ଦିନିକିଆରୁ କେଭିନ୍‌ ଓ’ବ୍ରିଏନ୍‌ଙ୍କ ଅବସର

Advertisment
ଦିନିକିଆରୁ କେଭିନ୍‌ ଓ’ବ୍ରିଏନ୍‌ଙ୍କ ଅବସର

ଲଣ୍ଡନ : ଆୟର୍ଲାଣ୍ଡ ଅଲ୍‌ରାଉଣ୍ଡର କେଭିନ୍‌ ଓ’ବ୍ରିଏନ୍‌ ଶୁକ୍ରବାର ତାଙ୍କ ୧୫ ବର୍ଷ ଧରି ଦିନିକିଆ ଆନ୍ତର୍ଜାତିକ ଜୀବନରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଏଣିକି ସେ କେବଳ ଟେଷ୍ଟ୍‌ ଓ ଟି-୨୦ରେ ଉପଲବ୍‌ଧ ହେବେ ବୋଲି କ୍ରିକେଟ୍‌ ଆୟର୍ଲାଣ୍ଡ୍‌ ଶୁବ୍ରବାର ଘୋଷଣା କରିଛି। ୩୭ ବର୍ଷ ବୟସ୍କ କେଭିନ୍‌ ଆୟର୍ଲାଣ୍ଡ୍‌ର ତୃତୀୟ ସର୍ବୋଚ୍ଚ ଦିନିକିଆ ଆନ୍ତର୍ଜାତିକ ସ୍କୋରର୍‌ ଥିଲେ। ସେ ୧୫୩ ମ୍ୟାଚ୍‌ ଖେଳି ୩୬୧୮ ରନ୍‌ ନିଜ ନାମରେ ରଖିଥିଲେ। ତାଙ୍କ ହାରାହାରି ୨୯.୪୧ ଏବଂ ଷ୍ଟ୍ରାଇକ୍‌ ରେଟ୍‌ ୮୮.୭୨ ଥିଲା। ସେ ମଧ୍ୟ ୧୧୪ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ୬୮ କ୍ୟାଚ୍‌ ଧରିଥିଲେ। ଫଳରେ ଆୟର୍ଲାଣ୍ଡର ସେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ସହିତ ସର୍ବାଧିକ କ୍ୟାଚ୍‌ ଧରିବାର କୀର୍ତ୍ତିମାନ ପାଇଥିଲେ।

ଦିନିକିଆରୁ ଏବେ ଅବସର ନେବାର ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି କେଭିନ୍‌। ୧୫ ବର୍ଷ ଧରି ଦେଶ ପକ୍ଷରୁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି ଏବଂ କ୍ୟାରିୟରର ଏହି ସ୍ମୃତି ଶେଷ ଜୀବନ ପର୍ଯ୍ୟନ୍ତ ମନେ ରହିବ ବୋଲି ସେ ଭାବବିହ୍ବଳ ହୋଇ କହିଥିଲେ। ଏଭଳି ନିଷ୍ପତ୍ତି ଆଦୗ ସହଜ ନଥିଲା। ହେଲେ ବହୁ ବିଚାରବିମର୍ଶ ପରେ ଦିନିକିଆ ଆନ୍ତର୍ଜାତିକରୁ ଅବସର ନେବାକୁ ସ୍ଥିର କଲି ବୋଲି କହିଛନ୍ତି କେଭିନ୍‌। ୨୦୧୧ ଆଇସିସି ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ କୀର୍ତ୍ତିମାନ ଭଙ୍ଗକାରୀ ୧୧୩ ରନ୍‌ ତାଙ୍କ କ୍ୟାରିୟରର ସବୁଠୁ ସ୍ମରଣୀୟ ବୋଲି କହିଥିଲେ। ବାଙ୍ଗାଲୋରରେ ସେହି ମ୍ୟାଚ୍‌ରେ ସେ ମାତ୍ର ୫୦ ବଲ୍‌ରେ ଶତକ ହାସଲ କରିଥିଲେ ଯାହାକି ଏବେ ବି ବିଶ୍ବକପ୍‌ରେ ଦ୍ରୁତତମ କୀର୍ତ୍ତିମାନ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe