କୋହଲି ଫର୍ମକୁ‌ ଫେରିଲେ, ବାଙ୍ଗାଲୋର୍‌ର ତୃତୀୟ ବିଜୟ

Advertisment

ପଡ଼ିକଲ୍‌, ଚହଲ ରାଜସ୍ଥାନକୁ ହରାଇଲେ

ପଡ଼ିକଲ୍‌, ଚହଲ ରାଜସ୍ଥାନକୁ ହରାଇଲେ

କୋହଲି ଫର୍ମକୁ‌ ଫେରିଲେ, ବାଙ୍ଗାଲୋର୍‌ର ତୃତୀୟ ବିଜୟ

ଆବୁଧାବି: ଚଳିତ ଆଇପିଏଲ୍‌ରେ ଯୁବ ବୀର ଦେବଦତ୍ତ ପଡ଼ିକଲଙ୍କ ପରାକ୍ରମ ଜାରି ରହିଛି। ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ଅର୍ଧଶତକ ସହ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଶନିବାର ତୃତୀୟ ବିଜୟ ଉପହାର ଦେଇଛନ୍ତି ଏହି ପ୍ରତିଭାବାନ ୨୦ ବର୍ଷୀୟ କ୍ରିକେଟର୍‌। ଅନ୍ୟପକ୍ଷରେ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ସେହି ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଛି। ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ (୪-୦-୨୪-୩)ଙ୍କ ନେତୃତ୍ବରେ ଆର୍‌ସିବି ଶନିବାର ରାଜସ୍ଥାନକୁ ପ୍ରଥମେ ୧୫୪/୬ରେ ଅଟକାଇ ଦେଇଥିଲା। ଏହା ପରେ ପଡ଼ିକଲଙ୍କ ୬୩ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୭୨* ରନ୍ ବଳରେ ୮ ୱିକେଟ୍‌ର ସହଜ ବିଜୟ ହାସଲ କରିଥିଲା।

ଅନ୍ୟ ଏକ ମହତ୍ବପୂର୍ଣ୍ଣ ଘଟଣାକ୍ରମେ ଲଗାତାର ତିନିଟି ପାଳିରେ ବିଫଳ ହେବା ପରେ କୋହଲି ଶନିବାର ଚଳିତ ଆଇପିଏଲ୍‌ର ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ଆରୋନ ଫିଞ୍ଚ୍ (୮) ବିଫଳ ହେବା ପରେ ପଡ଼ିକଲ ଓ କୋହଲିଙ୍କ ମଧ୍ୟରେ ହୋଇଥିବା ୯୯ ରନ୍‌ର ଭାଗୀଦାରି ପାଇଁ ହିଁ ଆର୍‌ସିବି ୫ ବଲ୍ ପୂର୍ବରୁ ୧୫୮ ରନ୍ କରି ପଏଣ୍ଟ୍‌ ତାଲିକାର ଶୀର୍ଷକୁ ସାମୟିକ ଭାବେ ଉଠିଥିଲା। ମିଷ୍ଟର ୩୬୦ ଏବି ଡି’ଭିଲିୟର୍ସ (୧୨*) ଟମ୍ କରନଙ୍କୁ ସୁନ୍ଦର ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ୩ ପାଳିରୁ ମାତ୍ର ୧୮ ରନ୍ କରିବା ପରେ ଚତୁର୍ଥରେ କୋହଲି ୪୪ ବଲ୍ ଅର୍ଧଶତକ ଅର୍ଜନ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଶାଣିତ ଓ କଂଜୁସ୍ ବୋଲିଂ ପାଇଁ ଚହଲ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ମୁକାବିଲା ଚଳିତ ଆଇପିଏଲ୍‌ର ହାତଗଣତି ଏକତରଫା ମ୍ୟାଚ୍ ମଧ୍ୟରୁ ଅନ୍ୟତମ ଥିଲା।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିବା ରାଜସ୍ଥାନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୫) ଓ ଯୁବ ତାରକା ସଞ୍ଜୁ ସାମସନ୍ (୪) ବିଫଳ ହେବା ପରେ ରାଜସ୍ଥାନ ଆହ୍ବାନପୂର୍ଣ୍ଣ ସ୍କୋର କରି ପାରିନଥିଲା। ଦଳ ପକ୍ଷରୁ ଅଙ୍କିତ ରାଜପୁତଙ୍କ ସ୍ଥାନ ନେଇଥିବା ମହିପାଲ ଲୋମରୋର୍‌ ସର୍ବାଧିକ ୪୭ ରନ୍ କରିଥିଲେ। ଶେଷ ଆଡ଼କୁ ରାହୁଲ ତିୱାତିଆ ୩ ବିଶାଳ ଛକା ମାରି ୧୨ ବଲ୍‌ରୁ ୨୪* ଏବଂ ଅଲରାଉଣ୍ଡର ଜୋଫ୍ରା ଆର୍ଚର ୧୦ ବଲ୍‌ରୁ ୧୬ ରନ୍ କରିବା ପରେ ଧିମା ଖେଳିଥିବା ରାଜସ୍ଥାନ ଶେଷରେ ଦେଢ଼ ଶହ ରନ୍ ପାର କରିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe