SpotboyE
ପର୍ଥ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲିଙ୍କ ହୋଟେଲ୍ ରୁମ୍ ଭିଡିଓ ଏବେ ସର୍ବସାଧାରଣରେ ଘୁରିବୁଲିଲାଣି। ହେଲେ ଯିଏ ବି ଏଭଳି କାର୍ଯ୍ୟ କରିଛନ୍ତି ତାହାକୁ କୋହଲି ନାପସନ୍ଦ କରିଛନ୍ତି। ଏଭଳି ଘଟଣା ଦ୍ବାରା ସେ ବିରକ୍ତି ହେବା ସହ ଏହା ତାଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରୁଥିବା ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ କହିଛନ୍ତି। ତାଙ୍କ ମତରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିଲେ ପ୍ରଶଂସକମାନେ ଉତ୍ସାହିତ ହୋଇଥାନ୍ତି। କିନ୍ତୁ ହୋଟେଲ୍ ରୁମ୍ ଭିଡିଓ ସର୍ବସାଧାରଣକୁ ଆସିବା ପରେ ଗୋପନୀୟତା ଭଙ୍ଗ ହୋଇଥିବାରୁ ଚକିତ ହୋଇଛନ୍ତି। ଏପରିକି ସେ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ଅଭିଯୋଗ କରିବା ସହିତ ଖେଳାଳିଙ୍କୁ ମନୋରଂଜନର ସାମଗ୍ରୀ ଭାବେ ବିବେଚନା ନକରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି କୋହଲିଙ୍କ ରୁମ୍ ଭିତରେ ବୁଲୁଥିବା ଦେଖାଯାଉଛି।
ମୋବାଇଲ୍ କ୍ୟାମେରାରେ କୋହଲିଙ୍କ ବ୍ୟକ୍ତିଗତ ବ୍ୟବହାର୍ଯ୍ୟ ସାମଗ୍ରୀ, ଔଷଧ, ଜୋତା, ଖୋଲା ପଡ଼ିଥିବା ସୁଟ୍କେସ୍ ଇତ୍ୟାଦିକୁ ଦେଖାଉଛନ୍ତି। କୌଣସି ହୋଟେଲ୍ କର୍ମଚାରୀ ଏଭଳି କରିଥିବା କୋହଲି ସନ୍ଦେହ କରିଛନ୍ତି। ବୁଧବାର ବାଂଲାଦେଶ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ପାଇଁ ବର୍ତ୍ତମାନ ଭାରତୀୟ ଦଳ ପର୍ଥରୁ ଆଡିଲେଡ୍ ଅଭିମୁଖେ ଗସ୍ତ କରିଛି। କୋହଲିଙ୍କ ସମର୍ଥନରେ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍ ୱାର୍ଣ୍ଣର ମଧ୍ୟ ବାହାରିଛନ୍ତି। ତେବେ ଏହି ଅଭିଯୋଗ ଆସିବା ପରେ ହୋଟେଲ୍ ପକ୍ଷରୁ କ୍ଷମାପ୍ରାର୍ଥନା କରାଯିବା ସହିତ ଅଭିଯୁକ୍ତ କର୍ମଚାରୀଙ୍କୁ ତଡ଼ି ଦେଇଛନ୍ତି। ଉକ୍ତ ଭିଡିଓକୁ ହୋଟେଲ୍ ଆକାଉଣ୍ଟରୁ ଡିଲିଟ୍ କରାଯାଇଥିବା ବେଳେ ଆଗକୁ ଯେପରି ଏଭଳି ଭୁଲ୍ ନହୁଏ ସେଥିପ୍ରତି ସତର୍କ ରହିବେ ବୋଲି ପ୍ରତିଶ୍ରୁତି ରଖିଛନ୍ତି।
Follow Us