ଆୟରଙ୍କ ଫେରିବା ବାଟକୁ ଚାହିଁରହିଛି କେକେଆର୍‌

Advertisment
ଆୟରଙ୍କ ଫେରିବା ବାଟକୁ ଚାହିଁରହିଛି କେକେଆର୍‌

କୋଲକାତା : ଆହତ ସମସ୍ୟା ଦେଇ ଗତି କରୁଥିବା ‌କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟସ ଆୟର ଏଥର ଆପିଏଲ୍‌ରେ ନିଶ୍ଚିତ ଖେଳିବେ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ୍‌ ଆଶାବ୍ୟକ୍ତ କରିଛନ୍ତି। ପ୍ରତିଯୋଗିତାର ଅଧା ବେଳକୁ ଆୟର ଦଳ ସହିତ ଯୋଗଦେଇ ପାରନ୍ତି ବୋଲି ପଣ୍ଡିତ କହିଛନ୍ତି। ତଥାପି ଯେଉଁ ପର୍ଯ୍ୟନ୍ତ ଆୟର ସୁସ୍ଥ ନହୋଇଛନ୍ତି, ସେପର୍ଯ୍ୟନ୍ତ ନୀତୀଶ ରାଣା ଚାପଯୁକ୍ତ ନେତୃତ୍ବ ନେବା ଭୂମିକାରେ ଅବତୀର୍ଣ୍ଣ ହେବେ। ନୀତୀଶ ଆଇପିଏଲ୍‌ରେ ଜଣେ ଅଭିଜ୍ଞ ଖେଳାଳି ହୋଇଥିଲା‌ ବେଳେ କେକେଆର୍‌ ସହିତ ୫ ବର୍ଷ ଖେଳିଆସୁଛନ୍ତି। ତେଣୁ ସବୁ ଆଡ଼କୁ ଧ୍ୟାନରେ ରଖି ନୀତୀଶଙ୍କୁ ନେତୃତ୍ବ ଭାର ଦିଆଯାଇଛି। ଏପରିକି ତାଙ୍କର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନଥିବା ପଣ୍ଡିତ କହିଛନ୍ତି।

ତାଙ୍କ ମତରେ, ଯେତେ‌ବେଳେ ଦଳ ପାଇଁ ଖେଳାଳି ଚୟନ କରାଯାଉଛି, ସେତେବେଳେ ସଂପୃକ୍ତ ଖେଳାଳିମାନଙ୍କୁ କିଛି ଦାୟିତ୍ବ ମଧ୍ୟ ଦିଆଯାଉଛି। ପରେ କିଏ ସେହି ଦାୟିତ୍ବକୁ ଠିକ୍‌ ଭାବେ ତୁଲାଇ ପାରୁଛି, ତାହାକୁ ପରଖା ଯାଇଥାଏ। ସେହିକ୍ରମରେ ଦେଖିଲେ ନୀତୀଶ ଦଳର ନେତୃତ୍ବ ନେବାକୁ ଦକ୍ଷ ବୋଲି ପ୍ରମାଣିତ ହୋଇଛି। ମ୍ୟାଚ୍‌ ସମୟରେ ମଧ୍ୟ ସେ ତାଙ୍କ ଭୂମିକାକୁ ଠିକ୍‌ ଭାବେ ପ୍ରତିପାଦନ କରିପାରିବେ ବୋଲି ପଣ୍ଡିତ ଆଶା ରଖିଛନ୍ତି। ସବୁ ଖେଳାଳିଙ୍କ ପାଖରେ ଅଲଗା ଦକ୍ଷତା ଥାଏ। ତେଣୁ ଉକ୍ତ ପଦ ପାଇଁ ସଂପୃକ୍ତ ଖେଳାଳି ଉପଯୁକ୍ତ କି ନୁହେଁ, ତାହାକୁ ଧ୍ୟାନ ଦିଆଯାଏ ନାହିଁ। ତେଣୁ ଆମର ନିଷ୍ପତ୍ତି ଉପର ଆମେ ଭରସା ରଖୁଛୁ ବୋଲି ପଣ୍ଡିତ କହିଛନ୍ତି।

ଜଣେ ପ୍ରଶିକ୍ଷକ ଭା‌ବେ ପଣ୍ଡିତ ଘରୋଇ କ୍ରିକେଟ୍‌ରେ ଅନେକ ସଫଳତା ପାଇଛନ୍ତି। କିନ୍ତୁ ଆଇପିଏଲ୍‌ ଏକ ଭିନ୍ନ ଧରଣର ଖେଳ ଓ ଏଠାରେ ମଧ୍ୟ ଆହ୍ବାନ ଭରି ରହିଛି। ଦଳର କିଛି ଖେଳାଳିଙ୍କ ପାଖରେ ଆନ୍ତର୍ଜାତିକ ମ୍ୟାଚ୍‌ର ଅଭିଜ୍ଞତା ରହିଛି। ତେଣୁ ଖେଳରେ କୌଣସି ପରିବର୍ତ୍ତନ ଆସିନାହିଁ, ବରଂ ଖେଳିବା ଶୈଳୀରେ ଭିନ୍ନତା ଆସିଛି। ଯେପର୍ଯ୍ୟନ୍ତ ଦଳ ଏକାଠି ହୋଇ ଖେଳୁଛି, ସେତେବେଳେ ସଫଳତା ମିଳିବ ବୋଲି ଚନ୍ଦ୍ରକାନ୍ତ ପଣ୍ଡିତ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe