଡ଼ି କିନ୍ତୁ ଆଉ ଏକାଠି ଖେଳୁଥିବାର ଦେଖିବାକୁ ମିଳୁ ନାହାନ୍ତି। ଏହା ପଛର ରହସ୍ୟ ଉପରୁ ପରଦା ଉଠାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ। କପିଳ କହିଛନ୍ତି ଯେ ଏହି ଦୁଇ ଜଣ ଏକାଠି ଖେଳିଲେ ଭାରତୀୟ ବ୍ୟାଟିଂ ଟିକିଏ ଦୁର୍ବଳ ହୋଇଯାଏ। ସେଥିପାଇଁ ଅଧିନାୟକ କୋହଲି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ସହ ଏମାନଙ୍କ ଭିତରୁ ଜଣକୁ ଖେଳାଇବାକୁ ପସନ୍ଦ କରୁଛନ୍ତି। ଜାଦେଜାଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଛି। ‘‘ତାଙ୍କ ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ ଏତେ ଭଲ ଯେ କେବେ କେବେ ଜାଦେଜା ଭଲ ବୋଲିଂ ନକରି ମଧ୍ୟ ଖସି ଯାଉଛନ୍ତି। ଅନ୍ୟ ସ୍ପିନରଙ୍କଠାରୁ ସେ ବ୍ୟାଟିଂରେ ବାଜି ମାରି ନେଉଛନ୍ତି’ ବୋଲି କପିଳ କହିଛନ୍ତି। ସୂଚନାଯୋଗ୍ୟ ଯେ ଚହଲ ଓ କୁଲଦୀପ ଏକାଠି ୩୪ ଦିନିକିଆ ଖେଳି ୨୨.୭୩ ହାରରେ ୬୫ ୱିକେଟ୍ କରାୟତ୍ତ କରିଛନ୍ତି। ଏହା ସତ୍ତ୍ବେ ୨୦୧୯ ଆଇସିସି ବିଶ୍ବକପ୍ର ଇଂଲଣ୍ଡ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଭାରତ ଏମାନଙ୍କୁ ଏକାଠି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ନାହିଁ। ଖାଲି ଦିନିକିଆ ନୁହେଁ ଟ୍ବେଣ୍ଟି-୨୦ରେ ମଧ୍ୟ ଏହି ଦୁଇ ଜଣ ଏକତ୍ର ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ୧୦ ମ୍ୟାଚ୍ରୁ ୨୨ ୱିକେଟ୍ ଅକ୍ତିଆର କରିଛନ୍ତି। ହେଲେ ୨୦୧୮ ଜୁଲାଇ ପରଠାରୁ ଏହି ଦୁଇ ଜଣ ଏକାଠି କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳି ନାହାନ୍ତି। କୁଲଦୀପ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ। ଦିନିକିଆ ଶୃଙ୍ଖଳାରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ଅନ୍ୟପକ୍ଷରେ ଚହଲ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସବୁ ମ୍ୟାଚ୍ ଖେଳିଥିଲା ବେଳେ ଶେଷ ଦୁଇ ଦିନିକିଆ ଦଳରେ ବି ଥିଲେ। ଉଭୟ ଏକାଠି କିନ୍ତୁ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନାହାନ୍ତି।
‘କୁଲ୍ଚା’ ନଖେଳିବାର କାରଣ ଦର୍ଶାଇଲେ କପିଳ
Advertisment
Follow Us