ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସଂପ୍ରତି ଇଂଲଣ୍ଡରେ ବିଶ୍ବକପ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ଭାରତରେ ତାଙ୍କର ଜଣେ କର୍ମଚାରୀ କରିଥିବା ଭୁଲ କିନ୍ତୁ କୋହଲିଙ୍କୁ ଅଡ଼ୁଆରେ ପକାଇଛି। ସଂପୃକ୍ତ କର୍ମଚାରୀ କୋହଲିଙ୍କ ଗୁରୁଗ୍ରାମସ୍ଥିତ ବାସଭବନରେ ପିଇବା ପାଇଁ ଉଦିଷ୍ଟ ପାଣିରେ କାର୍ ଧୋଇଥିଲେ। ମଙ୍ଗଳବାର ଭୋର୍ରୁ ସେମାନେ ଏହି କାମ କରୁଥିଲା ବେଳେ ଗୁରୁଗ୍ରାମ ମହାନଗର ନିଗମ ଫ୍ଲାଇଂ ସ୍କ୍ବାଡ୍ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ଜରିମାନା ଦେବାକୁ ବାଧ୍ୟ ହୋଇଥିଲେ। କୋହଲି ଗୁରୁଗ୍ରାମର ଡିଏଫଏଫ୍ ଫେଜ୍-୧ରେ ରୁହନ୍ତି। ତାଙ୍କ ପାଖରେ ଦୁଇଟି ଏସୟୁଭିକୁ ମିଶାଇ ମୋଟ ୭ଟି କାର୍ ଅଛି। କୋହଲିଙ୍କ କାର୍ ଚାଳକ ଏବଂ କର୍ମଚାରୀ ପିଇବା ପାଣିରେ ଏହି କାର୍ଗୁଡ଼ିକୁ ନିୟମିତ ଧୋଇଥିବାର ଅଭିଯୋଗ ମହାନଗର ନିଗମ କାର୍ଯ୍ୟାଳୟରେ ହୋଇଥିଲା। ଏଣୁ ମହାନଗର ନିଗମ କର୍ମଚାରୀ ଯୋଜନା ବଦ୍ଧ ଭାବେ ଏହାକୁ ଧରିଥିଲେ। ଏଥିନେଇ ଗୁରୁଗ୍ରାମ ମହାନଗର ନିଗମ କମିସନର ଯଶପାଲ ଯାଦବ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ପିଇବା ପାଣିର ଚାହିଦା ବହୁଗୁଣ ବଢ଼ିଯାଇଥାଏ। ସେଥିପାଇଁ ଜଳ ନଷ୍ଟ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖା ଯାଇଥାଏ। ଏହିକ୍ରମରେ କୋହଲିଙ୍କ ଘରେ ଜଳ ନଷ୍ଟ ହେଉଥିବା ପ୍ରମାଣିତ ହେବା ପରେ ତାଙ୍କୁ ୫୦୦ ଟଙ୍କା ଜରିମାନା କରାଯାଇଛି। ପାନୀୟ ଜଳ ନଷ୍ଟ ନକରିବାକୁ ମଧ୍ୟ ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
ପିଇବା ପାଣିରେ କାର୍ ଧୋଇ କୋହଲି ଦଣ୍ଡିତ
Advertisment
Follow Us