India's Dinesh Karthik fields during training at Queen's Park Oval in Port of Spain, Trinidad and Tobago, Thursday, June 22, 2017. India is on a five ODI and a one-off T20I tour to the West Indies slated to begin on June 23. (AP Photo/Ricardo Mazalan)
ଜୋହାନେସ୍ବର୍ଗ: ଶୃଙ୍ଖଳା ହାତଛଡ଼ା ପରେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍ ଭାରତର ବିଦେଶ ପ୍ରଦର୍ଶନ ଉପରେ ଆଉ ଏକ ସମ୍ମାନର ପ୍ରଶ୍ନ ନେଇ ଆସିଛି। କେପ୍ ଟାଉନ୍ ଏବଂ ସେଞ୍ଚୁରିଅନ୍ ଟେଷ୍ଟ୍ରେ ଶୋଚନୀୟ ପରାଜୟ କାରଣରୁ ଭାରତୀୟ ଦଳକୁ ଖେଳାଳି ଚୟନ ଚିନ୍ତା ଘାରି ରହିଛି। ରୋହିତ ଶର୍ମାଙ୍କ ବଦଳରେ ଅଜିଙ୍କ୍ୟ ରାହାଣେଙ୍କୁ ଖେଳାଯିବ ବୋଲି ରବିବାର ସୂଚନା ମିଳିଥିବାବେଳେ ଏବେ ଓ୍ଵିକେଟରକ୍ଷକ ସ୍ଥାନ ଉପରେ ନଜର ପଡ଼ିଛି। ପ୍ରଥମ ଟେଷ୍ଟ୍ରେ ରିଦ୍ଧିମାନ ସାହା ଏବଂ ଦ୍ୱିତୀୟ ଟେଷ୍ଟ୍ରେ ପାର୍ଥିବ ପଟେଲ୍ ଖେଳିଥିଲେ। ଏବେ ପାର୍ଥିବଙ୍କ ବଦଳରେ ଦୀନେଶ କାର୍ତିକଙ୍କୁ ଶେଷ ଟେଷ୍ଟ୍ରେ ଖେଳାଇବା ନେଇ ଚାଲିଛି ବିଚାର ବିମର୍ଷ। କାର୍ତିକ ମଧ୍ୟ ସୋମବାର ଓ୍ଵଣ୍ଡରର୍ସରେ ଅଭ୍ୟାସ କରି ଏହାର ଝଲକ ଦେଖାଇଛନ୍ତି।
ସେଞ୍ଚୁରିଅନରେ ଖେଳିଥିବା ପାର୍ଥିବ ପଟେଲ୍ ନିଜ ଜାତୀୟ ଦଳ ଭାଗ୍ୟ ବଦଳାଇବାର ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଥିଲେ। ୩୨ ବର୍ଷୀୟ ଏହି ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ଅଧିକ ଦାୟିତ୍ୱର ସହ ଖେଳିବାର ଥିଲା ବୋଲି ମତ ପ୍ରକାଶ ପାଇଥିଲା। ପାର୍ଥିବଙ୍କୁ ତାଙ୍କ ଦୟନୀୟ ପ୍ରଦର୍ଶନ ପାଇଁ ଦୋଷୀ କରାଯାଉନଥିଲେ ମଧ୍ୟ ସେ ନିଜେ ଅଧିକ ଦାୟିତ୍ୱବାନ ସହ ଖେଳିବାର ଥିଲା ବୋଲି ସ୍ୱୀକାର କରିଛନ୍ତି। ପଦାର୍ପଣ କରିବାର ପ୍ରାୟ ୧୫ ବର୍ଷ ପରେ ସେ ଯଦି ସେଞ୍ଚୁରିଅନ ସୁଯୋଗ ହାତେଇଥାନ୍ତେ ତେବେ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ନିଶ୍ଚିତ ଦଳରେ ସ୍ଥାନ ପକ୍କା କରିଥାନ୍ତେ। ଅତୀତର ଇଂଲଣ୍ଡ ଗସ୍ତରେ ସେ ଟ୍ରେଣ୍ଟ୍ ବ୍ରିଜ୍ ଟେଷ୍ଟ୍ରେ ଭାରତକୁ ପରାଜୟରୁ ରକ୍ଷା କରିବାର ସାହସିକ ପ୍ରଦର୍ଶନ କରିଥିଲେ। ପରବର୍ତୀ ସମୟରେ କିନ୍ତୁ ଭାଗ୍ୟ ସାଥ ନଦେବାରୁ ଦୀନେଶ କାର୍ତିକ ଚୂଡାନ୍ତ ଏକାଦଶରେ ସ୍ଥାନ ପକ୍କା କରି ନେଇଥିଲେ। ପାର୍ଥିବଙ୍କ ପଦାର୍ପଣ ପରଠାରୁ ତାଙ୍କ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଦୀନେଶ କାର୍ତିକ। କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତି ଉଭୟଙ୍କୁ ସୁଯୋଗ ଦେଇନଥିଲା।
ସେଞ୍ଚୁରିଅନରେ ପାର୍ଥିବଙ୍କ ବ୍ୟାଟିଂରେ (୧୯, ୧୯) ନୁହେଁ ଓ୍ଵିକେଟରକ୍ଷଣରେ ହିଁ ସବୁଠାରୁ ବଡ଼ ବିଫଳତା ଅର୍ଜନ କରିଥିଲେ। ଯଶପ୍ରୀତ ବୁମରାଙ୍କ ବୋଲିଂରେ ଡିନ୍ ଏଲଗାରଙ୍କ ବ୍ୟାଟ୍ ଧାରରୁ ଆସିଥିବା ବଲ୍କୁ ସେ ଧରିବାକୁ ଆଦୌ ପ୍ରୟାସ ନ କରି ଚେତେଶ୍ୱର ପୂଜାରାଙ୍କ ଉପରେ ଛାଡ଼ି ଦେଇଥିଲେ। ଏଥି ପାଇଁ ସେ ଢ଼େର ସମାଲୋଚିତ ହୋଇଥିଲେ।
ବାଭୁମା ବିଦା
ଦଳରେ ଥାଇ ଶୃଙ୍ଖଳାରେ ଆଦୌ ଖେଳିନଥିବା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ତେମ୍ବା ବାଭୁମା ତୃତୀୟ ଟେଷ୍ଟ୍ରେ ଦଳର ଅଂଶ ରହିିବେ ନାହିଁ। ଜାନୁଆରି ୧୭ ତାରିଖରେ ଏକ ଘରୋଇ ଦିନିକିଆ ମ୍ୟାଚ୍ ଖେଳୁଥିବାବେଳେ ବାଭୁମା ତାଙ୍କ ଡାହାଣ ହାତ ଆଙ୍ଗୁଠିରେ ଆଘାତ ପାଇବାରୁ ଏହା ଭାଙ୍ଗିଯାଇଛି। ତାଙ୍କୁ ୪ ସପ୍ତାହ ବିଶ୍ରାମ ପରାମର୍ଶ ଦିଆଯାଇଛି। କିନ୍ତୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏଦେନ ମର୍କରାମ ଆହତ ଥିବାରୁ ୨୩ ତାରିଖରେ ତାଙ୍କ ଶାରୀରିକ ପରୀକ୍ଷା ପରେ ଚିତ୍ର ସ୍ପଷ୍ଟ ହେବ।
Follow Us