ନୂଆଦିଲ୍ଲୀ: ଆସନ୍ତାକାଲି କାନ୍ବେରାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଅବସରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିବାର ସୁଯୋଗ ରହିଛି। ଶେଷ ଦିନିକିଆରେ ଆଉ ୨୩ ରନ୍ କରିପାରିଲେ କୋହଲି ଦ୍ରୁତତମ ଖେଳାଳି ଭାବେ ୧୨,୦୦୦ ରନ୍ (କମ୍ ପାଳି ଭିତ୍ତିରେ)ର କୀର୍ତ୍ତିମାନ ନିଜ ନାମକୁ ନେଇଯିବେ। ଏହି କୀର୍ତ୍ତିମାନ ଏବେ କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ମାଷ୍ଟର ବ୍ଲାଷ୍ଟର ସଚିନ୍ ୩୦୯ ମ୍ୟାଚ୍ ଓ ୩୦୦ ପାଳିରେ ଏହି ମାଇଲଖୁଣ୍ଟ ପ୍ରତିଷ୍ଟା କରିଥିଲେ। କୋହଲି ଏହି ମାଇଲଖୁଣ୍ଟକୁ ୨୫୧ ମ୍ୟାଚ୍ ଓ ୨୪୨ ପାଳିରେ ଅତିକ୍ରମ କରିବାର ସୁଯୋଗ ରଖିଛନ୍ତି। ମୋଟ ଉପରେ କୋହଲି ମଧ୍ୟ ଏହି ତାଲିକାରେ ଷଷ୍ଠ ଖେଳାଳି ହୋଇପାରିବେ। ସଚିନ୍ଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ସନତ ଜୟସୂରିଆ ଏବଂ ମାହେଲା ଜୟବର୍ଧନେ ଏହି କ୍ଲବ୍ର ୫ ସଦସ୍ୟ ରହିଛନ୍ତି।ଅନ୍ୟପକ୍ଷରେ କାନ୍ବେରା ଦିନିକିଆ ମ୍ୟାଚ୍ ଅବସରରେ କୋହଲିଙ୍କ ପାଇଁ ମଧ୍ୟ ଆଉ ଏକ ମାଇଲଖୁଣ୍ଟ ଅପେକ୍ଷା କରିଛି। ସେ ୧୦୦ ରନ୍ କରିପାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଭାବେ ସର୍ବାଧିକ ଶତକ ଜମାଇବାରେ ସଚିନ୍ଙ୍କ କୀର୍ତ୍ତିମାନ ସମକକ୍ଷ ହୋଇଯିବେ। ସଚିନ୍ଙ୍କ ନାମରେ ୯ ଶତକ ରହିଥିଲା ବେଳେ କୋହଲି ୮ ଶତକ ମାରିସାରିଛନ୍ତି।
ଦ୍ରୁତତମ ୧୨,୦୦୦ ରନ୍ କ୍ଲବ୍, ସଚିନ୍ଙ୍କ କୀର୍ତ୍ତିମାନଠୁ ୨୩ ରନ୍ ଦୂରରେ କୋହଲି
Advertisment
Follow Us