ଖେଲୋ ଇଣ୍ଡିଆ: ଓଡ଼ିଶାକୁ ନବମ ଦିନ ୪ ପଦକ, କୁଲ୍‌ଦୀପଙ୍କୁ ସ୍ବର୍ଣ୍ଣ, ପ୍ରତ୍ୟାଶାଙ୍କୁ ରୌପ୍ୟ

ମୋତି ଓ ଖୋଖୋ ବାଳିକାଙ୍କୁ କାଂସ୍ୟ

ଖେଲୋ ଇଣ୍ଡିଆ: ଓଡ଼ିଶାକୁ ନବମ ଦିନ ୪ ପଦକ, କୁଲ୍‌ଦୀପଙ୍କୁ ସ୍ବର୍ଣ୍ଣ, ପ୍ରତ୍ୟାଶାଙ୍କୁ ରୌପ୍ୟ

ବ୍ରହ୍ମପୁର/ସମ୍ବଲପୁର/ଭୁବନେଶ୍ବର: ଆସାମର ଗୁଆହାଟୀରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନରେ ଓଡ଼ିଶାକୁ ଶନିବାର ଏକକାଳୀନ ୪ ପଦକ ମିଳିଛି। ଲଗାତାର ଦ୍ବିତୀୟ ଦିବସରେ ଭାରୋତ୍ତୋଳନରୁ ସଫଳତା ମିଳିଛି। ଏଥିରୁ ୨ ପଦକ ମିଳିଥିବା ବେଳେ ସନ୍ତରଣରୁ ପ୍ରତ୍ୟାଶା ରାୟ ରୌପ୍ୟ ଏବଂ ବାଳିକା ଖୋଖୋ ଦଳ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହିତ ନବମ ଦିବସ ସୁଦ୍ଧା ଓଡ଼ିଶା ୫ ସ୍ବର୍ଣ୍ଣ, ୪ ରୌପ୍ୟ, ୩ କାଂସ୍ୟ ସହିତ ମୋଟ ୧୨ ପଦକ ଜିତି ପଏଣ୍ଟ ଟେବୁଲର ୧୬ତମ ସ୍ଥାନରେ ରହିଛି।

ଭାରୋତ୍ତୋଳନ: ଶୁକ୍ରବାର ମୁନା ନାୟକ ରୌପ୍ୟ ପଦକ ଜିତିଥିବା ବେଳେ ଶନିବାର ପୁରୁଣା ବ୍ରହ୍ମପୁରର କୁଲ୍‌ଦୀପ୍ ସାହୁ ବାଳକ ୬୭ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କୁଲ୍‌ଦୀପ ମୋଟ ୨୩୮ (୧୦୩ କେଜି ସ୍ନାଚ୍, ୧୩୫ କ୍ଲିନ୍ ଆଣ୍ଡ ଜର୍କ) କେଜି ଭାରୋତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି। ବାଳିକା ବିଭାଗରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ମୋତି ଜାନି ୫୫ କେଜି ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେ ମୋଟ ୧୫୮ (୬୬ କେଜି ସ୍ନାଚ୍ ଏବଂ ୯୨ କେଜି କ୍ଲିନ୍ ଆଣ୍ଡ ଜର୍କ) କେଜି ଭାରୋତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ମୋଟ ୧୨ ଜଣ ଭାରୋତ୍ତୋଳକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଶନିବାର ସୁଦ୍ଧା ୩ ଜଣ ପଦକ ଅମଳ କରିବାରେ ସକ୍ଷମ ହୋଇଛନ୍ତି।

ସନ୍ତରଣ: ଓଡ଼ିଶାର ପ୍ରତ୍ୟାଶା ରାୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସନ୍ତରଣରୁ ଓଡ଼ିଶା ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ୨୧ ବର୍ଷରୁ କମ୍‌ ବାଳିକା ବର୍ଗ ୧୦୦ ମିଟର୍ ବ୍ୟାକ୍‌ଷ୍ଟ୍ରୋକ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରତ୍ୟାଶା ୧ ମିନିଟ୍‌ ୯. ୩୮ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଲ ୧.୦୬.୭୧ ସମୟ ନେଇ ସ୍ବର୍ଣ୍ଣ ଜିଣି ଥିଲାବେଳେ ଗୁଜରାଟର ମାନ୍ନା ପଟେଲ ୧.୧୨.୩୮ ସମୟ ସହ କାଂସ୍ୟ ପଦକ ପାଇଛନ୍ତି। ପ୍ରତ୍ୟାଶାଙ୍କୁ ତାଙ୍କ ସଫଳତା ପାଇଁ ରାଜ୍ୟ ସନ୍ତରଣ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ, ସାଧାରଣ ସଂପାଦକ ଦିଲାୱର ହୋସେନ, ଯୁଗ୍ମସଂପାଦକ ଜୟକୃଷ୍ଣ ପଟେଲ, କୋଷାଧ୍ୟକ୍ଷ ବିଜୟ ଦିକ୍ଷୀତ ଅଭିନନ୍ଦନ ଜଣାଇବା ସହ ସେ ଏହି ପ୍ରତିଯୋଗିତାରେ ଆହୁରି ପଦକ ଜିତିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଗତବର୍ଷ ପ୍ରତ୍ୟାଶା ବ୍ୟକ୍ତିଗତ ଭାବେ ଏହି ପ୍ରତିଯୋଗିତାରେ ୨ ପଦକ ଜିତିଥିଲେ।publive-image

ଖୋଖୋ: ପାରମ୍ପରିକ ଗ୍ରାମୀଣ ଖେଳ ଖୋ ଖୋରେ ଓଡ଼ିଶାର ଉତ୍‌ଥାନ ମଧ୍ୟ ଖେଲୋ ଇଣ୍ଡିଆରେ ପ୍ରତିଫଳିତ ହୋଇଛି। ଜାତୀୟ ସଫଳତା ଭଳି ଓଡ଼ିଶା ବାଳିକା ଦଳ ମଧ୍ୟ କାଂସ୍ୟ ପଦକ ହାସଲ କରିନେଇଛି। ଓଡ଼ିଶା ଦଳରୁ ମଧୁସ୍ମିତା ଓଝା, ସସ୍ମିତା ନାଥଶର୍ମା, ଶିବାନୀ ଗମାଙ୍ଗୋ, ଶୁଭଶ୍ରୀ ସିଂହ, ଅର୍ଚନା ମାଝି, ସବନମ୍ ଖା‌ତୁନ, ଆଶା ମାରାଣ୍ଡି, ପୁଷ୍ପା ମାରାଣ୍ଡି, ରଂଜିତା ବାରିକ, ସସ୍ମିତା ପାତ୍ର, ରଶ୍ମିତା ଖଟୋଇ, ଅନନ୍ୟା ପ୍ରଧାନ ପ୍ରତିନିଧିତ୍ବ କରିଥିବାରୁ କାଂସ୍ୟ ପଦକର ସ୍ପର୍ଶ ପାଇଛନ୍ତି।

ହକି ନିରାଶା: ମୌଲାନା ମହମ୍ମଦ ତୟାବୁଲ୍ଲା ଷ୍ଟାଡିୟମ୍‌ରେ ଚାଲିଥିବା ହକି ପ୍ରତିଯୋଗିତାରେ ଓଡ଼ିଶା ଶନିବାର କିନ୍ତୁ ନିରାଶ ହୋଇଛି। ୧୭ ବର୍ଷରୁ କମ୍‌ ବାଳକ ଏବଂ ବାଳିକା ବର୍ଗର ସେମିଫାଇନାଲରୁ ଓଡ଼ିଶାର ଉଭୟ ଦଳ ବିଦାୟ ନେଇଛି। ଓଡ଼ିଶା ବାଳିକାଙ୍କୁ ହରିଆନା ୧-୦ରେ ଏବଂ ବାଳକଙ୍କୁ ଉତ୍ତରପ୍ରଦେଶ ୫-୧ରେ ହରାଇ ଦେଇଥିଲା। ସେହିଭଳି ୨୧ ବର୍ଷରୁ କମ୍‌ ମହିଳାରେ ଓଡ଼ିଶା ସେମିଫାଇନାଲ୍ ପହଞ୍ଚି ପାରିନାହିଁ। ପୁରୁଷ ମାନେ କିନ୍ତୁ ସେମିଫାଇନାଲ୍ ପହଞ୍ଚି ଏକମାତ୍ର ଆଶା ରଖିଛନ୍ତି। ଓଡ଼ିଶା ପୁରୁଷ ଦଳ ରବିବାର ସେମିଫାଇନାଲରେ ହରିଆନାକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe