ନକ୍‌ଆଉଟ୍‌ ଦୌଡ଼: ନଜରରେ ମେସି, ନେମାର, ରୋନାଲ୍ଡୋ

ନକ୍‌ଆଉଟ୍‌ ଦୌଡ଼: ନଜରରେ ମେସି, ନେମାର, ରୋନାଲ୍ଡୋ

Daily Express

ନୂଆଦିଲ୍ଲୀ: ଚଳିତ ବର୍ଷ ଫିଫା ବିଶ୍ବକପ୍‌ରେ ୩୨ ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ ୮ ଗ୍ରୁପ୍‌ରେ ବାଣ୍ଟି ଦିଆଯାଇଛି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ପରସ୍ପର ସହିତ ତିନିଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ମ୍ୟାଚ୍‌ ଜିତିଲେ ୩ ଓ ଅମୀମାଂସିତ ମ୍ୟାଚ୍‌ରୁ ୧ ପଏଣ୍ଟ ମିଳିବ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ପ୍ରି-କ୍ବାର୍ଟରଫାଇନାଲ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନକ୍‌ଆଉଟ୍‌ ପର୍ଯ୍ୟାୟରେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ନବାହାରେ ତାହେଲେ ଅତିରିକ୍ତ ସମୟରେ ମ୍ୟାଚ୍‌ ଖେଳାଯିବ। ଏଥିରୁ ଯଦି କେହି ବିଜୟୀ ନହୁଅନ୍ତି ତାହେଲେ ପେନାଲ୍ଟିରେ ଜରିଆରେ ବିଜେତା ବଛାଯିବ।

ଗ୍ରୁପ୍‌-ଏ: କାତାର, ଇକ୍ବେଡ଼ର, ସେନେଗଲ, ନେଦରଲାଣ୍ଡ୍ସ
ଏହି ଗ୍ରୁପ୍‌ରୁ ନେଦରଲାଣ୍ଡ୍ସ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯିବା ପାଇଁ ପ୍ରଥମ ପସନ୍ଦିତା ଦଳ ରହିବ। ଶେଷ ଥର ପାଇଁ ୨୦୧୦ରେ ଏହି ଦଳ ଫାଇନାଲ୍‌ ଖେଳିଥିଲା। ହେଲେ ଗତ ଋଷିଆ ସଂସ୍କରଣରେ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲା। ତେଣୁ ଏଥର ଦଳ ମ୍ୟାଚ୍‌ ଜିତିବା ପାଇଁ ଭୋକିଲା ଅଛି। ତଥାପି ଗ୍ରୁପ୍‌ ପର୍ଯ୍ୟାୟରେ ସେନେଗଲ୍‌ ସହିତ ଏହି ଦଳର କଡ଼ା ମୁକାବିଲା ହେବା ସମ୍ଭାବନା ରହିଛି। କିନ୍ତୁ ଆଫ୍ରିକା କପ୍‌ ଅଫ୍‌ ନେସନ୍ସର ବିଜେତା ‌ସେନେଗଲ୍‌ ଆହତ ସମସ୍ୟା ମଧ୍ୟରେ ଗତି କରୁଛି।

ଗ୍ରୁପ୍‌-ବି: ଇଂଲଣ୍ଡ, ଇରାନ୍‌, ଆମେରିକା, ୱେଲ୍ସ
୨୦୧୮ ସଂସ୍କରଣର ସେମିଫାଇନାଲିଷ୍ଟ ଓ ଗତବର୍ଷ ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ର ଉପ ବିଜେତା ଇଂଲଣ୍ଡ ଏଥର ବିଶ୍ବକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟରୁ ଭଲ ଖେଳି ନକ୍‌ଆଉଟ୍‌ ଆସିବା ଲକ୍ଷ୍ୟରେ ରହିଛି। କିନ୍ତୁ ନିକଟରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡକୁ କଠିନ ପଥ ଦେଇ ଗତି କରିବାକୁ ପଡ଼ିପାରେ। ବିଶେଷ କରି ୱେଲ୍ସ ଓ ଆମେରିକା ବିପକ୍ଷରେ ଦଳକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ହେବ।

ଗ୍ରୁପ୍‌-ସି: ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ
କୋପା ଆମେରିକାରେ ଟ୍ରଫି ହାସଲ କରିଥିବା ଆର୍ଜେଣ୍ଟିନା କାତାରରେ ‌ସମାନ ପ୍ରଦର୍ଶନ ଦୋହରାଇବାକୁ ଚାହିଁବ। ତେବେ ସମସ୍ତଙ୍କ ନଜର ୩୫ ବର୍ଷିୟ ଲିଓନେଲ୍‌ ମେସିଙ୍କ ଉପରେ ରହିବ। କାରଣ ବିଶ୍ବକପ୍‌ରେ ତାଙ୍କ ଦଳକୁ ବିଜେତା କରାଇବାକୁ ଏହା ତାଙ୍କର ଶେଷ ସୁଯୋଗ ବୋଲି କୁହାଯାଉଛି। ସେହିପରି ରବର୍ଟ ଲେୱା‌ଣ୍ଡୋସ୍କିଙ୍କଠୁ ଅଧିକ ଗୋଲ୍‌ ଆଶା କରି ପୋଲାଣ୍ଡ ନକ୍‌ଆଉଟ୍‌ ଟିକେଟ ହାତେଇବାକୁ ଚାହିଁବ। ମେକ୍ସିକୋ ମଧ୍ୟ ଗ୍ରୁପ୍‌ର ଦ୍ବିତୀୟ ଦଳ ହୋଇ ଚୂଡ଼ାନ୍ତ ୧୬ ଦଳ ମଧ୍ୟରେ ସ୍ଥାନ ପାଇବା ଆଶ‌ାରେ ରହିଛି।

ଗ୍ରୁପ୍‌-ଡି: ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ
ବିଶ୍ବକପ୍‌କୁ ଆସିବା ପୂର୍ବରୁ ଫ୍ରାନ୍ସର ଏକାଧିକ ଖେଳାଳି ଆହତ ହୋଇଛନ୍ତି। ଏପରିକି ଏହି ସମସ୍ୟା ଯୋଗୁଁ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା ଓ ଏନ୍‌ଗୋଲୋ କାଣ୍ଟେ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଥିଲେ। ତେଣୁ ଦଳ ପାଇଁ ଗ୍ରୁପ୍‌ ପର୍ଯ୍ୟାୟ ସହଜ ହୋଇନପାରେ। ଅନ୍ୟପକ୍ଷରେ ମିଡ୍‌ଫିଲ୍ଡର କ୍ରିଷ୍ଟିଆନ୍‌ ଏରିକସନ୍‌ ଆହତ ସମସ୍ୟାରୁ ମୁକୁଳି ବିଶ୍ବକପ୍‌ ଦଳକୁ ଫେରିଥିବାରୁ ଡେନମାର୍କ ଦଳର ମନୋବଳ ବୃଦ୍ଧି ପାଇଛି। ୟୁରୋକପ୍‌ ୨୦୨୦ରେ ଖେଳୁଥିଲା ବେଳେ ଏରିକସନ୍‌ଙ୍କୁ ହୃଦ୍‌ଘାତ ହୋଇଥିଲା। ସେହିପରି ଅଷ୍ଟ୍ରେଲିଆକୁ ଭାଗ୍ୟ ସହଯୋଗ କଲେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିବା ସମ୍ଭବ ହୋଇପାରିବ।

ଗ୍ରୁପ୍‌-ଇ: ସ୍ପେନ୍‌, କୋଷ୍ଟାରିକା, ଜର୍ମାନି, ଜାପାନ
୪ ଥରର ବିଜେତା ଜର୍ମାନି ଗତ ୨୦୧୮ ବିଶ୍ବକପ୍‌ରେ ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲା। ତେବେ ଏହି କଷ୍ଟସାଧ୍ୟ ଗ୍ରୁପ୍‌ରେ ୨୦୧୦ ସଂସ୍କରଣର ବିଜେତା ସ୍ପେନ୍‌ ଏହା ସମ୍ମୁଖରେ ବଡ଼ ପ୍ରତିଦ୍ବନ୍ଦ୍ବୀ ସାବ୍ୟସ୍ତ ହେବ। ‌ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି ହାତେଇବା ପରେ ଗତ ଦୁଇଟି ସଂସ୍କରଣରେ ସ୍ପେନ୍‌ ମଧ୍ୟ ସଂଘର୍ଷ କରୁଛି। ତେଣୁ ଚଳିତ ଥର ସ୍ପେନ୍‌ର ଯୁବ ଦଳ କିଛି ନୂଆ କରିବା ଲକ୍ଷ୍ୟରେ ରହିବ।

ଗ୍ରୁପ୍‌-ଏଫ୍‌: ବେଲଜିୟମ୍‌, କାନାଡା, ମରୋକ୍କୋ, କ୍ରୋଏସିଆ
ନକ୍‌ଆଉଟ୍‌ ପର୍ଯ୍ୟନ୍ତ ଯିବା ପାଇଁ ବେଲଜିୟମ୍‌ ପାଖରେ ଭଲ ସୁଯୋଗ ରହିଛି। କିନ୍ତୁ ଆହତ ଯୋଗୁଁ ଷ୍ଟ୍ରାଇକର ରୋମେଲୁ ଲୁକାକୁ ଓ ଏଡେନ୍‌ ହାଜାର୍ଡ ନିୟମିତ ଭାବେ ରିଅଲ୍‌ ମାଦ୍ରିଦ୍‌ ପାଇଁ ଖେଳିପାରିନାହାନ୍ତି। ତେଣୁ କାତାରରେ ସେମାନେ କେତେ ଶୀଘ୍ର ନିଜ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେ‌ବେ ତାହା ଦେଖିବାର କଥା। ସେହିପରି ଭଲ ପ୍ରଦର୍ଶନ କରିଆସୁଥିବା କ୍ରୋଏସିଆ ମଧ୍ୟ ନକ୍‌ଆଉଟ୍‌ ଯୋଗ୍ୟତା ପାଇଁ ଏହି ଗ୍ରୁପ୍‌ର ଅନ୍ୟତମ ଦଳ ଭାବେ ରହିଛି। କାରଣ ଦଳର ଅଗ୍ରଣୀ ସ୍କୋରର ଲୁକା ମୋଦ୍ରିକ୍‌ ଏବେ ବି ଅନ୍ୟ ଦଳଙ୍କ ପାଇଁ ବିପଦ ସାଜିପାରନ୍ତି। ଗତ ସଂସ୍କରଣରେ ‌ଲୁକାଙ୍କ ସହଯୋଗରେ କ୍ରୋଏସିଆ ଫାଇନାଲ୍‌ ଖେଳିପାରିଥିଲା।

ଗ୍ରୁପ୍‌-ଜି: ବ୍ରାଜିଲ୍‌, ସର୍ବିଆ, ସ୍ବିଜରଲାଣ୍ଡ, କାମେରୁନ୍‌
ଏହି ଗ୍ରୁପ୍‌ରେ ବ୍ରାଜିଲ୍‌ ଯେ ସବୁବେଳେ ପସନ୍ଦିତା ଦଳ ଏଥିରେ ସନ୍ଦେହ ନାହିଁ। ୫ ଥରର ବିଜେତା ବ୍ରାଜିଲ୍‌ର ନେତୃତ୍ବ ନେଉଥିବା ନେମାର ଜୁନିଅରଙ୍କ ଅଧିନରେ ଯୁବ ଖେଳାଳିମାନେ ଆରମ୍ଭରୁ ପ୍ରଭାବ ବିସ୍ତାର କରିବାକୁ ଚାହିଁବେ। ସେହିପରି ସ୍ବିଜରଲାଣ୍ଡକୁ ଦୁର୍ବଳ ଭାବିବା ମଧ୍ୟ ଅନୁଚିତ୍‌ ହେବ। କାରଣ ଅତୀତରେ ଏହି ଦଳ ପ୍ରତିପକ୍ଷଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା ବେଳେ ଏଥର ନକ୍‌ଆଉଟ୍‌ ଯିବା ପାଇଁ ଦକ୍ଷତା ରଖିଛି।

ଗ୍ରୁପ୍‌-ଏଚ୍‌: ପର୍ତ୍ତୁଗାଲ୍‌, ଘାନା, ଉରୁଗୁଏ, ଦକ୍ଷିଣ କୋରିଆ
କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ତାଙ୍କର ଶ୍ରେଷ୍ଠ ସମୟ ଦେଇ ଗତି କରୁଥିବାରୁ ପର୍ତ୍ତୁଗାଲ୍‌କୁ ଟ୍ରଫି ଜିତାଇବାକୁ ସବୁପ୍ରକାରର ଚେଷ୍ଟା କରିବେ। ଉରୁଗୁଏ ଦ୍ବିତୀୟ ଦଳ ଭାବେ ଏହି ଗ୍ରୁପ୍‌ରୁ ନକ୍‌ଆଉଟ୍‌ ଯାଇପାରେ। ତଥାପି ଘାନା ଓ ଦକ୍ଷିଣ କୋରିଆ ଲିଗ୍‌ ପର୍ଯ୍ୟାୟରେ ବିପର୍ଯ୍ୟୟ ଘଟାଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe