Image Courtesy of WION
ନୂଆଦିଲ୍ଲୀ: ଆମର ଗୋଟିଏ ଭୁଲ୍ ପୂରା ପ୍ରତିଯୋଗିତା ଉପରେ ପ୍ରଭାବ ପକାଇବ ବୋଲି ସୋମବାର ଆୟୋଜିତ ଦଳର ପ୍ରଥମ ଭର୍ଚୁଆଲ୍ ବୈଠକରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ଦଳୀୟ ଖେଳାଳିମାନଙ୍କୁ କହିଛନ୍ତି। ଆମେ ସମସ୍ତେ ଜୈବ-ବବଲ୍ ନିୟମକୁ ମାନିବାକୁ ପଡ଼ିବ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ। ଏଥିପାଇଁ ଆମେ ସମସ୍ତେ ଏହାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବା ବୋଲି କୋହଲି ଖେଳାଳିମାନଙ୍କୁ ଚେତାବନୀ ଦେଇ କହିଛନ୍ତି। ଏହି ବୈଠକରେ କୋହଲି ନିଜ ସାଥୀ ଖେଳାଳିମାନଙ୍କୁ ୟୁଏଇ ସରକାରଙ୍କ ପକ୍ଷରୁ ଜାରି କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ମଧ୍ୟ ଅନୁରୋଧ କରିଥିଲେ।
ଆମକୁ ଯାହା କୁହାଯାଇଛି ତାହା ଆମେ କରୁଛୁ। ସମସ୍ତେ ଜୈବ-ବବୁଲ ନିୟମ ପାଳନ କରିବୁ ବୋଲି ଆଶା ରଖିଛି। କାରଣ ଆମର ଗୋଟିଏ ଭୁଲ୍ ପୂରା ପ୍ରତିଯୋଗିତାକୁ ନଷ୍ଟ କରିପାରେ। ଆମେ ଏହା କରିବାକୁ କେବେ ଚାହିଁବୁନି ବୋଲି କୋହଲି କହିଛନ୍ତି। ବବଲ୍ ସୁରକ୍ଷା ଆମକୁ କେତେ ଆବଶ୍ୟକ ତାହା ଆମକୁ ବୁଝିବାକୁ ପଡ଼ିବ। ସମସ୍ତଙ୍କୁ ଏଥିପାଇଁ ସହଯୋଗ କରିବାକୁ ପଡ଼ିବ। ଅଭ୍ୟାସ ଆରମ୍ଭରୁ ହିଁ ଏହା ଉପରେ ଗୁରୁତ୍ବ ଦେବା ବୋଲି କୋହଲି କହିଛନ୍ତି। ଏହାର ଉଲ୍ଲଂଘନକୁ ଅତି ଗୁରୁତର ସହ ବିଚାର କରାଯିବ। ଉଲ୍ଲଂଘନକାରୀ ଖେଳାଳିଙ୍କୁ ବାଦ୍ ଦିଆଯିବ। ୭ ଦିନ ପାଇଁ ପୃଥକାବାସ ରହିବେ ଏବଂ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ପୁଣି ଦଳକୁ ଫେରିବେ ବୋଲି ଆରସିବିର କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ମାଇକ୍ ହେସନ୍ କହିଛନ୍ତି। ସଂପ୍ରତି ଆର୍ସିବି ଖେଳାଳିମାନେ ୟୁଏଇରେ ପହଞ୍ଚିସାରିଛନ୍ତି ଏବଂ ୬ ଦିନିଆ କ୍ବାରେଣ୍ଟାଇନ୍ରେ ରହିଛନ୍ତି। ନିୟମାବଳୀ ଅନୁଯାୟୀ ଏହି ସମୟରେ ସେମାନଙ୍କ ୩ ଥର କରୋନା ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ଅଭ୍ୟାସ ପାଇଁ ଅନୁମତି ପାଇବେ।
Follow Us