ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ଜାତୀୟ କୀର୍ତ୍ତିମାନ ସହ ଜୟରାମଙ୍କୁ ସ୍ବର୍ଣ୍ଣ

Advertisment

ଲମ୍ବ ଡିଆଁରେ ସବିତା ପ୍ରଥମ, ବାଳିକା କାନୋସ୍ପ୍ରିଣ୍ଟ ଓ ଖୋ‌ଖୋ ଦଳ ବିଜେତା: ପଦକ ସଂଖ୍ୟା ୧୫ରେ ପହଞ୍ଚିଲା

ଲମ୍ବ ଡିଆଁରେ ସବିତା ପ୍ରଥମ, ବାଳିକା କାନୋସ୍ପ୍ରିଣ୍ଟ ଓ ଖୋ‌ଖୋ ଦଳ ବିଜେତା: ପଦକ ସଂଖ୍ୟା ୧୫ରେ ପହଞ୍ଚିଲା

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ଜାତୀୟ କୀର୍ତ୍ତିମାନ ସହ ଜୟରାମଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର : ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ଚତୁର୍ଥ ଦିନରେ ଓଡ଼ିଶା ୪ ସ୍ବର୍ଣ୍ଣ ସହ ୭ ପଦକ ପାଇଛି। ୧୦୦ ମିଟର ଦୌଡ଼କୁଦରେ ଡି.ଏମ୍‌. ଜୟରାମ ଜାତୀୟ ‌କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଛନ୍ତି। ସେ ଏହି ଦୂରତାକୁ ୧୦.୫୩ ସେକେଣ୍ଡରେ ଅତିକ୍ରମ କରିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ରିତିକ ମଙ୍ଗଳଗିରିଙ୍କ ନାମରେ ଥିଲା। ସେ ୨୦୧୯ରେ ୧୦.୬୫ ସେକେଣ୍ଡ ସମୟ ନେଇ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ଇଭେଣ୍ଟରେ ମହାରାଷ୍ଟ୍ରର ରୁଷିପ୍ରସାଦ ସଂଜୟ ଦେଶାଇ (୧୦.୬୭ ସେକେଣ୍ଡ) ଓ ତାମିଲନାଡୁର ବରୁଣ ମନୋହର (୧୦.୭୩ ସେକେଣ୍ଡ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ପାଇଛନ୍ତି। ସେହିପରି ଲମ୍ବ ଡିଆଁରେ ସବିତା ଟପ୍ପୋ ୫.୭୩ ମିଟର ଲମ୍ପ ମାରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

publive-image ବାଳିକା ଖୋ ଖୋ ଦଳ

କାନୋସ୍ପ୍ରିଣ୍ଟରେ ଓଡ଼ିଶା ବାଳିକା ଦଳ ବିଜେତା ଓ ବାଳକ ଦଳ ଉପବିଜେତା ହୋଇଛି। ବାଳିକା ଦଳ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ପଦକ ପାଇ ବିଜେତା ହୋଇଛି। ଏହା ପଛକୁ ମଧ୍ୟପ୍ର‌ଦେଶ ପ୍ରଥମ ଉପବିଜେତା ଓ କେରଳ ଦ୍ବିତୀୟ ଉପବିଜେତା ହୋଇଥିଲା। ଅନ୍ୟପକ୍ଷରେ ବାଳକରେ ଓଡ଼ିଶା ୧ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ପଦକ ସହ ପ୍ରଥମ ଉପବିଜେତା ହୋଇଥିଲା ବେଳେ ମଧ୍ୟପ୍ରଦେଶ ବିଜେତା ଓ ରାଜସ୍ଥାନ ଦ୍ବିତୀୟ ଉପବିଜେତା ହୋଇଛି। ଶୁକ୍ରବାରର ଇଭେଣ୍ଟଗୁଡ଼ିକ ମଧ୍ୟରେ ୨୦୦ ମିଟର ମହିଳା କେ-୧ରେ ପି.ରୋଜି ଦେବୀ ୫୨.୨୮ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ପାଇଥିଲେ। ତାଙ୍କ ବ୍ୟତୀତ ୨୦୦ ମିଟର ମହିଳା ସି-୧ରେ ଏଲ୍‌. ନେହା ଦେବୀ ୫୬.୦୮ ସେକେଣ୍ଡରେ ରୌପ୍ୟ ଏବଂ ପୁରୁଷ କେ-୧ରେ ଆଇ. ବୋରିସ ସିଂହ ୪୧.୫୬ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଥିଲେ। ଖୋଖୋରେ ଓଡ଼ିଶା ମହିଳା ଦଳ ଆଧିପତ୍ୟ ବିସ୍ତାର କରିବା ସହ ଫାଇନାଲ୍‌ରେ ମହାରାଷ୍ଟ୍ରକୁ ୩୨-୨୬ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛି।

publive-image ବାଳକ ଖୋ ଖୋ ଦଳ

ଅପରପକ୍ଷେ କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ଓଡ଼ିଶା ପୁରୁଷ ଦଳ ୧୪-୧୨ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ରାଜ୍ୟ କ୍ରୀଡ଼ାବିତ୍‌ଙ୍କ ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼ଦୁଦ ସଂଘ ସଭାପତି ଜି.ଏସ୍‌. ପଟ୍ଟନାୟକ ଓ ସମ୍ପାଦକ ଆଶୀର୍ବାଦ ବେହେରା, ରାଜ୍ୟ କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe