Sky Sports
ମାଞ୍ଚେଷ୍ଟର: ଏଠାରେ ଚାଲିଥିବା ମହିଳା ହଣ୍ଡ୍ରେଡ୍ ପ୍ରତିଯୋଗିତାର ପ୍ରଥମ ହ୍ୟାଟ୍ରିକ୍ ଅଷ୍ଟ୍ରେଲିଆର ଆଲାନ କିଙ୍ଗ୍ଙ୍କ ନାମକୁ ଯାଇଛି। ଗତ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଭଳି ସଫଳତାରୁ ଅଳ୍ପକେ ବଞ୍ଚିତ ହୋଇଥିବା କିଙ୍ଗ୍ ହଣ୍ଡ୍ରେଡ୍ ପ୍ରତିଯୋଗିତାର ଇତିହାସରେ ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ୍ ଅର୍ଜନର ଗୌରବ ବହନ କରିଛନ୍ତି। ଶନିବାର ରାତିରେ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ମାଞ୍ଚେଷ୍ଟର ଓରିଜିନାଲ୍ସ ଦଳ ବିପକ୍ଷ ମ୍ୟାଚ୍ରେ ଟ୍ରେଣ୍ଟ୍ ରକେଟ୍ସ ପକ୍ଷରୁ ଲେଗ୍ ସ୍ପିନର କିଙ୍ଗ୍ କାଟେ କ୍ରସ୍ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ପୂରଣ କରିଥିଲେ। ଏହା ପୂର୍ବରୁ ସେ କ୍ରମାଗତ ବଲ୍ରେ କୋର୍ଡେଲା ଗ୍ରିଫ୍ଥ ଓ ସୋଫି ଏକ୍ଲେଷ୍ଟୋନ୍ଙ୍କୁ ଆଉଟ୍ କରିଥିଲେ। ମ୍ୟାଚ୍ରେ ହ୍ୟାଟ୍ରିକ ସହିତ କିଙ୍ଗ୍ ୪/୧୫ର ବୋଲିଂ ସଫଳତା ପାଇଥିଲେ। ହ୍ୟାଟ୍ରିକ୍ ସଫଳତା ସହିତ କିଙ୍ଗ୍ ମଧ୍ୟ ତାଙ୍କ ଆଦର୍ଶ ତଥା ପରଲୋକଗତ ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱର୍ଣ୍ଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଚମତ୍କାର ବୋଲିଂ ବଳରେ ଟ୍ରେଣ୍ଟ୍ ରକେଟ୍ସ ମଧ୍ୟ ୪୩ ରନ୍ରେ ମାଞ୍ଚେଷ୍ଟର ଅରିଜିନାଲସକୁ ପରାସ୍ତ କରିଥିଲା। ୧୨୦ ରନ୍ର ପିଛା କରିଥିବା ମାଞ୍ଚେଷ୍ଟର ଦଳ ୭୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବାର୍ବାଡସ୍ ବିପକ୍ଷ ମ୍ୟାଚ୍ରେ ସେ ସାକିରା ସେଲ୍ମନ ଓ ସାମିଲା କୋନେଲଙ୍କୁ ଲଗାତାର ବଲ୍ରେ ଆଉଟ୍ କରିବା ପରେ ପରବର୍ତୀ ବଲ୍ରେ କେଲିଆ ଇଲିଅଟ୍ଙ୍କ କ୍ୟାଚ୍କୁ ଅଧିନାୟିକା ମେଗ୍ ଲାନି ଛାଡ଼ିଦେବାରୁ କିଙ୍ଗ୍ ହ୍ୟାଟ୍ରିକ୍ ଅର୍ଜନରୁ ବଞ୍ଚିତ ରହିଥିଲେ।
Follow Us