The Indian Express
ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତର ଶୋଚନୀୟ ପରାଜୟ ପରେ ଜଣେ ପାକିସ୍ତାନୀ ସାମ୍ବାଦିକ ପଚାରିଥିବା ବିଭାଜନ ସୃଷ୍ଟିକାରୀ ପ୍ରଶ୍ନ ଶୁଣିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏଭଳି ଏକ ପ୍ରଶ୍ନ ଶୁଣିବା ପରେ ଏହାକୁ ବିଶ୍ବାସ କରି ପାରି ନଥିଲେ ସେ। ସଂପୃକ୍ତ ସାମ୍ବାଦିକଜଣକ ପଚାରିଥିଲେ ଯେ ରୋହିତ ଶର୍ମାଙ୍କ ଫର୍ମ ସେତେଟା ଭଲ ନଥିବାରୁ ଈଶାନ କିଶନଙ୍କୁ ତାଙ୍କ ସ୍ଥାନରେ ନଖେଳାଇବା ଭାରତ ପରାଜୟର କାରଣ କି? ଏହା ଶୁଣି କୋହଲି କହିଥିଲେ ରୋହିତଙ୍କ ଭଳି ଖେଳାଳିଙ୍କୁ ନେଇ ଏଭଳି ପ୍ରଶ୍ନ ପଚାରିବାର କୌଣସି ମାନେ ନାହିଁ। ସେ ଆମ ପାଇଁ କ’ଣ କରି ଆସିଛନ୍ତି, ତାହା ଆପଣ ଆଦୌ ଜାଣି ନାହାନ୍ତି। ଯଦି ଆପଣ ବିବାଦ ସୃଷ୍ଟି କରିବାକୁ ଚାହୁଛନ୍ତି ତାହାଲେ ମୋତେ କୁହନ୍ତୁ ମୁଁ ଆପଣଙ୍କୁ ଏଥିଲାଗି ଆହୁରି ଭଲ ଖୋରାକ ଯୋଗାଇଦେବି। ସେହିଭଳି ଅନ୍ୟଜଣେ ପାକିସ୍ତାନୀ ସାମ୍ବାଦିକ ଭାରତୀୟ କ୍ରିକେଟ୍ ଦଳ କଣ ଅତିଆତ୍ମବିଶ୍ବାସୀ ହୋଇ ମ୍ୟାଚ୍ ହାରିଲା ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖିବାକୁ ଯାଇ କୋହଲି ମତ ରଖିଥିଲେ ଯେ ପଡ଼ିଆ ଭିତରେ କଣ ଘଟେ ଅନେକ ସମୟରେ ବାହାର ଲୋକ ସେକଥା ହୃଦୟଙ୍ଗମ କରିପାରନ୍ତିନି। କ୍ରିକେଟ୍ କିଟ୍ ପିନ୍ଧି ପଡ଼ିଆ ଭିତରକୁ ଗଲେ ସେମାନେ ଜାଣି ପାରନ୍ତେ ଯେ ଚାପ କଣ? ଆପଣ ସେଠାକୁ ଯାଇ କୌଣସି କଥାକୁ ହାଲକା ଭାବେ ନେଇ ପାରିବେ ନାହିଁ।
ବିଶେଷ କରି ବିଶ୍ବର ଯେ କୌଣସି ଦଳକୁ ହରାଇବାର ଦକ୍ଷତା ରଖିଥିବା ପାକିସ୍ତାନ ବିପକ୍ଷରେ ତ ଆଦୌ ନୁହେଁ। ଏହି ମ୍ୟାଚ୍କୁ ଆମକୁ ସମ୍ମାନ ଦେବାର ଥିଲା। ହେଲେ ଗୋଟିଏ ପରାଜୟ ପରେ ବିଶ୍ବକପ୍ ଶେଷ ହୋଇଗଲା ବୋଲି ଆମେ ଭାବୁନୁ। ପରାଜୟକୁ ଆମେ ସ୍ବୀକାର କରୁଛୁ। ଏଥିରୁ ଆମେ ଅନେକ କିଛି ଶିଖିଛୁ। କ୍ରିକେଟ୍ ସମସ୍ତଙ୍କଠାରୁ ଊର୍ଧ୍ବରେ। ଆମେ କୌଣସି ପ୍ରତିପକ୍ଷଙ୍କୁ କେବେବି ହେୟ ମନେ କରୁନି। ଗୋଟିଏ ଦିନ ଆମେ ଭଲ କ୍ରିକେଟ୍ ଖେଳିଲୁନି। ଆମେ ଏହାକୁ ସମ୍ମାନର ସହ ମାନୁଛୁ। ପ୍ରତିପକ୍ଷକୁ ବିଜୟ ପାଇଁ ପ୍ରଶଂସା କରିବାରେ ବି ଆମର ଦ୍ବିଧା ନାହିଁ। ହେଲେ ବଡ଼ କଥା ହେଲା ଆମେ ଏହି ମ୍ୟାଚ୍ରେ କ’ଣ ତ୍ରୁଟି କଲୁ ସେକଥା ଭଲ ଭାବରେ ଜାଣିପାରିଛୁ। ଏହାର ଠିକ୍ କରି ସକରାତ୍ମକ ଚିନ୍ତା ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିବୁ।
କାକରକୁ ନେଇ ଚିନ୍ତା
ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କାକରକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଦୁବାଇରେ ଦ୍ବିତୀୟ ବ୍ୟାଟିଂ କରୁଥିବା ଦଳ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଟସ୍ ଏଠାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଭାରତର ପରବର୍ତ୍ତୀ ମ୍ୟାଚ୍ ମଧ୍ୟରେ ଥିବା ୫ ଦିନର ବ୍ୟବଧାନ ଆତ୍ମସମୀକ୍ଷା କରିବାରେ ସହାୟକ ହେବ ବୋଲି ବୋଲି କହିଥିଲେ। ‘‘ଆମକୁ ମିଳିଥିବା ସମୟକୁ ଆମେ ଆମ ରଣନୀତିକୁ ତର୍ଜମା କରିବା ସହ ଏଥିରେ ଉନ୍ନତି ଆଣିବାରେ ଉପଯୋଗ କରିବୁ। ପୁଣି ଥରେ ଏକାଠି ହୋଇ ଆଗକୁ ବଢ଼ି ଚାଲିବୁ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ ରହିଛି। ଆମେ ୨୦-୨୫ ରନ୍ ପଛରରେ ରହିଗଲୁ। ଆପଣ ଯେତେବେଳେ ୩୧ ରନ୍ରେ ୩ ୱିକେଟ୍ ହରାଇଥା’ନ୍ତି ଏଭଳି ହେବା ସ୍ବାଭାବିକ। ଆମକୁ ପାକିସ୍ତାନ ସବୁ ଦିଗରୁ ପରାସ୍ତ କଲା ବୋଲି କହିବାରେ ମୋର ଆଦୌ ସଙ୍କୋଚ ନାହିଁ’’ ବୋଲି କୋହଲି କହିଥିଲେ।
Telegraph Indiaସାମିଙ୍କୁ ଟ୍ରୋଲ: ସମର୍ଥନରେ ବାହାରିଲେ ସେହବାଗ, ଆକାଶ, ଭଜି
ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଭାରତ ୧୦ ୱିକେଟ୍ରେ ହାରିବା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଅନ୍ଲାଇନ୍ ଟ୍ରୋଲ୍ର ସମ୍ମୁଖୀନ ହୋଇଛନ୍ତି। ଟ୍ରୋଲରମାନେ ସାମିଙ୍କ ପ୍ରଦର୍ଶନକୁ ତାଙ୍କ ଧର୍ମ ସହ ଯୋଡ଼ି ଅନ୍ଲାଇନ୍ରେ ଗାଳିଗୁଲଜ କରିବାକୁ ପଛାଇ ନଥିଲେ। ଏହାପରେ କିନ୍ତୁ ସାମିଙ୍କ ସମର୍ଥନରେ ବାହାରି ପଡ଼ିଥିଲେ ଭାରତୀୟ କ୍ରିକେଟ୍ ଦଳର ସାଂପ୍ରତିକ ଏବଂ ଅତୀତ ଖେଳାଳିମାନେ। ବୀରେନ୍ଦ୍ର ସେହବାଗ, ଆକାଶ ଚୋପ୍ରା, ଇର୍ଫାନ ପଠାନ, ଆରପି ସିଂହ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଭଳି କ୍ରିକେଟର୍ ଏହି ଟ୍ରୋଲ୍ ବାହିନୀକୁ ତୀବ୍ର ଭର୍ତ୍ସନା କରିଥିଲେ। ସାମିଙ୍କ ପାଇଁ ଆମେ ସମସ୍ତେ ଗର୍ବିତ। ଏଭଳି କାରନାମା ବନ୍ଦ ହେବା ଦରକାର ବୋଲି ସମସ୍ତେ ଲେଖିଥିଲେ। ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ୩୧ ବର୍ଷୀୟ ସାମିଙ୍କ ଇନ୍ଷ୍ଟାଗ୍ରାମ ପୃଷ୍ଠାକୁ ଶହ ଶହ ବାର୍ତ୍ତା ପଠାଯାଇ ତାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଇଥିବା ଏହି ଲୋକଙ୍କ ମୁହଁ ବନ୍ଦ କରିବାର ସମୟ ଆସିଯାଇଛି ବୋଲି ଜଣେ ପୂର୍ବତନ ଭାରତୀୟ କ୍ରିକେଟର କହିଥିଲେ। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ସାମିଙ୍କୁ ଦୃଢ଼ ସମର୍ଥନ କରିବା ସହ ସାମିଙ୍କ ସମର୍ଥନରେ ବାହାରିବାକୁ ଭାରତୀୟ ଖେଳାଳିମାନଙ୍କୁ ଆହ୍ବାନ କରିଥିଲେ। ସେହିଭଳି ଘୃଣା ସୃଷ୍ଟିକାରୀଙ୍କୁ ଅଣଦେଖା କରିବାକୁ ସାମିଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ଅତ୍ୟନ୍ତ ଲଜ୍ଜାଜନକ କଥା ଭାବେ ବର୍ଣ୍ଣନା କରିଥିଲେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର। ସେପଟେ ପଞ୍ଜାବରେ ପଢ଼ୁଥିବା କିଛି କାଶ୍ମୀର ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶରେ ଭାରତୀୟ ପ୍ରଶଂସକମାନେ ଦୁଇ ଜଣ ପାକିସ୍ତାନୀ ସମର୍ଥକଙ୍କୁ ପିଟି ଥିବାର ଖବର ବି ଆସିଛି।
Follow Us