ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ସ୍ବର୍ଣ୍ଣ ଜିତିଲେ ବସ୍‌ ଚାଳକଙ୍କ ପୁଅ ମନୋଜ, ୨ମାସରେ କାଂସ୍ୟକୁ ସୁନାରେ ବଦଳାଇଲେ

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ସ୍ବର୍ଣ୍ଣ ଜିତିଲେ ବସ୍‌ ଚାଳକଙ୍କ ପୁଅ ମନୋଜ, ୨ମାସରେ କାଂସ୍ୟକୁ ସୁନାରେ ବଦଳାଇଲେ

ବ୍ରହ୍ମପୁର: ଗତ ଡିସେମ୍ବରରେ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରାୟ ମାସକ ପରେ ଅନୁଷ୍ଠିତ ତୃତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ କାଂସ୍ୟକୁ ରୌପ୍ୟରେ ପରିଣତ କରିଥିଲେ। ପୁଣି ଏକ ମାସ ପରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ହେଲେ ଚିକିଟି ମହାବିଦ୍ୟାଳୟର +୩ ପ୍ରଥମ ବର୍ଷ କଳା ଛାତ୍ର ମନୋଜ କୁମାର ସାହୁ। କିଟ୍‌ରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଭାରୋ‌େତ୍ତାଳନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରି ଗୁରୁବାର ସେ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ବିଭାଗ ୭୩ କେଜି ବର୍ଗରେ ମନୋଜ ମୋଟ ୨୬୭ କେଜି (୧୧୫ କେଜି ସ୍ନାଚ୍‌ ଓ ୧୫୨ କେଜି କ୍ଲିନ୍ ଆଣ୍ଡ ଜର୍କ‌୍) ଭାରୋତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି।

ମନୋଜଙ୍କ ଘର ବ୍ରହ୍ମପୁର ଜଉରା ସାହିରେ। ତାଙ୍କ ବାପା ସୂର୍ଯ୍ୟନାରାୟଣ ସାହୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଜଣେ ବସ୍‌ ଚାଳକ ଭାବେ କାର୍ଯ୍ୟରତ ଅଛନ୍ତି। ମନୋଜ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଭାରୋତ୍ତୋଳନ ପ୍ରତି ଆକୃଷ୍ଟ ହୋଇଥିଲେ। ବୀର ହନୁମାନ କ୍ଲବ୍‌ରେ ଅଭ୍ୟାସ କରୁଥିଲେ। ବର୍ତ୍ତମାନ ମନୋଜ ଚିକିଟି ମହାବିଦ୍ୟାଳୟରେ +୩ କଳାର ପ୍ରଥମ ବର୍ଷ ଛାତ୍ର। ହେଲେ ଭୁବନେଶ୍ବର ସ୍ଥିତ ହାଇପରଫର୍‌ମାନ୍ସ ସେଣ୍ଟରରେ ଭାରୋତ୍ତୋଳନ ତାଲିମ୍‌ ନେଉଥିଲେ। ଗତ ଡିସେମ୍ବର ୧୭ରେ ପଞ୍ଜାବର ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରତିନିଧିତ୍ବ କରି ମନୋଜ ଏକମାତ୍ର ଖେଳାଳି ଭାବେ ପଦକ ଜିତିଥିଲେ। ସେ ୧୧୦ କେଜି ସ୍ନାଚ୍‌, ୧୪୮ କେଜି କ୍ଲିନ୍‌ ଆଣ୍ଡ ଜର୍କ‌୍ ମୋଟ ୨୫୮‌‌କେଜି ଭାରୋତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଥିଲେ। ଏହାପରେ ଗତ ଜାନୁଆରି ୧୯ରେ ଆସାମର ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ କନିଷ୍ଠ ବିଭାଗରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିଲେ। ଏଥିରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ରୌପ୍ୟ ପଦକ ହାସଲ କରିଥିଲେ। ସେ ୧୧୧ କେଜି ସ୍ନାଚ୍‌ ଏବଂ ୧୫୩ କେଜି କ୍ଲିନ୍ ଆଣ୍ଡ ଜର୍କ‌୍ ମୋଟ ୨୬୪ କେଜି ଭାରୋତ୍ତୋଳନ କରି ଏହି ସଫଳତା ପାଇଥିଲେ। ଏବେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପୁଣି ନିଜ ପ୍ରଦର୍ଶନରେ ଉନ୍ନତି ଆଣି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇବା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, କ୍ରୀଡ଼ା ପରିଷଦ ସମ୍ପାଦିକା ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ, କ୍ରୀଡ଼ା ଅଧିକାରୀ ରବି ମିଶ୍ର ପ୍ରମୁଖ ମନୋଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୁନେ ବିଶ୍ବବିଦ୍ୟାଳୟ ଦବ୍‌ଦବା ଜାରି
ଭୁବନେଶ୍ବର: ସାବିତ୍ରୀବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ ନିଜର ଦବ୍‌ଦବା ଜାରି ରଖି ଚଳିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପଦକ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଗୁରୁବାର ଏହି ବିଶ୍ବବିଦ୍ୟାଳୟ ପାଇଁ ଭାରୋତ୍ତୋଳକ ମହେଶ ଦତ୍ତ ଅସୱାଲା, ପ୍ରଜକ୍ତା ରବୀନ୍ଦ୍ର ଖଲକାର ଓ କୁସ୍ତିବିତ ଜ୍ୟୋତିବା ବଜରଙ୍ଗ ଅତକାଲେ ସ୍ବର୍ଣ୍ଣ ଜିତି ଥିଲେ। ଫଳରେ ପୁନେ ଦଳ ‌୧୩ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୨୪ ପଦକ ସହ ଶୀର୍ଷରେ ରହିଥିଲା। ଏହା ପଛକୁ ପଞ୍ଜାବ ବିଶ୍ବବିଦ୍ୟାଳୟ (୮ ସ୍ବର୍ଣ୍ଣ, ୭ ରୌପ୍ୟ, ୧୧ କାଂସ୍ୟ) ୨୬ ପଦକ ଓ ଜୈନ ବିଶ୍ବବିଦ୍ୟାଳୟ (୮ ସ୍ବର୍ଣ୍ଣ, ୬ ରୌପ୍ୟ, ୨ କାଂସ୍ୟ) ୧୬ ପଦକ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶା ପାଇଁ ସପ୍ତମ ଦିନରେ ଖୁସି ଖବର ଆଣିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମନୋଜ କୁମାର ସାହୁ। ‌‌ଏହା ଓଡ଼ିଶା ପାଇଁ ଗୁରୁବାରର ଏକମାତ୍ର ପଦକ ଥିଲା। ବୁଧବାର ଓଡ଼ିଶାକୁ ‌୪ ପଦକ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ମିଳିଥିଲା। ଏ ପର୍ଯ୍ୟନ୍ତ ଓଡ଼ିଶାର କିଟ୍‌ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ସହ ମୋଟ ୩ ପଦକ ପାଇଥିଲା ବେଳେ ବ୍ରହ୍ମପୁର ଗୋଟିଏ ଲେଖାଏଁ ‌ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ କରିଛି।

ରଗ୍‌ବି ସେମିରେ କିଟ୍‌: ରଗ୍‌ବିରେ କିଟ୍‌ ବିଶ୍ବବିଦ୍ୟଳୟ ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର କ୍ବାର୍ଟର୍‌ ଫାଇନାଲ୍‌ରେ ପୁରୁଷ ଦଳ ୧୯-୫ରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ଏବଂ ମହିଳା ଦଳ ୫୫-୦ରେ ଜାଲଗାଓଁର କବୟିତ୍ରୀ ବାହନବାଇ ଚୌଧୁରୀ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe