ଅଭ୍ୟାସ ସେସନ୍‌ରେ କୋହଲିଙ୍କ ଚମକ, ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ଶୃଙ୍ଖଳା

ଅଭ୍ୟାସ ସେସନ୍‌ରେ କୋହଲିଙ୍କ ଚମକ, ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ଶୃଙ୍ଖଳା

ମୋହାଲି : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ରବିବାର ଭାରତୀୟ ଦଳ ପ୍ରଥମ ଅଭ୍ୟାସ ସେସନ୍‌କୁ ଓହ୍ଲାଇଛି। ଏଥିରେ ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ନେଟ୍‌ସକୁ ଆସିଥିଲେ। ସେ ମଧ୍ୟ ନେଟ୍‌ସରେ ଚମକ ଦେଖାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ବିଶେଷକରି ଦ୍ରୁତ ବୋଲରଙ୍କୁ ପୁଲ୍‌ ସଟ୍‌ ଖେଳିବା ଏବଂ ସ୍ପିନରଙ୍କ ବିପକ୍ଷରେ ଆଗକୁ ପାଦ ବଢ଼ାଇ ଖେଳିବା ସହିତ ଚମତ୍କାର ଢଙ୍ଗରେ ଅଭ୍ୟାସ କରିଥିଲେ। ସେ ମୋଟ ୪୫ ମିନିଟ୍‌ର ଅଭ୍ୟାସ ମଧ୍ୟରେ ଅସଂଖ୍ୟ ରାଇଜିଂ ବଲ୍‌ର ସାମ୍‌ନା କରିଥିଲେ ଏବଂ ସର୍ଟ ବଲ୍‌କୁ ଖେଳିବାର ସ୍ପଷ୍ଟ ସଂକେତ ଦେଇଥିଲେ। ଏହାପରେ ସେ ମଧ୍ୟ ସ୍ପିନରଙ୍କୁ ଆକ୍ରମଣ କରି ପଡ଼ିଆରେ ସିଧା ବାଉଣ୍ଡାରି ମାରିଥିଲେ। ଫଳରେ ଦଳର ନୂଆ ସମୀକରଣକୁ ଅନୁସରଣ କରି କୋହଲି ନିଜର ସହଜ ଜୋନ୍‌ରେ ରହିବା ନେଇ ପ୍ରସ୍ତୁତ ହୋଇଯାଇଛନ୍ତି।

ଭଜି ଓ ଯୁବିଙ୍କ ନାମରେ ଷ୍ଟାଣ୍ଡ୍‌
ମଙ୍ଗଳବାର ମୋହାଲିର ପିସିଏ (ପଞ୍ଜାବ କ୍ରିକେଟ୍‌ ସଂଘ) ଗ୍ରାଉଣ୍ଡ‌ରେ ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିବା ପୂର୍ବରୁ ନିଜ ରାଜ୍ୟର ଦୁଇ ତାରକା କ୍ରିକେଟର୍‌ ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କ ନାମରେ ଷ୍ଟାଡିୟମ୍‌ର ଦୁଇଟି ଷ୍ଟାଣ୍ଡ୍‌କୁ ଅନାବରଣ କରିବ ପିସିଏ। ଷ୍ଟାଡିୟମ୍‌ର ଦକ୍ଷିଣ ପାଭିଲିୟନ୍‌କୁ ଭାରତର ଅନ୍ୟତମ ମହାନ୍‌ ସ୍ପିନର ହରଭଜନଙ୍କ ନାମରେ ଏବଂ ଉତ୍ତର ପାଭିଲିୟନ୍‌କୁ ୨୦୧୧ ବିଶ୍ବ ବିଜେତା ଦଳର ନାୟକ ଯୁବରାଜଙ୍କ ନାମରେ ନାମିତ କରିଛି ପିସିଏ। ଆମେ ଆମର (ପଞ୍ଜାବ) ଦୁଇ ତାରକା ଖେଳାଳିଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରିଛୁ ବୋଲି କହିଛନ୍ତି ପିସିଏ ସଂପାଦକ ଦିଲ୍‌ସେର ଖାନ୍ନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe