ଖେଲୋ ଇଣ୍ଡିଆ: ଷଷ୍ଠ ଦିନରେ କିଟ୍‌କୁ ୫, ସମ୍ବଲପୁରକୁ ୨ ପଦକ

Advertisment
ଖେଲୋ ଇଣ୍ଡିଆ: ଷଷ୍ଠ ଦିନରେ କିଟ୍‌କୁ ୫, ସମ୍ବଲପୁରକୁ ୨ ପଦକ

ଭୁବନେଶ୍ବର: ଉତ୍ତର ପ୍ରଦେ‌ଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମଙ୍ଗଳବାର ଓଡ଼ିଶାକୁ ୭ (୫ ସ୍ବର୍ଣ୍ଣ, ୨ ରୌପ୍ୟ) ପଦକ ମିଳିଛି। ଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୭ (୮ ସ୍ବର୍ଣ୍ଣ, ୮ ରୌପ୍ୟ, ୪ କାଂସ୍ୟ)ରେ ପହଞ୍ଚିଛି। ଯାହା ଗତ ୨ ସଂସ୍କରଣଠୁ ଅଧିକ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩ ବିଶ୍ବବିଦ୍ୟାଳୟ କିଟ୍‌, ଉତ୍କଳ ଓ ସମ୍ବଲପୁର ଅଂଶଗ୍ରହଣ କରିଛନ୍ତି। ମଙ୍ଗଳବାର କିଟ୍‌ ୫ (୪ ସ୍ବର୍ଣ୍ଣ, ୧ ରୌପ୍ୟ) ଏବଂ ସମ୍ବଲପୁର ୨ (୧ ସ୍ବର୍ଣ୍ଣ, ୧ ରୌପ୍ୟ) ପଦକ ଜିତିଛନ୍ତି। ଏପର୍ଯ୍ୟନ୍ତ କିଟ୍‌ ମୋଟ ୯ (୫ ସ୍ବର୍ଣ୍ଣ ଓ ୪ ରୌପ୍ୟ) ପଦକ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।

ମଙ୍ଗଳବାର କିଟ୍‌ ପାଇଁ ଆଥ୍‌ଲେଟ୍‌ ପ୍ରଜ୍ଞା ପ୍ରଶାନ୍ତି ସାହୁ, ବିକ୍ରାନ୍ତ ମଲ୍ଲିକ, ସୁସ୍ମିତା ଟିଗା ଓ ଅଜୟ କୁମାର ସ୍ବର୍ଣ୍ଣ ଏବଂ ଭାରୋତ୍ତୋଳକ କୁମ୍ଭେଶ୍ବର ମଲ୍ଲିକ ରୌପ୍ୟ ଜିତିଥିଲେ। ୧୦୦ ମିଟର ମିହିଳା ବାଧାଦୌଡ଼ରେ ପ୍ରଜ୍ଞା (୧୩.୬୩ ସେକେଣ୍ଡ) ଓ ପୁରୁଷ ଜାଭଲିନ୍‌ରେ ବିକ୍ରାନ୍ତ (୮୦ ମିଟର) ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା କୀର୍ତ୍ତିମାନ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ସୁସ୍ମିତା (୧୦:୪୨.୪୩ ସେକେଣ୍ଡ), ପୁରୁଷ ହାମର ଥ୍ରୋରେ ଅଜୟ କୁମାର (୫୮.୨୭ ମିଟର) ସ୍ବର୍ଣ୍ଣ ଏବଂ ପୁରୁଷ ୫୫ କେଜି ଭାରୋତ୍ତୋଳ‌ନରେ କୁମ୍ଭେଶ୍ବର (୯୬ କେଜି ସ୍ନା‌ଚ୍, ୧୧୬ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୨୧୨ କେଜି) ରୌପ୍ୟ ଜିତିଥିଲେ। ସମ୍ବଲପୁରର ମନୀଷା ମେରେଲ ମହିଳା ଲମ୍ବ ଡିଆଁରେ ସ୍ବର୍ଣ୍ଣ ଏବଂ ସ୍ବାଧୀନ କୁମାର ମାଝୀ ପୁରୁଷ ଉଚ୍ଚ ଡିଆଁରେ ରୌପ୍ୟ ପଦକ ପାଇଥିଲେ। ତେବେ କିଟ୍‌ ପୁରୁଷ ଟେନିସ ଦଳ ମଙ୍ଗଳବାର କାଂସ୍ୟ ମୁକାବିଲାକୁ ୧-୨ରେ ଗୁଜରାଟ ବିଶ୍ବବିଦ୍ୟାଳୟଠୁ ହାରି ପଦକରୁ ବଞ୍ଚିତ ହୋଇଥିଲା। ସମ୍ବଲପୁରୁ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ୨-୪ (୫-୫) ସୁଟ୍‌ଆଉଟ୍‌ରେ ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟଠୁ ହାରି ଫାଇନାଲ୍‌ରୁ ବାଦ୍‌ ପଡ଼ିଛି। ଗୁରୁବାର ଏହି ଦଳ କାଂସ୍ୟ ପାଇଁ ଭିବିଏସ୍‌ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ସହ ଲଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe