ଜାତୀୟ ଜଳକ୍ରୀଡ଼ାରେ କର୍ଣ୍ଣାଟକର ଆଧିପତ୍ୟ: ରିଲେ’ରେ ଓଡ଼ିଶା ସପ୍ତମ, ନବମ

ଜାତୀୟ ଜଳକ୍ରୀଡ଼ାରେ କର୍ଣ୍ଣାଟକର ଆଧିପତ୍ୟ: ରିଲେ’ରେ ଓଡ଼ିଶା ସପ୍ତମ, ନବମ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଚାଲିଥିବା ୪୮ତମ ଜାତୀୟ ଜୁନିଅର ଜଳକ୍ରୀଡ଼ା ପ୍ରତିଯୋଗିତାରେ ୪୯ ପଦକ ସହ କର୍ଣ୍ଣାଟକର ଆଧିପତ୍ୟ ଜାରି ରହିଛି। ମହାରାଷ୍ଟ୍ର ୨୩ ପଦକ ଜିତି ଦ୍ବିତୀୟ ଏବଂ ତେଲେଙ୍ଗାନା ୧୧ ପଦକ ପାଇ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଏହି ପାଞ୍ଚ ଦିନିଆ ପ୍ରତିଯୋଗିତାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଆୟୋଜକ ଓଡ଼ିଶା ଏ ପର୍ଯ୍ୟନ୍ତ ପଦକ ଖାତା ଖୋଲି ପାରିନାହିଁ। ସୋମବାର ଆୟୋଜିତ ବିଭିନ୍ନ ବର୍ଗର ପ୍ରତିଯୋଗିତା ମଧ୍ୟରୁ ୧୫ରୁ ୧୭ ବର୍ଷ ମହିଳା ୧୫୦୦ ମିଟର ଫ୍ରି ଷ୍ଟାଇଲରେ ତେଲେଙ୍ଗାନାର ଭ୍ରିତି ଅଗ୍ରୱାଲ, ବାଳକ ୪୦ ମିଟର ମେଡ୍‌ଲିରେ ରାଜସ୍ଥାନର ୟୁଗ ଚେଲାନି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ମହିଳା ୧୦୦ ମିଟର ବଟରଫ୍ଲାଏ‌’ରେ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରି ସ୍ବର୍ଣ୍ଣ ପଦକ ପାଇଥିଲେ। ବାଳକ ୧୦୦ ମିଟରରେ ମହାରାଷ୍ଟ୍ରର ବେଦାନ୍ତ ମାଧବନ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ମହିଳା ୫୦ ମିଟର ବ୍ୟାକଷ୍ଟ୍ରୋକ୍‌ରେ କର୍ଣ୍ଣାଟକର ରିଧିମା କୁମାର, ବାଳକ ୫୦ ମିଟର ବ୍ୟାକଷ୍ଟ୍ରୋକ୍‌ରେ ବେଙ୍ଗଲର ସାହିଲ ଲସ୍କର ସ୍ବର୍ଣ୍ଣ ପଦକ ଜିତିଥଇଲେ। ୧୨ରୁ ୧୪ ବର୍ଷ ବାଳିକା ୮୦୦ ମିଟରରେ କର୍ଣ୍ଣାଟକର ଏସ୍ ରୁଜୁଲା ନିଜ ଚମକ ଦେଖାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ବୟସବର୍ଗର ୧୦୦ ମିଟର ବାଳିକା ବଟରଫ୍ଲାଏ’ରେ କର୍ଣ୍ଣାଟକର ଧିନିଧି ଦେସିଙ୍ଘୁ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ବାଳକ ୪ଗୁଣା ୨୦୦ ମିଟର ଫ୍ରି-ଷ୍ଟାଇଲ୍ ରିଲେ’ରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହି ଇଭେଣ୍ଟ୍‌ରେ ଅଂଶୁମାନ ବଶିଷ୍ଟ, ଅନମୋଲ ମହାନ୍ତି, ୟଜତ ଗୁପ୍ତା ଓ ଆୟୁଷ ଅର୍ମାନ ବଡ଼ୁଙ୍କୁ ନେଇ ଗଠିତ ଓଡ଼ିଶା ଦଳ ସପ୍ତମ ସ୍ଥାନରେ ରହିଥିଲା। ୧୨ରୁ ୧୪ ବର୍ଷ ବାଳକ ୪ଗୁଣା ୨୦୦ ମିଟର ରିଲେ’ରେ ମଧ୍ୟ କର୍ଣ୍ଣାଟକ ବାଜି ମାରି ନେଇଥିଲା। ଏହି ଇଭେଣ୍ଟ୍‌ରେ ମଧ୍ୟ ମନଜ୍ୟୋତ ରାୟ, ହିତେଶ ମହାରଣା, ସାତ୍ବିକ ପାଣ୍ଡେ ଓ ସୋମ ସ୍ବରୂପ ଦାଶଙ୍କୁ ନେଇ ଗଠିତ ଓଡ଼ିଶା ଦଳ ନୈରାଶ୍ୟଜନକ ଭାବେ ନବମ ସ୍ଥାନ ଅଧିକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe