ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ପଦକ ଲକ୍ଷ୍ୟରେ ଜଗଦୀଶ ଓ ବିଶ୍ବଜିତ

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ପଦକ ଲକ୍ଷ୍ୟରେ ଜଗଦୀଶ ଓ ବିଶ୍ବଜିତ

ଭୁବନେଶ୍ବର: ଗତ ବର୍ଷ ମେ’ ମାସର ଭୟାବହ ଘୂର୍ଣ୍ଣିଝଡ଼ ‘ଫନି’ ସେମାନଙ୍କ ଅଭ୍ୟାସ ଆଖଡ଼ାକୁ ସଂପୂର୍ଣ୍ଣ ଛାରଖାର କରିଦେଇଥିଲା। ଏହା ସତ୍ତ୍ବେ ପୁରୀ ଉପକଣ୍ଠ ରାଧାବଲ୍ଲଭ ମହାବିଦ୍ୟାଳୟର ଦୁଇ ଛାତ୍ର ଜଗଦୀଶ ବାରିକ ଏବଂ ବିଶ୍ବଜିତ ବେହେରା ଜାତୀୟସ୍ତରରେ ନିଜ ପ୍ରତିଭାର ଚମକ ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି। ସବୁ ବାଧାବିଘ୍ନକୁ ପଛରେ ପକାଇ ଆସାମର ଦିସପୁରର ଭୋଗେଶ୍ବରୀ ଫୁକନାନି ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଜିମ୍ନାଷ୍ଟିକ୍ଦରେ ଉଭୟ ପଦକ ଜିତିବା ଆଶାରେ ରହିଛନ୍ତି। ପ୍ରଶିକ୍ଷଣ ଏବଂ ଅଭ୍ୟାସ ବାଧାପାପ୍ତ ହୋଇଥିଲେ ମଧ୍ୟ ଏହା ସେମାନଙ୍କ ଆତ୍ମବିଶ୍ବାସକୁ ଆଦୌ ଦୋହଲାଇ ପାରିନାହିଁ। ଗୁରୁବାର ଦୁଇ ଜଣ ଯାକ ବାଳକ ୧୭ ବର୍ଷରୁ କମ୍ ଜିମ୍ନାଷ୍ଟିକ୍ସ ରିଙ୍ଗ୍‌ରେ କମାଲ କରିଛନ୍ତି। ଯାହା ଅନ୍ୟ ପ୍ରତିଯୋଗୀଙ୍କୁ ବି ଆଶ୍ଚର୍ଯ୍ୟଚକିତ କରିଛି। ଆଖିରେ ଆଖିଏ ସ୍ବପ୍ନ ନେଇ ଦିସପୁର ଯାଇଥିବା ଜଗଦୀଶ କହିଛନ୍ତି ‘ଫନି’ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲା। ତା ପାଇଁ ଓଡ଼ିଶା ଏବଂ ପୁରୀରେ ସବୁକିଛି ଛାରଖାର ହୋଇଯାଇଥିଲା। ଆମ ଅଭ୍ୟାସ ଘର ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ତଥାପି ଆମେ ଅଟକି ନଥିଲୁ। ପର୍ଯ୍ୟାପ୍ତ ଅଭ୍ୟାସରୁ ବଞ୍ଚିତ ହୋଇଥିଲେ ମଧ୍ୟ ମୁଁ ମୋ ରାଜ୍ୟ ଏବଂ ଆଗକୁ ଦେଶ ପାଇଁ ପଦକ ଜିତିବାକୁ ଲକ୍ଷ୍ୟ ରଖିଛି। ୨୦୧୬ରେ ଜିମ୍ନାଷ୍ଟିକ୍ସକୁ ଓହ୍ଲାଇଥିବା ଜଗଦୀଶ ପ୍ରଦୀପ ସାହୁ ଏବଂ ଅଶୋକ କୁମାର ମିଶ୍ରଙ୍କଠାରୁ ପ୍ରଶିକ୍ଷଣ ନେଇ ଖେ‌ଲୋ‌ ଇଣ୍ଡିଆକୁ ଯାଇଛନ୍ତି। ଫନି ପାଇଁ ପ୍ରଶିକ୍ଷଣ ଏବଂ ଅଭ୍ୟାସରେ ଅସୁବିଧା ହୋଇଥିଲା। ହେଲେ ଆମେ ଏଠାରେ ନିଶ୍ଚିତ ଭାବେ ଭଲ କରିବୁ ବୋଲି ସାଥୀ ଜିମ୍ନାଷ୍ଟ ବିଶ୍ବଜିତ ଦୃଢ଼ତାର ସହ କହିଛନ୍ତି। ପ୍ରଶିକ୍ଷକ ପ୍ରଦୀପ ସାହୁ ମଧ୍ୟ ଖୋଲୋ ଇଣ୍ଡିଆର ଅନ୍ୟତମ ଅଧିକାରୀ ଭାବେ ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ଉଭୟ ବିଶ୍ବଜିତ ଏବଂ ଜଗଦୀଶଙ୍କ ପାଖରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବାର ପ୍ରତିଭା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe