ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣଗାରାଠାରେ ଶୁକ୍ରବାରଠୁ ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ସିରିଜ୍ (ରାଉଣ୍ଡ-୨, ଜୋନ୍-୪) ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଆ ଝିଅ ମନ୍ନତା ମିଶ୍ର ଏବଂ ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ ୩ଟି ଲେଖାଏଁ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଆଧିପତ୍ୟ ବିସ୍ତାର କରିଛନ୍ତି। ମନ୍ନତା ୧୫ ବର୍ଷରୁ କମ୍ର ୧୦୦ ଫ୍ଲାଏ, ୫୦ କିକ୍ -୫୦ ପୁଲ୍ ବ୍ରେଷ୍ଟ ଏବଂ ୨୦୦ ଇଣ୍ଡିଭିଜୁଆଲ୍ ମେଡ୍ଲେରେ ଏହି ସଫଳତା ପାଇଥିଲେ। ସେହିପରି ଦିବ୍ୟାଙ୍କା ୧୮ ବର୍ଷରୁ କମ୍ର ୨୦୦ ବ୍ରେଷ୍ଟ୍, ୫୦ କିକ୍ -୫୦ ପୁଲ୍ ବ୍ରେଷ୍ଟ ଏବଂ ୨୦୦ ଇଣ୍ଡିଭିଜୁଆଲ୍ ମେଡ୍ଲେରେ ପ୍ରଥମ ସ୍ଥାନ ପାଇଥିଲେ। ଏହି ବୟସ ବର୍ଗରେ ଅର୍ପିତା ସାହୁ ୫୦ କିକ୍ -୫୦ ପୁଲ୍ ବ୍ରେଷ୍ଟରେ ଦ୍ବିତୀୟ ଏବଂ ୨୦୦ ବ୍ରେଷ୍ଟ୍ରେ ତୃତୀୟରେ ରହିଥିଲେ। ଭଦ୍ରା ଶତପଥୀ ୨୦୦ ମିଟର ଫ୍ରିରେ ପ୍ରଥମ, ୧୦୦ ମିଟର ବ୍ୟାକ୍ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆକାଂକ୍ଷା ନାୟକ ୧୦୦ ମିଟର ଫ୍ଲାଏରେ ପ୍ରଥମ ଏବଂ ୫୦ କିକ୍ -୫୦ ପୁଲ୍ ଫ୍ରିରେ ତୃତୀୟ ସ୍ଥାନରେ ରହିଥିଲେ। ୧୫ ବର୍ଷରୁ କମ୍ରେ ଅନୁଭା ଜେନା ୫୦ କିକ୍ -୫୦ ପୁଲ୍ ଫ୍ରିରେ ଶୀର୍ଷରେ ରହିଥିଲେ।
ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ସଭାପତି ପ୍ରଦୀପ ପାଢ଼ୀ, ଓଡ଼ିଶା ସରକାରଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଉପନିର୍ଦେଶକ ଟିଏନ୍ ସାହୁ, ଜଳ ଉତ୍ସ ବିଭାଗ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ସଫଳ ଖେଳାଳିମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ସମ୍ପାଦକ ଗୋଲାପମଣି ମହାନ୍ତ, କୋଷାଧ୍ୟକ୍ଷ ବିଜୟ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ସହ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
Follow Us